A Brief Account: ସାମାନ୍ୟ କଥନ: ଚମ୍ପା ଓରଫ ଚୋରଣୀର କଥା

1 hour ago 1
ARTICLE AD BOX

ପ୍ରୀତୀଶ ଆଚାର୍ଯ୍ୟ

ମୋ ପିଲାବେଳେ ଗୁହାଳରେ ଥିଲେ ଅନେକ ଗୋରୁ। ତୃତୀୟ ଶ୍ରେଣୀକୁ ଯାଇଥାଏ, ବାପା ମତେ ନୂଆ କରି ଏକ ଦାୟିତ୍ୱ ଦେଲେ- ‘ସନ୍ଧ୍ୟାରେ ଗାଈ-ଗୋରୁ ସବୁ ଗୁହାଳରେ ବନ୍ଧା ହେଲେ ନା ନାହିଁ ଦେଖିବୁ।’ ଗୋରୁଙ୍କ ମଧ୍ୟରେ ଥିଲେ କେତୋଟି ଗାଈ, ବଳଦ, ବାଛୁରୀ, ବୁଢ଼ାହଡ଼ା ଓ ଦୁଇଟି କ୍ଷୀର ଦେଉ ନ ଥିବା ଗାଈ। କାମଟି ବିରକ୍ତିକର ନିଶ୍ଚୟ; ସାଙ୍ଗମାନଙ୍କ ସହିତ ଖେଳ ଛାଡ଼ି ମୋତେ ଏଥି ପାଇଁ ଆଗରୁ ଘରକୁ ଫେରିବାକୁ ପଡ଼େ। ହେଲେ, କିଛି ଦିନ ପରେ ଅଭ୍ୟାସରେ ପଡ଼ିଗଲି। ଏହା ଯୋଗୁଁ ମୋର ଗୁହାଳର ସବୁ ଗାଈ-ଗୋରୁ ସହିତ ନିଜର ଓ ନିଡ଼ର ଭାବ ବଢ଼ିଲା। ଭିଡ଼ରେ ବି ଚିହ୍ନି ନେବି, କେଉଁ ଗାଈ ଆମର, କ’ଣ ତା’ ବିଶେଷତ୍ୱ। କେହି ଗାଈ ବେକରୁ ପଘା କାଢ଼ି ଦିଅନ୍ତି; ତାଙ୍କ ବେକରେ ପଘା ଦେବାକୁ ହୁଏ; ଭୟ ରହିଥିଲେ ଏ କାମ ହୁଏନା। 
ମୋର ଗୁହାଳକୁ ଯିବା ଆଗରୁ ସେମାନଙ୍କୁ ରାତ୍ରି ଆହାର ଲାଗି କିଛିକିଛି ପୁଆଳ ବଣ୍ଟା ସରିଥାଏ। ତହିଁରେ ସନ୍ତୁଷ୍ଟ ନ ହୋଇ କେହିକେହି ଆଉ କିଛି ମାଗନ୍ତି। ଭାଡ଼ିରୁ ଅଳ୍ପ ପୁଆଳ କାଢ଼ି ଦେଇପାରିଲେ ଖୁସି ଲାଗେ। ବାପା ପ୍ରତ୍ୟେକ ଗାଈ-ଗୋରୁର ସୁନ୍ଦର ନଁାମାନ ରଖିଥାନ୍ତି- ‘କମଳା’, ‘ମେଘା’, ‘ବାଦଲ’, ‘ରତନ’ ଆଦି। ତାଙ୍କ ମତରେ ଆଜେବାଜେ ନଁାରେ ଡାକିବା କୁଆଡ଼େ ଗାଈଙ୍କ ପ୍ରତି ଅପମାନ! ବାପାଙ୍କ ପଛରେ ଯଦିଓ ଆମ ଘରର ବାକିମାନେ ବେଳେ ବେଳେ ସେହି ନାଁର ପରିହାସ କରନ୍ତି। ଏଣିକି ମୁଁ ବି ସେମାନଙ୍କୁ ନଁା ଧରି ଡାକେ; ସେମାନେ ଶୁଣନ୍ତି; ଏଥିରୁ ନିଜ ବୟସ ତୁଳନାରେ ଟିକିଏ ଅଧିକ ‘ବଡ଼’ ହେବାର ଏକ ଆତ୍ମବୋଧ ମିଳେ। 
