ARTICLE AD BOX
ନୂଆଦିଲ୍ଲୀ: ଦୀପାବଳି ଅବସରରେ ପ୍ରତ୍ୟେକ ଘର ସମ୍ମୁଖରେ ଅଟା, ଚାଉଳ ଓ ରଙ୍ଗବେରଙ୍ଗର ଫୁଲ ଓ ମୁରୁଜରେ ସୁନ୍ଦର ରଙ୍ଗୋଲି ତିଆରି କରାଯାଏ। କିନ୍ତୁ ଦୁବାଇ କଥା ଆସିଲେ ସବୁଥିରେ ରାଜକୀୟ ଓ ବିଳାସପୂର୍ଣ୍ଣ ଶୈଳୀ ଦେଖିବାକୁ ମିଳେ। ନିକଟରେ ଦୁବାଇର ଏକ ରଙ୍ଗୋଲିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ସାଢ଼େ ୬ କିଲୋ ସୁନାରେ ରଙ୍ଗୋଲି
ଦୁବାଇର ପ୍ରସିଦ୍ଧ ‘ସିଟି ସେଣ୍ଟର ଡେଇରା’ ମଲ୍ରେ ଦୀପାବଳି ଅବସରରେ ରଙ୍ଗ ବଦଳରେ ଅସଲି ସୁନା ଅଳଙ୍କାର ଓ ହୀରା ବ୍ୟବହାର କରି ଏକ ବିଶାଳ ରଙ୍ଗୋଲି ତିଆରି କରାଯାଇଛି। ଏହା ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚାର ମୁଖ୍ୟ ଆକର୍ଷଣ ପାଲଟିଛି। ସାଢ଼େ ୬ କିଲୋ ସୁନା, ୩୮୦ କ୍ୟାରେଟ୍ରୁ ଅଧିକ ହୀରା ଓ ୧୬ ଘଣ୍ଟାର ପରିଶ୍ରମରେ ଏହି ରାଜକୀୟ ରଙ୍ଗୋଲିକୁ ଦେଖିବା ପାଇଁ ମଲ୍ରେ ଲୋକଙ୍କର ପ୍ରବଳ ଭିଡ଼ ଜମୁଛି। ଏହି ଅନନ୍ୟ କଳାକୃତିର ବିଶେଷତ୍ୱ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ଏହି ରଙ୍ଗୋଲି ତିଆରି କରିବାରେ ୬.୫ କିଲୋଗ୍ରାମ ସୁନା ବ୍ୟବହାର କରାଯାଇଛି। ଏଥିରେ ୨୧୩ରୁ ଅଧିକ ସୁନା ହାର, ଭାରୀ କଙ୍କଣ, ଝୁମକା ଓ ପେଣ୍ଡେଣ୍ଟ୍କୁ ସଜାଯାଇଛି। କେବଳ ସୁନା ନୁହେଁ, ରଙ୍ଗୋଲିର ଚମକ ବଢ଼ାଇବା ପାଇଁ ଏଥିରେ ୩୮୦ କ୍ୟାରେଟ୍ରୁ ଅଧିକ ଅସଲି ହୀରା ମଧ୍ୟ ଖଞ୍ଜାଯାଇଛି। ୧୦ ଜଣ କୁଶଳୀ କାରିଗର କ୍ରମାଗତ ଭାବେ ୧୬ ଘଣ୍ଟା ପରିଶ୍ରମ କରି ପ୍ରତ୍ୟେକ ଅଳଙ୍କାରକୁ ହାତରେ ସଜାଇ ଏହି ସୁନ୍ଦର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି।
ଏହି ଚକ୍ମକ୍ କରୁଥିବା ରଙ୍ଗୋଲିର ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଲୋକଙ୍କ ମନ୍ତବ୍ୟର ସୁଅ ଛୁଟିଛି। ସର୍ବସାଧାରଣ ସ୍ଥାନରେ କୋଟି କୋଟି ଟଙ୍କାର ସୁନା ଏପରି ଖୋଲାରେ ରଖାଯାଇଥିବା ଦେଖି ଲୋକେ ଚକିତ ହୋଇଛନ୍ତି।
ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି, “ଆମ ଦେଶର କୌଣସି ମଲ୍ରେ ଏପରି ରଙ୍ଗୋଲି ତିଆରି ହେଲେ ୫ ମିନିଟ୍ ଭିତରେ ରଙ୍ଗୋଲି ସହ ସୁନା ମଧ୍ୟ ଗାଏବ ହୋଇଯିବ!”
ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ଦୁବାଇର ସୁରକ୍ଷା ବ୍ୟବସ୍ଥା ଯେତେ ପ୍ରଶଂସା କଲେ ମଧ୍ୟ କମ୍। ମଲ୍ ମଝିରେ କୋଟି କୋଟି ଟଙ୍କାର ସମ୍ପତ୍ତି ଖୋଲାରେ ରଖାଯାଇଛି, ତଥାପି କେହି ଛୁଇଁବାକୁ ମଧ୍ୟ ସାହସ କରୁନାହାନ୍ତି।”
ଅନେକଙ୍କ ମତରେ, ଭାରତୀୟ ପର୍ବପର୍ବାଣୀକୁ ନିଜର ଅନନ୍ୟ ଓ ବିଳାସପୂର୍ଣ୍ଣ ଶୈଳୀରେ ପାଳନ କରିବା ପାଇଁ ଦୁବାଇ ବେଶ୍ ପରିଚିତ।

2 days ago
4


