ARTICLE AD BOX
କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବାର ଦୁଇମାସ ପରେ ମଧ୍ୟ ବିଜେପି ସରକାର ସବୁ ସ୍ଥାନରେ ବଟି ଆଦାୟ ବନ୍ଦ କରିପାରି ନାହାନ୍ତି। ଏପରିକି ନିଜ ଦଳର କିଛି ଲୋକଙ୍କ ମଧ୍ୟରେ ସେହି ପୁରୁଣା ପ୍ରବୃତ୍ତି ଦେଖାଦେଇଛି ବୋଲି ପଶ୍ଚିମବଙ୍ଗ ବିଜେପି ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ସ୍ବୀକାର କରିଛନ୍ତି। ଶନିବାର କୋଲକାତା ଉପକଣ୍ଠ ରାଜାରହାଟସ୍ଥିତ ଆଇଆଇଟି ଖଡ଼ଗପୁର ରିସର୍ଚ୍ଚ ପାର୍କରେ ଆୟୋଜିତ ‘ଉଦ୍ୟମୀ ସମାଗମ’ରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଆହୁରି ପଢନ୍ତୁ : Nabarangpur Bus Stand ସରକାର ବଦଳିଲା, ୫୮ଲକ୍ଷ ଟଙ୍କାର ନବରଙ୍ଗପୁର ବସ୍ଷ୍ଟାଣ୍ଡ୍ ଧୂଳିରେ ମିଶିଲା
ଭଟ୍ଟାଚାର୍ଯ୍ୟ କହିଛନ୍ତି, କ୍ଷମତା ପରିବର୍ତ୍ତନହେବାମାତ୍ରେ ସବୁକିଛି ବଦଳିଯାଇ ନାହିଁ। ଦଳ ପକ୍ଷରୁ ସବୁ ସ୍ଥାନରୁ ବଟି ଆଦାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ଦାବି କଲେ ତାହା ମିଥ୍ୟା ହେବ। ସିଣ୍ଡିକେଟ୍ ମାଧ୍ୟମରେ ସହଜରେ ଅର୍ଥ ରୋଜଗାର କରିବା ବ୍ୟବସ୍ଥା ସହ କିଛି ଲୋକ ଅଭ୍ୟସ୍ତ ହୋଇଯାଇଥିଲେ। କ୍ଷମତା ପରିବର୍ତ୍ତନର ଚାରିଘଣ୍ଟା ମଧ୍ୟରେ ସେମାନଙ୍କ ମଧ୍ୟରୁ କେତେକ ଶାସକ ଦଳରେ ଯୋଗଦେଇ ଥିବାବେଳେ ଅନ୍ୟ କେତେକଙ୍କ ମନରେ ଥିବା ଆକାଂକ୍ଷା ଏବେ ପ୍ରକାଶ ପାଉଛି। ଦଳ ଭିତରେ ଏପରି ପ୍ରବୃତ୍ତି ଉପରେ ନିୟନ୍ତ୍ରଣ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ କଠୋର ଉଦ୍ୟମ କରୁଛନ୍ତି।
ଆହୁରି ପଢନ୍ତୁ : UPI Transactions: ରେକର୍ଡ ୨୩୬୬ କୋଟି ଟଙ୍କା ୟୁପିଆଇ କାରବାର
ଦଳୀୟ ପତାକା ଧରି କିଛି କର୍ମୀ ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟବସାୟ ସମେତ ପ୍ରତ୍ୟେକ କ୍ଷେତ୍ରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି। ରାଜ୍ୟରୁ ପୁଞ୍ଜି ପଳାୟନ ରୋକିବା ଏବଂ ନିବେଶ ଆକୃଷ୍ଟ କରିବାକୁ ହେଲେ ବ୍ୟବସାୟଠାରୁ ଦଳୀୟ ରାଜନୀତିକୁ ଦୂରେଇ ରଖିବାକୁ ହେବ। ବିଜେପି ସରକାରତ୍ରୁଟିମୁକ୍ତ ବ୍ୟବସାୟିକ ପରିବେଶ ଦେଇପାରି ନ ଥିଲେ ମଧ୍ୟ ଅନେକାଂଶରେ ଭୟମୁକ୍ତ ନିବେଶ ପରିବେଶ ସୃଷ୍ଟି କରିଛନ୍ତି। ଏବେ ଉଦ୍ୟୋଗୀମାନେ ନିଜ ଇଚ୍ଛାରେ ଇଟା, ସିମେଣ୍ଟ ଓ ବାଲି କିଣିପାରିବେ। ବିରୋଧୀ ନେତାମାନଙ୍କ ଉପରକୁ ଅଣ୍ଡା ଫିଙ୍ଗୁଥିବା ଦଳୀୟ କର୍ମୀ, ସମର୍ଥକ ଓ ନବାଗତ ନେତାଙ୍କୁ ମଧ୍ୟ ସେ ସତର୍କ କରାଇଛନ୍ତି। ଆଜି ଯେଉଁ ଅଣ୍ଡା ବିରୋଧୀଙ୍କ ଉପରେ ପଡ଼ୁଛି, ତାହା କାଲି ଦିଗ ବଦଳାଇ ନିଜ ଆଡ଼କୁ ଆସିପାରେ ବୋଲି ସେ କହିଛନ୍ତି।

1 hour ago
1


