ARTICLE AD BOX
ଗଜପତି: ଗାଁକୁ ରାସ୍ତା ନାହିଁ। ଫଳରେ ରୋଗୀଙ୍କୁ ଆଜି ବି ଖଟିଆରେ ନେବାକୁ ପଡୁଛି। ଗଜପତିର ରା.ଉଦୟଗିରି ବ୍ଲକ ବସ୍ତ୍ରୀଗୁଡା ପଞ୍ଚାୟତ ଅନ୍ତର୍ଗତ ଅଞ୍ଜେଇକୋଣ ଗ୍ରାମରୁ ପୁଣି ସାମ୍ନାକୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ। ଗାଁକୁ ଯିବା ପାଇଁ ଯାତାୟାତ ଉପଯୋଗୀ ରାସ୍ତା ନଥିବାରୁ ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ରାସ୍ତା ସମସ୍ୟାରେ ସମ୍ମୁଖୀନ ହେଉଥିବା ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବର୍ଷାଦିନେ ଆହୁରି ବଢ଼ିଯାଏ। ରାସ୍ତା ଅବସ୍ଥା ଏପରି ହୋଇପଡ଼ିଛି ଯେ, ଜରୁରୀ ସମୟରେ ଆମ୍ବୁଲାନ୍ସ ଭଳି ଯାନ ଗାଁ ଭିତରକୁ ପହଞ୍ଚିବା ମଧ୍ୟ କଷ୍ଟକର। ଫଳରେ ଅସୁସ୍ଥ ବ୍ୟକ୍ତିଙ୍କୁ ଖଟିଆ କିମ୍ବା ଅନ୍ୟ ଉପାୟରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହିବୋହି ନେବାକୁ ପଡୁଛି।
ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି, ’ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ। ନିର୍ବାଚନ ସମୟରେ ନେତାମାନେ ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ପରେ ସେସବୁକୁ ଭୁଲିଯାଉଛନ୍ତି। ପ୍ରଶାସନ ମଧ୍ୟ ଏ ଦିଗରେ ଦୃଷ୍ଟି ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ପାଇଁ ରାସ୍ତା କେବଳ ଯାତାୟାତର ସୁବିଧା ନୁହେଁ, ଏହା ସେମାନଙ୍କ ଜୀବନର ଆବଶ୍ୟକତା। ରୋଗୀଙ୍କୁ ବାରମ୍ବାର ବୋହିବୋହି ନେବାକୁ ପଡୁଛି। ଆଉ କେତେଦିନ ଏଭଳି ଦୁର୍ଦ୍ଦଶା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି? ଏଥର ରାସ୍ତା ନିର୍ମାଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।’

1 hour ago
1


