ARTICLE AD BOX
ଅନୁଭବ ହେଲାଣି ଶୀତ। ଏହି ଋତୁରେ ସାଧାରଣତଃ ଦିନ ଛୋଟ ଓ ରାତି ବଡ଼ ହୋଇଥାଏ। ଏହା ସହ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଥାଏ। ବିଶେଷ କରି ଅନେକଙ୍କ ଖାଦ୍ୟପେୟରେ ପରିବର୍ତ୍ତନ ଦେଖାଦିଏ। ଗରମାଗରମ ପରଟା, ପକୋଡ଼ି, ହାଲୱା ଓ ଚା' କଫି ପିଇବାକୁ ଅଧିକ ଇଚ୍ଛା ହୁଏ। ଖାଇବାର କିଛି ସମୟ ପରେ ପୁଣି ଭୋକ ଲାଗିଥାଏ। ଏହା ପାଇଁ ଥଣ୍ଡା ପାଗ ସହ ଶରୀରରେ ହେଉଥିବା ହରମୋନ୍ ପରିବର୍ତ୍ତନ, କମ୍ ସୂର୍ଯ୍ୟକିରଣ ଓ ଜୀବନଶୈଳୀର ପରିବର୍ତ୍ତନ ଦାୟୀ।
ଶରୀରରେ ଭୋକ ନିୟନ୍ତ୍ରଣ ପାଇଁ ଘ୍ରେଲିନ୍ ଓ ଲେପ୍ଟିନ୍ ନାମକ ଦୁଇଟି ହରମୋନ୍ କାମ କରିଥାଏ। ଘ୍ରେଲିନ୍ ମସ୍ତିଷ୍କକୁ ଭୋକ ଲାଗିବାର ସଙ୍କେତ ଦିଏ, ଅନ୍ୟପକ୍ଷରେ ଲେପ୍ଟିନ୍ ପେଟ ପୂରିଯାଇଥିବାର ସୂଚନା ଦିଏ। ଶୀତଦିନେ ନିଦ୍ରା ଓ ଦୈନନ୍ଦିନ ଅଭ୍ୟାସରେ ପରିବର୍ତ୍ତନ ହେଲେ ଏହି ହରମୋନ୍ର କାର୍ଯ୍ୟ ପ୍ରଭାବିତ ହୋଇଥାଏ। ଫଳରେ ବାରମ୍ବାର ଭୋକ ଲାଗିଥାଏ।
ଧୀରେ ଧୀରେ ଓଜନ ବୃଦ୍ଧି
ଏହି ଋତୁରେ ଦିନ ଛୋଟ ହେବା ସହ ସୂର୍ଯ୍ୟକିରଣ କମ୍ ମିଳିଥାଏ। ଏହା ଶରୀରର ଜୈବିକ କାର୍ଯ୍ୟକୁ ପ୍ରଭାବିତ କରିଥାଏ। କମ୍ ଆଲୋକ ଯୋଗୁଁ ସେରୋଟୋନିନ୍ ଓ ମେଲାଟୋନିନ୍ରେ ପରିବର୍ତ୍ତନ ଆସିପାରେ। ଫଳରେ ମିଠା, କାର୍ବୋହାଇଡ୍ରେଟ୍ ଓ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ବଢ଼ିଥାଏ। ଶୀତଦିନେ ଶରୀରର ସାଧାରଣ ତାପମାତ୍ରା ବଜାୟ ରଖିବାକୁ ଶକ୍ତି ଖର୍ଚ୍ଚ ହୁଏ। ତେଣୁ ଅନେକେ ଅଧିକ ଶକ୍ତି ଦେଉଥିବା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ସେପଟେ ଥଣ୍ଡା ଯୋଗୁଁ ସକାଳୁ ଚାଲିବା ଓ ବ୍ୟାୟାମ କରିବା କମିଯାଏ। ଫଳରେ ଖାଦ୍ୟରୁ ମିଳୁଥିବା କ୍ୟାଲୋରି ଖର୍ଚ୍ଚ ନହୋଇ ଶରୀରରେ ଜମା ହୁଏ। ଏହା ଧୀରେ ଧୀରେ ଓଜନ ବୃଦ୍ଧିର କାରଣ ହୋଇଥାଏ।
Google Doctor Effect: ଗୁଗୁଲ୍ ଡାକ୍ତର ଇଫେକ୍ଟ: ଅନ୍ଲାଇନ୍ ସ୍ୱାସ୍ଥ୍ୟ ସର୍ଚ୍ଚ କରିବା ବିପଦ ହୋଇପାରେ
ତେବେ ଶୀତଦିନେ ଭୋକ ଓ ଓଜନ ନିୟନ୍ତ୍ରଣ ପାଇଁ ଖାଦ୍ୟରେ ଡାଲି, ପନିର, ଅଣ୍ଡା, ଫଳ ଓ ପନିପରିବା ସାମିଲ କରନ୍ତୁ। ଘରେ ଯୋଗ ଓ ହାଲୁକା ବ୍ୟାୟାମ କରନ୍ତୁ। ଶୋଷ କମ୍ ଲାଗିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଏଥିସହ ମିଠା ଓ ତେଲଛଣା ଖାଦ୍ୟ ସୀମିତ ଖାଇବା ସହ ନିୟମିତ ସମୟରେ ଶୋଇବା ଓ ଖାଇବା ଅଭ୍ୟାସ କରନ୍ତୁ।

16 minutes ago
1


