ARTICLE AD BOX
ଭୁବନେଶ୍ବର (କ୍ଷିତୀଶ ରାୟ): କେବଳ ଶୁଦ୍ଧ ଶାକାହାରୀ ଭୋଜନ କରୁଥିବା ବ୍ୟକ୍ତିଙ୍କ ପାଇଁ ଖରାପ ଖବର। ଖୁବ କମ୍ ଆମିଷ ସେବନ କରୁଥିବା ଲୋକଙ୍କଠାରେ ଭିଟାମିନ୍ ବି-୧୨ର ବଡ଼ ଅଭାବ ଦେଖିବାକୁ ମିଳୁଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର) ଦ୍ୱାରା ହୋଇଥିବା ଜାତୀୟ ସର୍ବେକ୍ଷଣ ଅନୁଯାୟୀ, ଦେଶରେ ପ୍ରତି ୩ ଜଣ କିଶୋରଙ୍କ ମଧ୍ୟରୁ ଦୁଇଜଣ ଓ ପ୍ରତି ୧୦ ଜଣ ପ୍ରାପ୍ତବୟସ୍କ ପୁରୁଷଙ୍କ ମଧ୍ୟରୁ ୬ ଜଣଙ୍କ ଶରୀରରେ ଭିଟାମିନ୍ ବି-୧୨ର ଅଭାବ ରହିଛି। ଭିଟାମିନ୍ ବି-୧୨ର ଅଭାବ କାରଣରୁ ମେଗାଲୋବ୍ଲାଷ୍ଟିକ୍ ରକ୍ତହୀନତା ହୋଇଥାଏ। ଦୀର୍ଘ ଦିନ ଧରି ଏହାର ଅଭାବ ରହିଲେ ସ୍ନାୟୁଗତ ଜଟିଳତା, ଶାରୀରିକ ତଥା ମାନସିକ ବିକାଶରେ ବାଧା ସୃଷ୍ଟି ହୋଇପାରେ। ତେଣୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଓ ଆବଶ୍ୟକସ୍ଥଳେ ଡାକ୍ତରୀ ପରାମର୍ଶ ନେବା ଜରୁରି।
Income Tax: ଆୟକର ବିଭାଗର ଟିକସଦାତା ହବ୍-୨୦୨୬ ଆରମ୍ଭ
୨୦୨୩ରୁ ୨୦୨୫ ମସିହା ମଧ୍ୟରେ ଆଇସିଏମ୍ଆର-ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ (ଆଇସିଏମ୍ଆର-ଏନ୍ଆଇଏନ୍) ଦ୍ୱାରା ଏହି ସର୍ଭେ (ସମ୍ପଦା) କରାଯାଇଥିଲା। ବିଶେଷକରି କିଶୋରାବସ୍ଥାରେ ଥିବା ପିଲାମାନେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ୧୦ରୁ ୧୯ ବର୍ଷର ୬୬.୧% ବାଳକ ଓ ୬୫.୪% ବାଳିକାଙ୍କ ଶରୀରରେ ଏହି ଭିଟାମିନ୍ର ଅଭାବ ରହିଛି। ସେହିପରି ପ୍ରାପ୍ତବୟସ୍କ ଓ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ସ୍ଥିତି ଉଦ୍ବେଗଜନକ ରହିଛି। ୨୦ରୁ ୫୯ ବର୍ଷର ୬୦.୪% ପ୍ରାପ୍ତବୟସ୍କ ପୁରୁଷ ଓ ୫୫.୨% ପ୍ରାପ୍ତବୟସ୍କ ମହିଳା ଭିଟାମିନ୍ ବି-୧୨ ଅଭାବର ସମ୍ମୁଖୀନ ହେଉଛନ୍ତି। ଏହାସହ ୬୩.୧% ଗର୍ଭବତୀ ମହିଳା ଓ ୫୧.୮% ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଶରୀରରେ ମଧ୍ୟ ଏହି ଅତ୍ୟାବଶ୍ୟକ ଭିଟାମିନ୍ର ମାତ୍ରା କମ୍ ରହିଛି। ୧୫ରୁ ୪୯ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଏହି ହାର ୫୭.୪% ରହିଛି। କେବଳ ଯୁବପିଢ଼ି କିମ୍ବା ପ୍ରାପ୍ତବୟସ୍କ ନୁହନ୍ତି, ଛୋଟ ଶିଶୁ ଓ ବୟସ୍କ ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ସର୍ଭେ ଅନୁସାରେ, ୧ରୁ ୫ ବର୍ଷ ବୟସର ୩୭.୩% ଶିଶୁ ଓ ୫ରୁ ୯ ବର୍ଷ ବୟସର ୪୬.୫% ପିଲାଙ୍କଠାରେ ଭିଟାମିନ୍ ବି-୧୨ ସ୍ତର କମ୍ ରହିଛି।
ଚିନ୍ତା ବଢ଼ାଇଲା ଆଇସିଏମ୍ଆରର ‘ସମ୍ପଦା’ ସର୍ବେକ୍ଷଣ
ଭିଟାମିନ୍ ବି-୧୨ ଅଭାବରେ ହୋଇଥାଏ ରକ୍ତହୀନତା: ବିଶେଷଜ୍ଞ