ପରିଚୟ ବଢ଼ିଲାରୁ ଗାଈ-ଗୋରୁଙ୍କୁ କୁଣ୍ଡା-ତୋରାଣି ଦେବାରେ ଆଗ୍ରହ ମଧ୍ୟ ଜନ୍ମିଲା। ହେଲେ, ଏଥିପାଇଁ ମତେ ଛୁଟିଦିନ ଯାଏଁ ଅପେକ୍ଷା କରିବାକୁ ପଡ଼େ। ବାପା କହନ୍ତି, ‘ସ୍କୁଲ ଆଗ। ତାକୁ ଛାଡ଼ି ତୋର ଗାଈଙ୍କ କାମରେ ଲାଗିବା କଥା ନୁହେଁ।’ ଛୁଟିଦିନରେ ମୁଁ ଏହି କାମରେ ତାଙ୍କ ସାଙ୍ଗରେ ରହେ, କେବେ କିଛି ସାହାଯ୍ୟ କରିପାରିଲେ, ଖୁସି ଲାଗେ। ବାପା ଉତ୍ସାହ ଦେଇ କହନ୍ତି, ତୁ ପାଖରେ ଥିଲେ, ଗାଈ ଅଧିକ ଖୁସିରେ ଆହାର ନିଅନ୍ତି! 
 ଗାଈଙ୍କୁ ଭୋଜନ ପରଷିଲା ବେଳେ ଗୁହାଳର ଗୋଟାଏ ନିୟମ ମୋତେ ଆଦୌ ପସନ୍ଦ ଲାଗେ ନାହିଁ। ମନ ଭରି ଖାଇବା ବାବଦରେ ହଡ଼ା ବଳଦ ଓ ବୃଦ୍ଧା ଗାଈ ପ୍ରତି ନିୟମିତ ଉପେକ୍ଷା ହୁଏ! ତା’ର କାରଣ କୁଆଡ଼େ ସେମାନେ ଅପାରଗ! ଏହାର ବଡ଼ ଶିକାର ହୁଏ ଗୁହାଳର ବୟୋଜ୍ୟେଷ୍ଠା ଗାଈ। ଏମିତିରେ ସେ ସକାଳେ ଚରିବାକୁ ଗଲାବେଳେ ଏତେ ଅଳସେଇ ଚାଲେ ଯେ ସେ ପହଞ୍ଚିଲା ବେଳକୁ ଆଉମାନେ ଅଧା ପେଟ ଲେଖା ଚରି ସାରିଥାନ୍ତି। ଏଣେ, ଗୁହାଳରେ ତା’ ପ୍ରତି ପକ୍ଷପାତ କରାଯାଏ। ବାପା ଡାକନ୍ତି ତାକୁ ‘ମେଘା’, ହେଲେ ବାକିମାନେ କହନ୍ତି- ‘ବୁଢ଼ୀ’। ମୋତେ ଲାଗେ ସେ ଜନ୍ମରୁ ବୃଦ୍ଧା। ପରେ ଜାଣିଲି ଯେ ଦିନେ ସେ ବି ଯୁବତୀ ଥିଲା; ଗୁହାଳର ଅଧାରୁ ଅଧିକ ଗାଈ-ବଳଦ ତା’ ପୁଅ-ଝିଅ; ବାଛୁରୀମାନେ ନାତି-ନାତୁଣୀ। 
ମେଘାର ଗୋଟାଏ ଝିଅ ଥିଲା, ବାପାଙ୍କ ଅଭିଧାନରେ ତା’ ନଁା ଚମ୍ପା। ସେ ତା’ ମା’ ‘ବୁଢ଼ୀ’ ଠାରୁ ମଧ୍ୟ ଅଧିକ ପକ୍ଷପାତର ଶିକାର ହୁଏ, କାରଣ ସେ ଆଦୌ ଛୁଆ ଜନ୍ମ କରି ନ ଥିଲା। ମୋର ଧାରଣା, ମା’ ପ୍ରତି ହେଉଥିବା ପକ୍ଷପାତର ପ୍ରତିବାଦରେ ସେ ମା’ ହେବାକୁ ମନା କରିଦେଇଥିଲା! ବଳଦ ହୋଇଥିଲେ ବା ଯୋଚା ଯାଇଥାନ୍ତା। ଉଭୟ ଗଢ଼ଣ ଆଉ ଆଚରଣରେ ସେ ତା’ ମା’ଠାରୁ ପୂରା