ARTICLE AD BOX
ନୂଆଦିଲ୍ଲୀ: ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାବରାର ଉପରେ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମ୍ଡିଆର୍) ଲାଗୁ କରାଯାଇଛି। ତାହା କୌଣସି ଶୁଳ୍କ, ସେସ୍ କିମ୍ବା ସର୍ଚାର୍ଜ ନୁହେଁ। ଏଥିରୁ ସଂଗ୍ରହ ହେବାକୁ ଥିବା ପାଣ୍ଠି ସରକାରୀ ରାଜକୋଷରେ ଜମା ହେବ ନାହିଁ। ଏହା ସହ ସରକାରଙ୍କ କୌଣସି ସମ୍ପର୍କ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପ୍ରସ୍ତାବିତ ଏମ୍ଡିଆର୍ର ୪୦ ପ୍ରତିଶତ ରାଶି ଗ୍ରାହକଙ୍କ ବ୍ୟାଙ୍କକୁ ଯିବ, ୩୦ ପ୍ରତିଶତ ରାଶି ପେମେଣ୍ଟ୍ ଗେଟ୍ୱେ ସୁବିଧା ପ୍ରଦାନକାରୀ ସଂସ୍ଥାକୁ ଯିବ, ୨୦ ପ୍ରତିଶତ ରାଶି ୟୁପିଆଇ ଆପ୍କୁ ଓ ଅବଶିଷ୍ଟ ୧୦ ପ୍ରତିଶତ ରାଶି ପ୍ରାୟୋଜକ ବ୍ୟାଙ୍କ ଖାତାକୁ ଯିବ ବୋଲି ନିର୍ମଳା କହିଛନ୍ତି।
ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏମ୍ଡିଆର୍ ବୋଝ ଗ୍ରାହକଙ୍କ ଉପରେ ଲଦି ଦିଆଯିବ ନାହିଁ। ୟୁପିଆଇ ପେମେଣ୍ଟ ସହ ଜଡ଼ିତ ଥିବା ସଂସ୍ଥାଗୁଡ଼ିକ ତାହା ବହନ କରିବେ। ଏଥି ସହିତ ୟୁପିଆଇ ଏମ୍ଡିଆର୍କୁ ନେଇ ବିରୋଧୀ ଦଳଗୁଡ଼ିକ କରୁଥିବା ସମାଲୋଚନାକୁ ସେ ଦୃଢ଼ ଭାବେ ଖାରଜ କରିଛନ୍ତି।ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ଏମ୍ଡିଆର୍ ଘୋଷଣା କରାଯାଇଛି ଯାହା ଅକ୍ଟୋବର ୧୫ରୁ ଲାଗୁ ହେବ।
ଏହା କେବଳ ବ୍ୟବସାୟୀଙ୍କ ସହ ହେଉଥିବା କାରବାର ଉପରେ ଲଗାଯାଇଛି। ଗ୍ରାହକ କୌଣସି ଶୁଳ୍କ ଦେବେନାହିଁ। ବ୍ୟବସାୟୀମାନଙ୍କଠାରୁ ତାହା ସଂଗ୍ରହ କରାଯିବ। ବ୍ୟକ୍ତିରୁ ବ୍ୟକ୍ତି ୟୁପିଆଇ ପେମେଣ୍ଟ ସମ୍ପୂର୍ଣ୍ଣ ମାଗଣା ରହିବ। ଏହି ଶୁଳ୍କ ଦ୍ବାରା ଦେଶର ୯୬ ପ୍ରତିଶତ ୟୁପିଆଇ କାରବାର ପ୍ରଭାବିତ ହେବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏମ୍ଡିଆର୍ ଦ୍ବାରା ୟୁପିଆଇ ଭିତ୍ତିଭୂମକୁ ବଜାୟ ରଖାଯିବା ସହ ସେଥିରେ ଆହୁରି ନବସୃଜନ ଅଣାଯାଇପାରିବ ଓ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ହୋଇପାରିବ ବୋଲି ସରକାର ଭାବୁଛନ୍ତି।

1 hour ago
1


