ARTICLE AD BOX
ଭୁବନେଶ୍ବର (କ୍ଷିତୀଶ ରାୟ): ଚଳିତ ମୌସୁମୀ ଋତୁରେ ରାଜ୍ୟରେ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟର ସର୍ବାଧିକ ସାପ କାମୁଡ଼ା ଜିଲ୍ଲା ଓ ବ୍ଳକ୍କୁ ଚିହ୍ନଟ କରିବା ସହ ଯଥେଷ୍ଟ ସଂଖ୍ୟକ ସାପ କାମୁଡ଼ା ଇଞ୍ଜେକସନ୍ ଓ ଜରୁରି ଔଷଧ ମହଜୁଦ ରଖିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ହେଲେ ସ୍ବାସ୍ଥ୍ୟ ବିଭାଗର ଏହି ଲକ୍ଷ୍ୟଟି ଯେମିତି ଲକ୍ଷ୍ୟହୀନ ହୋଇଯାଇଛି। ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ ହେଉଛି। ଏମିତିକି ଚଳିତ ସପ୍ତାହରେ ଗୋଟିଏ ଦିନରେ ସାପ କାମୁଡ଼ାରେ ୬ଜଣଙ୍କର ମୃତ୍ୟୁ ହୋଇଛି। ତେଣୁ ଶୂନ ସାପ କାମୁଡ଼ା ପାଇଁ ସବୁ ଜିଲ୍ଲାମାନେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ଧୂଆଁବାଣ ଥିଲା ବୋଲି ସ୍ପଷ୍ଟ ହୋଇଛି।
Raksha Bandhan 2026: ଶ୍ରୀ ଜଗନ୍ନାଥଙ୍କୁ ରାଖୀ ବାନ୍ଧିଲେ ୨୦୦୦ରୁ ଅଧିକ ମହିଳା
ମୌସୁମୀ ଋତୁ ଆରମ୍ଭ ପୂର୍ବରୁ ଗତ ଜୁନ୍ ୨୨ ତାରିଖରେ ସ୍ବାସ୍ଥ୍ୟ ବିଭାଗରେ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡାଇରିଆ (ଏଡିଡି), କଲେରା, ମ୍ୟାଲେରିଆ, ଡେଙ୍ଗୁ, ଚିକନ୍ଗୁନିଆ, ଜାପାନିଜ୍ ଏନ୍ସେଫାଲାଇଟିସ୍, ସ୍କ୍ରବ୍ ଟାଇଫସ୍, ଲେପ୍ଟୋସ୍ପିରୋସିସ୍, ହେପାଟାଇଟିସ୍, ଆଇଏଲ୍ଆଇ-ଏସ୍ଏଆରଆଇ ଓ ସାପ କାମୁଡ଼ା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଚଳିତ ମୌସୁମୀରେ ଶୂନ ସାପ କାମୁଡ଼ା ମୃତ୍ୟୁ ଓ ଡାଇରିଆମୁକ୍ତ ଗାଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯେହେତୁ ସାପ କାମୁଡ଼ାଜନିତ ମାମଲାରେ ଓଡ଼ିଶା ଦେଶର ପ୍ରଥମ ୫ଟି ରାଜ୍ୟ ଭିତରେ ରହିଛି ତେଣୁ ଏହା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ମାତ୍ର ମୌସୁମୀ ବର୍ଷା ଶେଷ ହୋଇନାହିଁ, ରାଜ୍ୟରେ ପ୍ରତିଦିନ ସାପ କାମୁଡ଼ାରେ ଲୋକଙ୍କ ଜୀବନ ଯାଉଛି। କେଉଁଠି ବାପାମାଆଙ୍କ ସହ ଶୋଇଥିବା ଶିଶୁଟି ସାପ କାମୁଡ଼ାରେ ପ୍ରାଣ ହରାଇଲାଣି ତ ଆଉ କେଉଁଠି ସ୍କୁଲରେ ସାପ କାମୁଡ଼ିବା ଯୋଗୁଁ ଛାତ୍ରଙ୍କ ଜୀବନ ଗଲାଣି। ନବରଙ୍ଗପୁରରେ ସାପ କାମୁଡ଼ାରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ସୁଦ୍ଧା ୩ ଶହ ମୃତ୍ୟୁ
ଚଳିତ ବନ୍ୟାରେ ୨୪୫ ଜଣଙ୍କୁ କାମୁଡ଼ିଲାଣି
ଏହାସହ ଚଳିତବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ବର୍ଷା ଏଥିରେ ଦାଉ ସାଜିଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, କେବଳ ବନ୍ୟାରେ ବିଭିନ୍ନ ଜିଲ୍ଲାରେ ୨୪୫ ଜଣଙ୍କୁ ସାପ କାମୁଡ଼ିଛି। ଭଦ୍ରକରେ ସର୍ବାଧିକ ୭୧, ଯାଜପୁର ୫୯, ଜଗତସିଂହପୁରରେ ୫୬ ଜଣଙ୍କ ସାପ କାମୁଡ଼ା ରେକର୍ଡ ରଖିଛନ୍ତି ସରକାର। ସାପ କାମୁଡ଼ା ମୃତ୍ୟୁକୁ ୨୦୧୫ ମସିହାରେ ରାଜ୍ୟ ସରକାର ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ଏଥିରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉଛି। ରାଜ୍ୟ ଏସ୍ଆରସି କାର୍ଯ୍ୟାଳୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଏ ପର୍ଯ୍ୟନ୍ତ ୨୭୫ ଜଣଙ୍କର ସାପକାମୁଡ଼ାରେ ମୃତ୍ୟୁ ହୋଇଛି। ସାଧାରଣ ଭାବେ ମେ’ରୁ ଅକ୍ଟୋବର ମାସ ଭିତରେ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁ ନଜରକୁ ଆସିଥାଏ। ଏ ଦୃଷ୍ଟିରୁ ଚଳିତବର୍ଷ ସାପ କାମୁଡ଼ା ମୃତ୍ୟୁ ପୂର୍ବବର୍ଷ ତୁଳନାରେ ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ
ଅପରପକ୍ଷରେ ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁକୁ କମାଇବା ଲାଗି ପୀଡ଼ିତଙ୍କ ପାଇଁ ଏକ ହାଲୁକା ଷ୍ଟ୍ରେଚର୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା। ସାପ କାମୁଡ଼ା ରୋଗୀଙ୍କୁ ଚଲାବୁଲା ବାରଣ ଥିବାରୁ ଏହି ଷ୍ଟ୍ରେଚର୍ ବେଶ୍ ସହାୟକ ହେବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଷ୍ଟ୍ରେଚର୍ ରଖିବା ଲାଗି ୨୦୨୨ ମସିହାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏହା ଭିତରେ ୪ ବର୍ଷ ବିତିବାକୁ ବସିଲାଣି, ଷ୍ଟ୍ରେଚର୍ ବ୍ୟବସ୍ଥା ହୋଇପାରିଲା ନାହିଁ। ସରକାର ବଦଳିବା ପରେ ଏହି ଯୋଜନାଟି ମଧ୍ୟ ବଦଳିଯାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ରବୀନ୍ଦ୍ରନାଥ ମିଶ୍ରଙ୍କୁ ଶୂନ ସାପ କାମୁଡ଼ା ଲକ୍ଷ୍ୟ ନେଇ ଯୋଗାଯୋଗ କରାଯାଇଥିଲେ ହେଁ ଉତ୍ତର ମିଳିନଥିଲା।

1 hour ago
1