ଅଲଗା; ବେଶ ହୁଷ୍ଟପୁଷ୍ଟ, ଫୂର୍ତ୍ତିଲା; ପ୍ରାୟ ପ୍ରତି ଦିନ ସେ ଗୋଠରୁ ଚକମା ଦେଇ ଅନ୍ୟର ବିଲକୁ ଆହାର ପାଇଁ ପଶିଯାଏ। ଏଥିପାଇଁ ଗାଁରେ ତା’ ଡାକ ନଁା; ‘ହୁଣ୍ଡୀ’, ‘ଚୁର୍ଣ୍ଣି’ ଅର୍ଥାତ୍ ଚୋରଣୀ! ତା’ କଥା ପଡ଼ିଲେ, ବାପାଙ୍କ ଦିଆ ନଁା ‘ଚମ୍ପା’କୁ କେହି ସ୍ମରଣକୁ ସୁଦ୍ଧା ଆଣନ୍ତି ନାହିଁ। ‘ଚୋରଣୀ’ ନାଁରେ ସମ୍ବୋଧନ କଲେ ସେ ତାକୁ ଅଶୁଣା ମଧ୍ୟ କରେନାହିଁ। ନିଜ ପେଟ ଭରିବା ଚିନ୍ତାରେ ସେ ଏତେ ନିମଗ୍ନ ଯେ ‘ନଁା’କୁ ନେଇ ଅଭିଯୋଗ ପାଇଁ ତା’ ପାଖରେ ସମୟ କାହିଁ! 
ଚୋରଣୀ ଚମ୍ପାର ‘ସଇତାନୀ’ ଦିନକୁ ଦିନ ବଢ଼ିବାରେ ଲାଗିଲା। ତା’ ହୃଷ୍ଟପୁଷ୍ଟ ଚେହେରା ଦେଖି ଲୋକ ତା’ ପିଠିରେ ଶକ୍ତ କରି ପାହାର ବସାନ୍ତି। କେହିକେହି ବାପାଙ୍କୁ ଅପମାନ ଦେବା ଲକ୍ଷ୍ୟରେ କହନ୍ତି, ‘‘ବାଞ୍ଝ ଗାଈଟିକୁ ଆୟତ୍ତ କରିପାରୁନ ଯଦି, ‘କାଞ୍ଜି ହାଉସ’ ପଠାଇ ଦେଉନ!’’ କାହା ବାଡ଼ିରେ ସେ ନ ପଶିଛି; କାହାଠାରୁ ସେ ପାହାର ନ ପାଇଛି! ବଡ଼ ହୋଇଥିଲେ ମୁଁ ବି ହୁଏତ ତା’ ଉପରେ ରାଗିଥାନ୍ତି, ହେଲେ ସେହି ସାନ ବୟସରେ ତା’ ଉପରେ ରାଗ ମାଡ଼େନା; ବରଂ ଲୁଚେଇ ଲୁଚେଇ କିଛି କୁଣ୍ଡା-ତୋରାଣି ତା’ ଖାଇବା କୁଣ୍ଡରେ ଢାଳିଦିଏ। ପ୍ରତିଦାନରେ ସେ ମଧ୍ୟ ସ୍ନେହ ଫେରାଇବାରେ କେବେ କାର୍ପଣ୍ୟ କରେନା। ତା’ ପାଖକୁ ଗଲେ ଆଉଁସି ହେବ। ସନ୍ଧ୍ୟାରେ ସମସ୍ତ ଗାଈଙ୍କୁ କିଛି କିଛି ଘାସ, ନୋହିଲେ ପୁଆଳ ବଣ୍ଟାଯାଇଥାଏ। ଚୋରଣୀ ଏଥିରୁ ବାଦ ପଡ଼େ ଅଥବା କାଣୀ ଭାଗ ପାଏ। କିନ୍ତୁ, ଗଣିବା ପାଇଁ ମୋର ଗୁହାଳରେ ପହଞ୍ଚିଲା ବେଳକୁ ସେ ନିଶ୍ଚୟ ବେକରୁ ପଘା ଫିଟେଇ ଆଉ କାହା ଭାଗର ପୁଆଳ ଖାଉଥିବ! ପଘା ଦେବାକୁ ଗଲେ ମୁଣ୍ଡ ହଲାଇ ମତେ ଦୂର-ଦୂରେଇ ଦେବ। ଏଥି ଲାଗି ଏକାଧିକ ଥର ଅଗତ୍ୟା ବାପାଙ୍କୁ ଡାକିବାକୁ ପଡ଼େ। ହେଲେ ପରିଚୟ ବଢ଼ିଲା ପରେ ଏଣିକି ସେ ମତେ ଦେଖି ନିଜେ ନିଜେ ତା’ ଖୁଣ୍ଟକୁ ଚାଲିଯାଏ। ମୁଣ୍ଡ ତଳକୁ କରିଦିଏ। ନିଜ କୃତକର୍ମ ଲାଗି କ’ଣ ସେ ଲଜ୍ଜିତ! ନା, ପଘା ଦେବା ମୋ ଲାଗି ସହଜ ହେବ ବୋଲି! ମୋତେ ଖୁବ୍ ଆଶାରେ ଅନାଏ; କହେ, ଆଉ ଅଳ୍ପ ପୁଆଳ ଦିଅ! ତା’ର ପକ୍ଷ ନେଇ ମୁଁ କେତେ କ’ଣ ଭାବେ- ସେ ସନ୍ତାନ-ସମ୍ଭବା ନ ହେବାରେ ତା’ର ଭୁଲ୍‌ କେଉଁଠି? ତା’ ମା’ ପ୍ରତି ପକ୍ଷପାତର ଯଦିବା ସେ ପ୍ରତିବାଦ କରିଥିବ, ସେତକ ଅଧିକାର କ’ଣ ତା’ର ନାହିଁ? ଗାଈ ବୋଲି ତାକୁ ଯଦି ଯୋଚା ନ ଯାଏ, ସେଥି ପାଇଁ କ’ଣ ସେ ଦୋଷୀ? ଖାଦ୍ୟ ପାଇବାରେ ନିରନ୍ତର ପକ୍ଷପାତର ଶିକାର ହେଲେ, ନିଜ ସାମର୍ଥ୍ୟରେ ଆହାର ଯୋଗାଡ଼ ସେ ନ କରିବ କେମିତି? ଭାଷା ବୋଇଲେ ତା’ ଠାରେ କେବଳ ‘ହମ୍ମା’ ରଡ଼ି; ନୋହିଲେ କେତେ କ’ଣ ସେ କହିଯାଆନ୍ତା! ମୁଁ ଯେଉଁ କଥାଗୁଡ଼ା ତା’ ସପକ୍ଷରେ ଭାବେ, ତା’ଠାରୁ ଅଧିକ ସ୍ପଷ୍ଟ ଓ ଶାଣିତ ଶବ୍ଦରେ! 
ଏମିତି ହୋଇ ଚମ୍ପା ଦିନେ ସକାଳେ ଗୁହାଳରୁ ଚରିବାକୁ ଗଲା ଯେ ଆଉ ଫେରିଲା ନାହିଁ। କିଏ କହିଲା, ଚୋରଣୀ କାଞ୍ଜି ହାଉସରେ ପଡ଼ିଯାଇଥିବ, ହେଲେ ମୋର ବିଶ୍ୱାସ ସେ ପ୍ରତିବାଦ କରି ଚାଲିଗଲା। ମୋର ମନ କଥାକୁ ସେ ବୋଧହୁଏ ପଢ଼ି ନେଲା! ତାକୁ କେହି ଆଦର ବି ତ କରୁ ନ ଥିଲେ। କେବଳ ମୋର ଆଦର ଟିକକରେ ସେ କେତେ ବା ହଟହଟା, ଅପମାନ ସହନ୍ତା? ସେ ଏମିତି ଚାଲିଗଲା ପରେ ମୋର ମନ ଦୁଃଖ ହେଲା, ହେଲେ ଏଣିକି ସେ ଆଉ କାହାରି ଆକଟରେ ରହିବନି, ନୂଆ ବସତିରେ ପେଟ ଭରି ଖାଇବ, ହଟହଟା ହେବନି- ଏହି ଆଶାରେ ଖୁସି ମଧ୍ୟ ଲାଗିଲା।
(ମତାମତ ଲେଖକଙ୍କ ନିଜସ୍ବ)
[email protected]

Read Entire Article
LEFT SIDEBAR AD

Hidden in mobile, Best for skyscrapers.