ARTICLE AD BOX
ଶେଷ ଶ୍ରାବଣର କାଉଁଳିଆ ଖରା କ୍ରମଶଃ ଟାଣ ହୋଇ ଆସୁଥିଲା। ଛୁଟିଦିନ ଥିବାରୁ ଭୁବନେଶ୍ୱର-ପୁରୀ ରାଜରାସ୍ତାରେ ଜନଗହଳି ବି ବଢ଼ି ଯାଇଥିଲା। ଶ୍ରାବଣର ସଜଳ ବଉଦ ଓ କଦମ୍ବ ପ୍ରସୂନର ମହକିତ ବାସ୍ନା ଭିତରେ ପୁରୀ-ବ୍ରହ୍ମଗିରି ରାସ୍ତାରେ ସୁନାମୁହିଁ, ବାଲି ହରଚଣ୍ଡୀ
/sambad/media/media_files/2026/09/02/dgdgagadgadga-2026-09-02-01-34-53.jpg)
ଧନଞ୍ଜୟ ସ୍ୱାଇଁ
ଶେଷ ଶ୍ରାବଣର କାଉଁଳିଆ ଖରା କ୍ରମଶଃ ଟାଣ ହୋଇ ଆସୁଥିଲା। ଛୁଟିଦିନ ଥିବାରୁ ଭୁବନେଶ୍ୱର-ପୁରୀ ରାଜରାସ୍ତାରେ ଜନଗହଳି ବି ବଢ଼ି ଯାଇଥିଲା। ଶ୍ରାବଣର ସଜଳ ବଉଦ ଓ କଦମ୍ବ ପ୍ରସୂନର ମହକିତ ବାସ୍ନା ଭିତରେ ପୁରୀ-ବ୍ରହ୍ମଗିରି ରାସ୍ତାରେ ସୁନାମୁହିଁ, ବାଲି ହରଚଣ୍ଡୀ, ମାଣିକପାଟଣା ଦେଇ ଗଲାବେଳେ ଗାଁ ମାନଙ୍କର ଝୁଲଣ ମଣ୍ଡପରୁ ପ୍ରାବୃଟ ରାସର ଲୀଳାମୃତ ପ୍ରତିଧ୍ୱନିତ ହେଉଥିଲା। ଶ୍ରାବଣ ମାସରେ ମାଣିକପାଟଣା ଗାଁର ପ୍ରସିଦ୍ଧ ଶୈବପୀଠ ‘ଭାବକୁଣ୍ଡଳେଶ୍ୱର’ ଦର୍ଶନ କରିବାପାଇଁ ସୁରଞ୍ଜନ ଏହି ଚିଲିକା କୂଳର ଗାଁରେ ପହଞ୍ଚିଥିଲେ। କେବଳ ସେତିକି ନୁହେଁ, ସୁରଞ୍ଜନ ଚାହିଁଥିଲେ ମାଣିକୀଆ ଗୋପାଳୁଣୀ କିଂବଦନ୍ତିର ଭୂମିର ଧୂଳି ଟିକେ ମଥାରେ ମାରିବା ପାଇଁ।
ତ୍ରୟୋଦଶ ଶତାବ୍ଦୀରେ ପୂର୍ବ ଗଙ୍ଗ ରାଜବଂଶ ସମୟରେ ନିର୍ମିତ ଶିବ ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ। ଏହା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଏକ ଭବ୍ୟ ରାଜ୍ୟ ସ୍ମାରକୀ ଓ ଏକ ସୁରକ୍ଷିତ ଐତିହ୍ୟ। ଶ୍ରୀରାମ ଭାବରେ କାନର କୁଣ୍ଡଳ ଦେଇ ଶିବଙ୍କୁ ତୁଷ୍ଟ କରିଥିବାରୁ ତାଙ୍କର ନାମ ଭାବକୁଣ୍ଡଳେଶ୍ୱର ବୋଲି କିଂବଦନ୍ତି କହେ। ଏହି ମନ୍ଦିର ପରିସରରେ ଶୋଭା ପାଉଛନ୍ତି ଶ୍ରୀଜଗନ୍ନାଥଙ୍କ ଦହି ଖିଆ ଓ ମାଣିକ ଗୋପାଳୁଣୀ ପ୍ରସଙ୍ଗକୁ ଅବତାରଣା କରୁଥିବା ତିନିଟି ସୁନ୍ଦର ମୂର୍ତ୍ତି। ସୁରଞ୍ଜନଙ୍କ କାନେର ପଡ଼ିଲା କେହି ଜଣେ ବୋଲୁଥିବା ‘କାଞ୍ଚିକାବେରୀ’ କାବ୍ୟରୁ ଉଦ୍ଧୃତ ପଦମାନ:
“କହ ଆଗୋ ଗୋପାଳୁଣୀ ତୁମ୍ଭ ନାମ କିସ
କେଉଁ ଗ୍ରାମ ଝିଅ ତୁମ୍ଭ ବିଭା କେଉଁ ଦେଶ।’’
ସୁରଞ୍ଜନ ତନ୍ମୟ ହୋଇ ଶୁଣୁଥିଲେ ଓ ଗୀତ ଲମ୍ବି ଚାଲିଥିଲା। ସୁରଞ୍ଜନ ପିଲାବେଳୁ ଜେଜେବାପା, ଜେଜେମାଆଙ୍କ ଠାରୁ ଶୁଣି ଆସିଥିଲେ କାଞ୍ଚି କାବେରୀ ଅଭିଯାନକୁ ନେଇ ସର୍ବଜନବିଦିତ ମନୋରମ କିଂବଦନ୍ତି; କିଭଳି ଗଜପତି ରାଜା ପୁରୁଷୋତ୍ତମ ଦେବାଙ୍କ ସହାୟତା ଲାଗି ବାହାରି ପଡ଼ିଥିଲେ ସ୍ବୟଂ ମହାପ୍ରଭୁ ବଳଭଦ୍ର ଓ ଜଗନ୍ନାଥ। ଏହି ଗାଁରେ ମାଣିକୀଆ ଗୋପାଳୁଣୀ ହାତରୁ ଦହି ଖାଇ ପଥ କ୍ଳାନ୍ତି ଅପନୋଦନ କରିଥିଲେ ମହାପ୍ରଭୁ। ପିଲାଦିନୁ ସୁରଞ୍ଜନଙ୍କ ଧାରଣା ରହି ଆସିଥିଲା ଯେ ମାଣିକପାଟଣା ହେଉଛି ଦୁଗ୍ଧ ଓ ଦହିର ଗାଁ। ଓଡ଼ିଶା ସରକାରଙ୍କ ପଶୁ ସମ୍ପଦ ବିଭାଗର ତଥ୍ୟ ଅନୁସାରେ ଚିଲିକା ହ୍ରଦ କୂଳରେ ଥିବା ମାଣିକପାଟଣା ଭଳି ଅଞ୍ଚଳରେ ଦେଖା ଯାଉଥିବା ସ୍ୱତନ୍ତ୍ର ପ୍ରଜାତିର ମଇଁଷି ହେଉଛନ୍ତି ଏଠାକାର ଦୁଗ୍ଧ ଓ ଦହିରୁ ମୁଖ୍ୟ ଉତ୍ସ; ଯେଉଁ ମଇଁଷିମାନଙ୍କୁ କୁହାଯାଏ ‘ଚିଲିକା ମଇଁଷି’। ଏମାନେ ଓଡ଼ିଶାର ସ୍ୱଦେଶୀ ପ୍ରଜାତି। ସ୍ଥାନୀୟ ଗୋପାଳମାନେ ଏହି ମଇଁଷିମାନଙ୍କୁ ଚିଲିକା କୂଳର ଖୋଲା ପରିବେଶରେ ରଖନ୍ତି। ଚିଲିକାର ଲୁଣି ପାଣିରେ ଏମାନେ ଘଣ୍ଟା ଘଣ୍ଟା ପହଁରିପାରନ୍ତି