ସେହିପରି ରାଜ୍ୟର ୬୦ ବର୍ଷରୁ କମ୍ ୫୯.୬% ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି। ୧୫ରୁ ୪୯ବର୍ଷର ମହିଳାଙ୍କ କ୍ଷେତ୍ରରେ ଏହା ୫୧.୩%, ୧୦ରୁ ୧୯ ବର୍ଷର ୪୫% କିଶୋରୀ ମଧ୍ୟ ରକ୍ତହୀନତାରେ ଆକ୍ରାନ୍ତ। ଏହାସହ ୧୦ରୁ ୧୯ ବର୍ଷର କିଶୋରଙ୍କଠାରେ ୧୭.୫%, ୨୦ରୁ ୫୯ ବୟସରେ ୨୨.୭% ଓ ୬୦ ବର୍ଷରୁ ଅଧିକ ବୟସରେ ଏହା ୪୬.୨% ଦେଖିବାକୁ ମିଳିଛି। ସର୍ବେକ୍ଷଣର ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ଅଧିକାଂଶ ବୟସ ବର୍ଗରେ ଆଇରନ୍ ଓ ଫୋଲେଟ୍ର ଅଭାବ ତୁଳନାରେ ଭିଟାମିନ୍ ବି-୧୨ର ଅଭାବ ବହୁତ ଅଧିକ ରହିଛି। ଏହାଛଡ଼ା ଯେଉଁମାନଙ୍କଠାରେ ରକ୍ତହୀନତା ନାହିଁ, ସେମାନଙ୍କ ଶରୀରରେ ମଧ୍ୟ ଭିଟାମିନ୍ ବି-୧୨ର ଅଭାବ ସାଧାରଣ ଭାବେ ଦେଖାଯାଇଛି। ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶରୀରରେ ସୁସ୍ଥ ଲୋହିତ ରକ୍ତ କଣିକା ଗଠନ, ଡିଏନଏ ସଂଶ୍ଳେଷଣ ଓ ସ୍ନାୟୁ ପ୍ରଣାଳୀକୁ ଠିକ୍ ଭାବେ କାର୍ଯ୍ୟକ୍ଷମ ରଖିବା ପାଇଁ ଭିଟାମିନ୍ ବି-୧୨ ଅତ୍ୟନ୍ତ ଜରୁରି।
Weather: ଦିଲ୍ଲୀରେ ଚଳିତ ଋତୁର ସବୁଠୁ ଥଣ୍ଡା ସକାଳ, ୧୦ ଡିଗ୍ରିକୁ ଖସିଲା ପାରଦ
ବିଭିନ୍ନ ସମୟରେ ହୋଇଥିବା ସର୍ବେକ୍ଷଣ ଅନୁସାରେ, ଓଡ଼ିଶାର ପ୍ରାୟ ୩% ଜନତା ଶାକାହାରୀ। ଯଦି ୨୦୧୧ ମସିହା ଜନଗଣନାକୁ ବିଚାରକୁ ନିଆଯାଏ ତା’ ହେଲେ ଏହି ଲୋକଙ୍କ ସଂଖ୍ୟା ପ୍ରାୟ ୧୪ ଲକ୍ଷ ହେବ। ଯେହେତୁ ନିରାମିଷ ଭୋଜନ କରୁଥିବା ଲୋକଙ୍କଠାରେ ଏହି ଭିଟାମିନ୍ର ଅଭାବ ରହୁଛି, ତେଣୁ ଏହି ଲୋକଙ୍କଠାରେ ରକ୍ତହୀନତାର ଶିକାର ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଡା.ଜୟନ୍ତ ପଣ୍ଡା କହିଛନ୍ତି, ଯେଉଁମାନେ ଭେଗାନ୍ (ଶାକାହାରୀ ସହିତ କ୍ଷୀର ମଧ୍ୟ ପିଅନ୍ତି ନାହିଁ) ସେମାନଙ୍କ କ୍ଷେତ୍ରରେ ଭିଟାମିନ୍ ବି-୧୨ ଅଭାବ ଦେଖାଯିବା ସ୍ବାଭାବିକ। ଏଥିରେ ଆରବିସିର ଆକାର ବଢ଼ିଯାଇଥାଏ। ଭିଟାମିନ୍ ବି-୧୨ ପାଇବାର ଏକମାତ୍ର ଉତ୍ସ ହେଉଛି ପଶୁ ସଂପଦ। ଯେଉଁମାନେ ଶାକାହାରୀ ସେମାନେ ଅତିକମ୍ରେ କ୍ଷୀର ପିଇବା ଉଚିତ। ଯାହାଫଳରେ କିଛି ମାତ୍ରାରେ ବି-୧୨ ମିଳିପାରିବ। ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ରଙ୍କ କହିବାନୁଯାୟୀ, ଭିଟାମିନ୍ ବି-୧୨ର ଅଭାବରେ ରକ୍ତହୀନତା ଦେଖାଯାଇଥାଏ। ପନିପରିବା କିମ୍ବା ଫଳମୂଳରେ ପ୍ରାକୃତିକ ଭାବେ ଭିଟାମିନ୍ ବି-୧୨ ମିଳି ନ ଥାଏ। ରକ୍ତହୀନତାକୁ ଏବେ ସହଜରେ ଚିହ୍ନଟ କରାଯାଇପାରୁଛି। ଆବଶ୍ୟକସ୍ଥଳେ ବଟିକା ଓ ଇଞ୍ଜେକ୍ଟେବୁଲ୍ ଜରିଆରେ ଏହାକୁ ଦିଆଯାଇପାରିବ। ପୁଷ୍ଟିବର୍ଦ୍ଧିତ ବା ଫର୍ଟିଫାଏଡ୍ ଖାଦ୍ୟ ଜରିଆରେ ଭିଟାମିନ୍ ବି-୧୨ର ସପ୍ଲିମେଣ୍ଟ ବର୍ତ୍ତମାନ ସୁଦ୍ଧା ବଜାରରେ ଉପଲବ୍ଧ ହୋଇନାହିଁ।

26 minutes ago
1


