ARTICLE AD BOX
ସାମୁଦ୍ରିକ ଇତିହାସ ଗବେଷଣା କ୍ଷେତ୍ରରେ ଏକ ଚାଞ୍ଚଲ୍ୟକର ଆବିଷ୍କାର ହୋଇଛି। ତୁର୍କୀର ଭୂମଧ୍ୟସାଗରୀୟ ଉପକୂଳରୁ ପ୍ରତ୍ନତତ୍ତ୍ୱବିତ୍ମାନେ ପ୍ରାୟ ୪୭୦୦ ବର୍ଷ ପୁରୁଣା ଜାହାଜର କେତେକ ଭଙ୍ଗା ଅଂଶ ଠାବ କରିଛନ୍ତି। ତୁର୍କୀ ସଂସ୍କୃତି ମନ୍ତ୍ରାଳୟର ସୂଚନା ଅନୁସାରେ, ଦକ୍ଷିଣ ତୁର୍କୀ ଉପକୂଳର କେକୋଭା ଦ୍ୱୀପ ନିକଟରେ ପ୍ରାୟ ୧୦୦ ଫୁଟ ଗଭୀରରେ ମିଳିଥିବା ଏହି ଭଗ୍ନାବଶେଷର ଖନନ ବେଳେ ପ୍ରାଚୀନ ମାଟିପାତ୍ର ବା ଆମ୍ଫୋରା ଉଦ୍ଧାର କରାଯାଇଥିଲା। ଏହି ଆମ୍ଫୋରା ୪୪୦୦ରୁ ୪୭୦୦ ବର୍ଷ ପୂର୍ବର ଏବଂ ଏହା ସାମୁଦ୍ରିକ ଇତିହାସ, ନାବିକମାନଙ୍କ ଦୈନନ୍ଦିନ ଜୀବନ ଓ ସେତେବେଳକାର ବାଣିଜ୍ୟିକ କାରବାର ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା କୁହାଯାଇଛି। ସେହିପରି ଏହି ପାତ୍ରଗୁଡ଼ିକ ମୁଖ୍ୟତଃ ଅଲିଭ୍ ତେଲ କିମ୍ବା ମଦ୍ୟ ପରିବହନ ପାଇଁ ବ୍ୟବହୃତ ହେଉଥିବା ଅନୁମାନ କରାଯାଉଛି। ଆବିଷ୍କୃତ ଗୋଟିଏ ଆମ୍ଫୋରାରେ ଏକ ସ୍ୱତନ୍ତ୍ର ଚିହ୍ନ ଓ ଦୁଇଟି ଗାତ ରହିଛି, ଯାହା ସୂଚାଏ ଯେ ଏହା ଛେନା କିମ୍ବା ଲହୁଣି ତିଆରିରେ ବ୍ୟବହାର ହେଉଥାଇପାରେ। ଗବେଷକମାନଙ୍କ ସୂଚନା ଅନୁସାରେ, ଏହି ଆମ୍ଫୋରା ଆହୁରି ଦର୍ଶାଉଛି ଯେ ସେତେବେଳେ ନାବିକମାନେ ସେମାନଙ୍କ ଜଳଯାତ୍ରାରେ ସାଙ୍ଗରେ ଛେଳି ନେଇଯାଉଥିଲେ ଓ ଛେଳିକ୍ଷୀର ବ୍ୟବହାର କରି ବିଭିନ୍ନ କ୍ଷୀର ଉତ୍ପାଦ ତିଆରି କରୁଥିଲେ।
Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
ଏହି ଖନନର ନେତୃତ୍ବ ନେଇଥିବା ଆଣ୍ଟାଲିଆସ୍ଥିତ ଆକଡେନିଜ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ହାକାନ୍ ଓନିଜ୍ଙ୍କ କହିବା ଅନୁସାରେ, ଜାହାଜ ଭାଙ୍ଗିବା ସ୍ଥାନଟି ପ୍ରଥମେ ୪ ବର୍ଷ ତଳେ ଆବିଷ୍କୃତ ହୋଇଥିଲା। ସେତେବେଳେ ପ୍ରଥମେ ଆମ୍ଫୋରାଗୁଡ଼ିକୁ ନିକଟ ଅତୀତର ବୋଲି ମନେ କରାଯାଉଥିଲା। ହେଲେ ପରେ ଓନିଜ୍ ମିଶରର ଗୀଜା ପିରାମିଡ୍ ନିକଟରେ ମିଳିଥିବା ଆମ୍ଫୋରା ଉପରେ ଏକ ଲେଖା ପଢ଼ି ଏହାର ପ୍ରାଚୀନତା ବିଷୟରେ ଜାଣିଥିଲେ। ସେହିପରି ଜାହାଜ ଭାଙ୍ଗିଯାଇଥିବା ସ୍ଥାନରେ ଜାହାଜରେ ବ୍ୟବହୃତ ଲଙ୍ଗର୍ ସମେତ ଅନ୍ୟ କଳାକୃତି ମଧ୍ୟ ମିଳିଛି। ଏହି ସାମୁଦ୍ରିକ ଆବିଷ୍କାର କେବଳ ତୁର୍କୀ ନୁହେଁ, ସାରା ବିଶ୍ୱର ପ୍ରାଚୀନ ବାଣିଜ୍ୟ, ସମୁଦ୍ର ପଥ ଓ ମାନବ ସଭ୍ୟତାର ବିକାଶ ଉପରେ ଏକ ନୂଆ ଦିଗ ଦେଖାଇବ ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ ଆଶା ପ୍ରକାଶ କରିଛନ୍ତି।

59 minutes ago
1