ଓ ଚିଲିକା ହ୍ରଦରେ ବୁଡ଼ି ରହିଥିବା ଜଳଜ ଉଦ୍ଭିଦ ଓ ଶୈବାଳ ଖାଇବାକୁ ଭଲ ପାଆନ୍ତି। ବଡ଼ କଥା ହେଲା, ଲୁଣି ପାଣି ପିଇ ଏମାନେ ବଞ୍ଚି ରହିପାରନ୍ତି। ଏମାନଙ୍କ କ୍ଷୀରରୁ ପ୍ରସ୍ତୁତ ଦହି ଓ ଖୋଆ ଖୁବ୍ ପ୍ରସିଦ୍ଧ। ଏମାନଙ୍କ ଦହି ସାଧାରଣ ତାପମାତ୍ରାରେ ମଧ୍ୟ ଅନେକ ଦିନ ଭଲ ରହିଥାଏ ବୋଲି କୁହାଯାଏ। ସୁରଞ୍ଜନ ସେ ଦିନ ମନେ ମନେ ରୋମାଞ୍ଚିତ ହୋଇ ଉଠୁଥିଲେ। କଳା-ଧଳା ଘୋଡ଼ାରେ ବସି ମହାପ୍ରଭୁ ଏଇଠି କୋଉଠି ଓହ୍ଲାଇ ଥିବେ ତ!
ଏବେ ଏହି ସ୍ଥାନୀୟ ଓ ପାରମ୍ପରିକ ଉତ୍ପାଦକୁ ‘ମାଣିକପାଟଣା ଦହି’ ରୂପେ ଜାତୀୟ ଓ ଆନ୍ତର୍ଜାତୀୟ ପରିଚିତି ଦେବାର ଉଦ୍ୟମ ଚାଲିଛି। ଏହାର ଭୌଗୋଳିକ ସୂଚକାଙ୍କ ବା ଜି.ଆଇ. ଟ୍ୟାଗ୍ ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। ସୁରଞ୍ଜନ ସେ ଦିନ ମାଣିକପାଟଣାର ଦହି ଆସ୍ବାଦନ କଲାବେଳେ ଏକ ଭିନ୍ନ ଅନୁଭବ ତାଙ୍କୁ ପୁଲକିତ କରୁଥିଲା। ନିଜ ଘରେ ନିଇତି ଖାଉଥିବା ବସା ଦହିରେ ମାଣିକପାଟଣାର ଅଂଶ କାହିଁ? କାହିଁ ସେ ସ୍ବାଦ ଓ ସୌରଭ ଯାହା କିଂବଦନ୍ତି ମାଧ୍ୟମରେ ଏକ ବ୍ରାଣ୍ଡ୍ରେ ପରିଣତ ହେବାକୁ ବସିଲାଣି। ଲେଉଟାଣି ବାଟରେ ବ୍ରହ୍ମପଡ଼ା ଦେଇ ଆସିଲା ବେଳେ ସୁରଞ୍ଜନଙ୍କ ମନେ ପଡୁଥିଲା ଜଣେ ଗୋପାଳ ଯୁବକଙ୍କ ଖୋଲା କଣ୍ଠରୁ ନିର୍ଗତ ହେଉଥିବା ଏହି ଗୀତ ପଦକ:
‘ମାଣିକପାଟଣା ଦହି ସେହି ଦିନୁଁ
ପ୍ରଖ୍ୟାତ ଏ ମର୍ତ୍ତ୍ୟେ ଜାଣ
ଧରି ଚାଲୁଣିରେ ନେଇ ଯେ ପାରିବ
ସାତକୋଶ ପରିମାଣ।’
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୦୦୬୩୬
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
3

