Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ

5 hours ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲାବ୍ୟାପୀ ମଦ ବନ୍ଦ ଆନ୍ଦୋଳନ ଏବେ ଗାଁରେ ଜାରି ରହିଛି। ଖରିଫ ଚାଷ ପାଇଁ ଧାନ ରୁଆ, ତଳିରୁ ଘାସ ବଚ୍ଛା ଆଦି କୃଷି କାର୍ଯ୍ୟରେ ମହିଳାମାନେ ଦିନ ତମାମ ସାମିଲ ରହୁଛନ୍ତି। 

ତେବେ ସଂଧ୍ୟା ହେବା ମାତ୍ରକେ ପୁଣି ମହିଳାମାନେ ସଂଗଠିତ ହୋଇ ହାତରେ ଲାଟି ଧରି ଗାଁର ଆନ୍ଧାରର ବୁକୁ ଚିରି ମଦୁଆ ଧରା ଅଭିଯାନକୁ ଜୋର କରିଛନ୍ତି। ପ୍ରଥମେ ମଦୁଆଙ୍କୁ ଧରି ବିଦ୍ୟୁତ ଖୁଣ୍ଟରେ ବାନ୍ଦୁଛନ୍ତି। ସେମାନେ କେଉଁ ମଦ ବେପାରୀଙ୍କ ଘରୁ ମଦ ପିଇକି ଆସିଲେ ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। ତା ସହ ମଦୁଆ ମାନଙ୍କୁ ସଚେତନ କରିବାକୁ ବି ଚେଷ୍ଟା କରୁଥିବା ଭିଡିଓ ଭାଇରାଲ ହୋଇଛି। ପାତ୍ରପୁଟ, ଝରିଗୁମ୍ମା, ଉସିଗାଁ, ଅଁଳାଭଟା, ସିରସି ସହ ଜିଲ୍ଲାର ବିଭିନ୍ନ ଗାଁରେ ଏହି ଧାରା‌କୁ ଜାରି ରଖିଛନ୍ତି ମହିଳା। 

ମଦ ବେପାରୀଙ୍କ ଘର ଚିହ୍ନଟ ପରେ ଅବକାରୀ ଓ ପୁଲିସ ବିଭାଗକୁ ବି ସୂଚନା ଦେଉଛନ୍ତି। ଉଭୟ ବିଳମ୍ବ କଲେ ବେପାରୀଙ୍କୁ ସବୁ ମଦ ବାହାରକୁ ବାହାର କରିବାକୁ ବାଧ୍ୟ କରି ନଷ୍ଟ ବି କରୁଥିବା ଦେଖିବାକୁ ମିଳିଛି। ମଦ ବନ୍ଦ ଆନ୍ଦୋଳନକୁ ନେଇ ଗାଁ ଗହଳିରେ ମଦୁଆ, ମଦବେପାରୀମାନେ ମହିଳାଙ୍କ ଉପରେ ପ୍ରବଳ ରାଗରେ ଗାଳି ଗୂଳଜ ବି କରୁଛନ୍ତି। 

Loot: କଟକରେ ଚାଞ୍ଚଲ୍ୟ: ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟିନେଲେ ୬ ଲୁଟେରା

ତେବେ ସବୁକୁ ସହି ମହିଳାମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ଏହି ବିଷାକ୍ତ ମଦ ପାଇଁ ନିଜ ପରିବାର ଚାରଖାର ହେଉଛି, ଜଣକ ଲାଗି ପୁରା ପରିବାର ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି ତାହାକୁ ବି ଆନ୍ଦୋଳନର ନେତୃତ୍ବ ନେଉଥିବା ମହିଳା ମାନେ ବୁଝାଉଛନ୍ତି। କିଛି ମହିଳାମାନେ ବିଷାକ୍ତ ମଦ ଯୋଗୁଁ ଅକାଳରେ ନିଜ ସ୍ବାମୀ, ପୁଅକୁ ହରାଇବା ସମ୍ପର୍କରେ ବି ମଦୁଆ ମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। 

ପରମ୍ପରା ନାଁରେ ଆମକୁ ଆଉ ବିଷ ଦିଅ ନାହିଁ , ଆମକୁ ଆମ ଅଧିକାର ସହ ବଂଚିବାକୁ ଦିଅ ବୋଲି ବି ଏହି ମହିଳା ମାନେ ମଦୁଆ ଓ ମଦ ବେପାରୀଙ୍କୁ କହୁଥିବା ଭିଡିଓ ବି ଭାଇରାଲ ହୋଇଛି। ରାଜ୍ୟ ସରକାର ଏହାରି ମଧ୍ୟରେ ନିଶାମୁକ୍ତ ଓଡିଶା ଗଠନ କରିବାକୁ ଯୋଜନା କରୁଥିବା ବେଳେ ତାହା ଭଲ ଭାବେ ଲାଗୁ ହେଲେ ନିଶ୍ଚିତରୁପେ ନବରଙ୍ଗପୁର ଜିଲ୍ଲାପାଇଁ ଫଳପ୍ରଦ ହୋଇ ପାରିବ ବୋଲି ମଦ ବନ୍ଦ ଆନ୍ଦୋଳନରେ ସାମିଲ ଥିବା ସିରସିର ବୈଦି ଭତ୍ରା କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.