ARTICLE AD BOX
ଯେତେବେଳେ ଚଳଚ୍ଚିତ୍ରଟିଏ ନିର୍ମାଣ ଲାଗି ଯୋଜନା ହୁଏ, ଏଥିସହ ଜଡ଼ିତ ସମସ୍ତେ ଏହାର ଶୀର୍ଷକକୁ ଆକର୍ଷଣୀୟ କରାଯିବା ଉପରେ ଗୁରୁତ୍ବ ଦିଅନ୍ତି। ମୁଖ୍ୟତଃ କାହାଣୀ ଅନୁସାରେ ଦର୍ଶକଙ୍କୁ ପ୍ରଭାବିତ କରିବା ଭଳି ନାମକରଣ କରାଯାଏ। ଏହି କ୍ରମରେ ଆମେ ୭ଟି ଓଡ଼ିଆ ସିନେମାକୁ ସାମିଲ୍ କରିପାରିବା, ଯାହାର ଶୀର୍ଷକରେ ‘ସମୟ’ ଶବ୍ଦ ରହିଛି। ଏଭଳି ଓଡ଼ିଆ ଛବି ସଂପର୍କରେ କିଞ୍ଚିତ୍ କଥା।
ଶିବଶଙ୍କର ଓଝା
୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ଆଂଶିକ ରଙ୍ଗିନ୍ ଓଡ଼ିଆ ଛବି ‘ସମୟ’। ସୋନାଲି ପ୍ରଡକ୍ସନ୍ସ ବ୍ୟାନର୍ରେ ନିର୍ମିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ ଗଣେଶ ମହାପାତ୍ର। ଏହା ଥିଲା ତାଙ୍କର ପ୍ରଥମ ସିନେମା। ଏଥିରେ ଶ୍ରୀରାମ ପଣ୍ଡା, ତ୍ରିପୁରା ମିଶ୍ର, ପ୍ରଶାନ୍ତ ନନ୍ଦ, ହରିଶ, ଧୀର ବିଶ୍ବାଳ, ଭାନୁମତୀ ଦେବୀ, ଗଣେଶ ମହାପାତ୍ର ଓ ଜର୍ଜ ତିଆଡ଼ି ପ୍ରମୁଖ ଅଭିନୟ କରିଥିଲେ। ଏହି ସିନେମାରେ ବଲିଉଡ୍ର ପ୍ରଖ୍ୟାତ ହାସ୍ୟାଭିନେତା-ନିର୍ଦ୍ଦେଶକ ଅସିତ ସେନ୍ଙ୍କୁ ବି ଅତିଥି ଭୂମିକାରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ବଲିଉଡ୍ ଅଭିନେତ୍ରୀ ହେଲେନ୍ଙ୍କୁ ଭୁବନ-ହରିଙ୍କ ସ୍ବରାରୋପିତ ‘ଝିମିଝିମି ଝିମିତା ମଜା..’ଗୀତରେ ବି ଦେଖିବାକୁ ପାଇଥିଲେ ଦର୍ଶକ। ଦିଲୀପ ଦତ୍ତ ଓ ରାଜନ୍ କିନ୍ନାଗୀ ଥିଲେ ଏହାର ସିନେମାଟୋଗ୍ରାଫର୍।
Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା
ଏହାର ପ୍ରାୟ ୭ ବର୍ଷ ପରେ ଅର୍ଥାତ୍ ୧୯୮୨ ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା ଡି.ଜେ. ପ୍ରଡକ୍ସନ୍ସର ମଲ୍ଟିଷ୍ଟାରର୍ ‘ସମୟ ବଡ଼ ବଳବାନ’। ଧୀର ବିଶ୍ବାଳଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଶିଶିର ମିଶ୍ର। ଅଧ୍ୟାପକ ତଥା ବିଖ୍ୟାତ ନାଟ୍ୟକାର ରମେଶ ପାଣିଗ୍ରାହୀ ଏହାର ସଂଳାପ ରଚନା କରିଥିବା ବେଳେ ସ୍ବର ସଂଯୋଜନା କରିଥିଲେ ପ୍ରଫୁଲ୍ଲ କର। ରାଜନ୍ କିନ୍ନାଗୀ ଥିଲେ ସିନେମାଟୋଗ୍ରାଫର୍। ଏହି ସୁପରହିଟ୍ ସିନେମାରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ବେତା, ରୋଜା ରମଣୀ, ଧୀର ବିଶ୍ବାଳ, ଦୁଃଖୀରାମ ସ୍ବାଇଁ, ଝରଣା ଦାସ, ହେମନ୍ତ ଦାସ, ଶିଶିର ମିଶ୍ର, ଜୟୀ ଓ ନରି ପ୍ରମୁଖ କଳାକାରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ତେବେ ‘ସମୟ ବଡ଼ ବଳବାନ’ ଶୀର୍ଷକରେ ଆଉ ଏକ ଓଡ଼ିଆ ଛବି ପରଦାକୁ ଆସିଥିଲା ୨୦୧୬ ମସିହାରେ। ପୁପିନ୍ଦରଙ୍କ ପ୍ରଯୋଜିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ମୁରଲୀଧରନ୍। ଅଭିଜିତ୍ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ଡକ୍ଟର୍ ରଜନୀରଞ୍ଜନ। ପ୍ରଦୀପ ସାହୁ ଚିତ୍ରୋତ୍ତୋଳନ ଦାୟିତ୍ବରେ ଥିଲେ। ଏହି ପାରିବାରିକ ଛବିରେ ଅଶ୍ରୁମୋଚନ, ଅଂଶୁମାନ, ପୁପିନ୍ଦର, ବାଙ୍କୁ, ଜୀବନ ପଣ୍ଡା, ଅନୁଭା, ଲିନା, ଜ୍ୟୋତିର୍ମୟୀ, ପୁଷ୍ପା ପଣ୍ଡା, ଲିପ୍ସା ