ARTICLE AD BOX
ନୂଆଦିଲ୍ଲୀ: ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଉପରେ ଚଳିତ ମାସ ୧୫ରୁ ୦.୪ ପ୍ରତିଶତର ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ୍ ରେଟ୍ (ଏମ୍ଡିଆର୍) ଲାଗୁ ହେବ। ଏହାର ପ୍ରଭାବରେ ୟୁପିଆଇ କାରବାର ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା ରହିଛି ବୋଲି ଲୋକାଲ୍ସର୍କଲ୍ସର ସିିଇଓ ସଚିନ ଟାପାରିଆ କହିଛନ୍ତି। ଏକ ସର୍ବେକ୍ଷଣ ରିପୋର୍ଟ ଆଧାରରେ ସେ ଏହା କହିଛନ୍ତି।
ଲୋକାଲ୍ସର୍କଲ୍ସର ଏହି ସର୍ବେକ୍ଷଣରେ ଭାଗ ନେଇଥିବା ୧୪ ପ୍ରତିଶତ ଲୋକ କହିଛନ୍ତି ଯେ ଯଦି ଏମ୍ଡିଆର୍ ଶୁଳ୍କ ବହନ କରିବାକୁ ବ୍ୟବସାୟୀମାନେ ମନା କରିବେ ତେବେ ସେମାନେ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପେମେଣ୍ଟ ପାଇଁ ୟୁପିଆଇ ବ୍ୟବହାର କରିବେ ନାହିଁ। ୨୭ ପ୍ରତିଶତ କହିଥିଲେ ନଗଦ ରାଶି, ୨୬ ପ୍ରତିଶତ କ୍ରେଡିଟ୍ କାର୍ଡ ଓ ୧୪ ପ୍ରତିଶତ ଡେବିଟ୍ କାର୍ଡ ବ୍ୟବହାର କରିବେ। ଦେଶର ୨୯୧ଟି ଜିଲ୍ଲାକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରେ ୬୭,୦୦୦ରୁ ଅଧିକ ଲୋକ ଭାଗ ନେଇଥିଲେ। ୭୬ ପ୍ରତିଶତ ଅଂଶଗ୍ରହଣକାରୀ କହିଥିଲେ ଯେ ୟୁପିଆଇ ଶୁଳ୍କ ବହନ କରିବା ସ୍ଥିତି ଆସିଲେ ସେମାନେ ନଗନ ରାଶି, କାର୍ଡ କିମ୍ବା ବ୍ୟାଙ୍କ ଟ୍ରାନ୍ସଫର ବିକଳ୍ପ ବ୍ୟବହାର କରିବାକୁ ଅଧିକ ପସନ୍ଦ କରିବେ।
ଏମ୍ଡିଆର୍ ହେଉଛି ଏକ ଶୁଳ୍କ ଯାହା ବ୍ୟବସାୟମାନେ ପେମେଣ୍ଟ ଗ୍ରହଣ କରିବା ବେଳେ ଦେଇଥାନ୍ତି। ଲୋକାଲ୍ସର୍କଲ୍ସ ପକ୍ଷରୁ ଅଗଷ୍ଟରେ କରାଯାଇଥିବା ସର୍ବେକ୍ଷଣରେ ଭାଗ ନେଇଥିବା ବ୍ୟବସାୟୀମାନେ ଏମ୍ଡିଆର୍ ଶୁଳ୍କ ଭାର ବହନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ୪୧ ପ୍ରତିଶତ ଏମ୍ଡିଆର୍ ଦେବାକୁ ଅନିଚ୍ଛୁକ ଥିଲେ ଓ ୧୭ ପ୍ରତିଶତ ବ୍ୟବସାୟୀ ଶୁଳ୍କ ଦେବେ ବୋଲି କହିଥିଲେ। ୯ ପ୍ରତିଶତ ବ୍ୟବସାୟୀ ୟୁପିଆଇ ଗ୍ରହଣ କରିବୁନି ବୋଲି କହିଥିଲେ। ଗତ ଅଗଷ୍ଟରେ ୨୯.୮୨ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ହୋଇଥିଲା। ମର୍ଚାଣ୍ଟମାନେ ଗ୍ରହଣ କରୁଥିବା ୬୭ ପ୍ରତିଶତ ପେମେଣ୍ଟର ମୂଲ୍ୟ ୨୦୦୦ ଟଙ୍କାରୁ ଅଧିକ ରହିଛି। ଅର୍ଥ ମନ୍ତ୍ରଣାଳୟ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ଯେ ଗ୍ରାହକମାନଙ୍କୁ ଏମ୍ଡିଆର୍ ବୋଝ ମୁଣ୍ଡାଇବାକୁ ପଡ଼ିବ ନାହିଁ। ଏଥିପାଇଁ ସରକାର ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହ ଯୋଗାଯୋଗରେ ଅଛନ୍ତି।

53 minutes ago
2


