ARTICLE AD BOX
ୱେଲିଂଟନ୍: ଭାରତୀୟ ପୁରଷ ଦଳର କୋଚ୍ ଦାୟିତ୍ୱ ନେବା ପରଠୁ ହିଁ ଦଳ ଚୟନକୁ ନେଇ ସବୁବେଳେ ବିବାଦରେ ରହିଆସୁଛନ୍ତି ଗୌତମ ଗମ୍ଭୀର । ସେ ଏମିତି ଜଣେ କୋଚ୍, ଯିଏ ଲୋକପ୍ରିୟ ନିଷ୍ପତ୍ତି ଅପେକ୍ଷା ନିଜ ମତକୁ ଗୁରୁତ୍ୱ ଦିଅନ୍ତି । କିନ୍ତୁ ୱେଲିଂଟନ୍ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ ଇଲେଭେନ୍ରୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ ସେ ଏବେ ବିବାଦରେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବୋଲରମାନେ ପ୍ରଥମେ ଦବଦବା ଦେଖାଇଥିଲେ, କିନ୍ତୁ ପରେ ମ୍ୟାଚ୍ର ନିୟନ୍ତ୍ରଣ ହାତଛଡ଼ା ହେବାକୁ ଲାଗିଲା । ଏହି ସମୟରେ ସିରାଜଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ୍ ଜଗତର ଅନେକ ମହାରଥୀ ।
ନ୍ୟୁଜିଲାଣ୍ତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରୁ ଦ୍ରୁତ ବୋଲରଙ୍କୁ ସହାୟତା ମିଳୁଥିଲା । ତଥାପି ଭାରତ ଚାରି ଜଣ ସ୍ପେଶାଲିଷ୍ଟ ଫାଷ୍ଟ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ଜସପ୍ରୀତ ବୁମ୍ରା, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ ଓ ଅଂଶୁଲ କାମ୍ବୋଜଙ୍କୁ ସୁଯୋଗ ମିଳିଥିବା ବେଳେ ସିରାଜ ବାହାରେ ବସିଥିଲେ । ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯେଉଁ ବୋଲରଙ୍କ ଉପରେ ଭାରତ ଦୀର୍ଘ ସମୟ ଧରି ଭରସା କରିଆସିଛି, ହଠାତ୍ ସେ କିପରି ଦଳର ଶ୍ରେଷ୍ଠ ଚାରି ବୋଲରଙ୍କ ମଧ୍ୟରେ ରହିଲେ ନାହିଁ, ତାହା ବୁଝିବା କଷ୍ଟକର ।
ୱେଲିଂଟନ୍ ଟେଷ୍ଟର ପ୍ରଥମ ଦିନ ଭାରତ ପାଇଁ ଆରମ୍ଭ ଭଲ ଥିଲା । ବୁମ୍ରା ନୂଆ ବଲ୍ରେ ଚମତ୍କାର ବୋଲିଂ କରିଥିଲେ । କାମ୍ବୋଜ ମଧ୍ୟ ପ୍ରଭାବ ପକାଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ମାତ୍ର ୭୦ ରନ୍ରେ ୫ଟି ୱିକେଟ୍ ହରାଇଥିଲା । କିନ୍ତୁ ଏହା ପରେ ହେନରୀ ନିକୋଲ୍ସ ଓ ଗ୍ଲେନ୍ ଫିଲିପ୍ସ ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ । ଦୁହେଁ ଷଷ୍ଠ ୱିକେଟ୍ ପାଇଁ ଅବିଭାଜିତ ୧୭୩ ରନ୍ର ଭାଗୀଦାରି କରିଥିଲେ । ଭାରତ ୫୩.୪ ଓଭର ଧରି ଆଉ କୌଣସି ୱିକେଟ୍ ନେଇପାରିନଥିଲା । ଦିନ ଶେଷରେ ନ୍ୟୁଜିଲାଣ୍ଡର ସ୍କୋର ଥିଲା ୫ ୱିକେଟ୍ରେ ୨୪୩ ରନ୍ । ଏହି ପର୍ଯ୍ୟାୟରେ ଭାରତକୁ ଜଣେ ଅଭିଜ୍ଞ ବୋଲରଙ୍କ ଆବଶ୍ୟକତା ଥିଲା ବୋଲି ସମାଲୋଚକଙ୍କ ମତ । ସିରାଜ ଥିଲେ ଏହି ଚାପ ସୃଷ୍ଟି କରିବାରେ ସହାୟକ ହୋଇପାରିଥାନ୍ତେ ବୋଲି ଚର୍ଚ୍ଚା ହେଉଛି ।
ପୂର୍ବତନ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ସାଇମନ୍ ଡୁଲ୍ ମଧ୍ୟ ସିରାଜଙ୍କୁ ବାଦ୍ ଦେବା ନିଷ୍ପତ୍ତିକୁ ଠିକ୍ ବୋଲି ମାନିନାହାନ୍ତି । ତାଙ୍କ କହିବା ଅନୁସାରେ, ଦିନିକିଆ ସିରିଜ୍ରେ ସିରାଜଙ୍କୁ ନିୟମିତ ସୁଯୋଗ ନମିଳିବାରୁ ଟେଷ୍ଟରେ ମଧ୍ୟ ସେ ଖେଳିବେ ନାହିଁ ବୋଲି ଆଶଙ୍କା ଥିଲା । କିନ୍ତୁ ଏହା ଠିକ୍ ନିଷ୍ପତ୍ତି ନୁହେଁ ବୋଲି ସେ କହିଛନ୍ତି ।
ସିରାଜ ଶେଷ ୧୨ଟି ଟେଷ୍ଟରେ ସେ ମାତ୍ର ୧୪ଟି ୱିକେଟ୍ ନେଇଛନ୍ତି । ଅନ୍ୟପଟେ SENA ଦେଶଗୁଡ଼ିକରେ ଟେଷ୍ଟ ଖେଳି ସେ ୯୧ଟି ୱିକେଟ୍ ନେଇଛନ୍ତି । ଏହି ଦେଶଗୁଡ଼ିକରେ ଭାରତୀୟ ବୋଲରଙ୍କ ମଧ୍ୟରେ କେବଳ ବୁମ୍ରାଙ୍କ ୱିକେଟ୍ ସଂଖ୍ୟା ତାଙ୍କଠାରୁ ଅଧିକ । ଭାରତର ବ୍ୟାଟିଂ କୋଚ୍ ସିତାଂଶୁ କୋଟକ୍ କିନ୍ତୁ ଚୟନ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ତାଙ୍କ କହିବା ଅନୁସାରେ, ସିରାଜଙ୍କ ସହ କୌଣସି ସମସ୍ୟା ନାହିଁ । ପାଞ୍ଚ ଦିନର ଟେଷ୍ଟକୁ ଦୃଷ୍ଟିରେ ରଖି ଦଳର ସବୁଠୁ ଭଲ ସଂଯୋଜନ ବାଛିଥିଲେ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ । ତାଙ୍କ ମତରେ, କେବଳ ପ୍ରଥମ ଦିନର ପରିସ୍ଥିତି ଦେଖି ଟେଷ୍ଟ ଦଳ ବଛାଯାଏ ନାହିଁ । ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଦିନର ଆବଶ୍ୟକତାକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼େ ।
ସିରାଜଙ୍କୁ ବାଦ୍ ଦେବା ନିଷ୍ପତ୍ତି ଠିକ୍ ଥିଲା କି ନାହିଁ, ଏହା ନେଇ ଆଲୋଚନା ଜାରି ରହିବ । ଗମ୍ଭୀରଙ୍କ ନିଷ୍ପତ୍ତିକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ, ଏହା ରଣନୀତି ଥିଲା, ନା ଏକ ବଡ଼ ଭୁଲ୍ ?

3 hours ago
3


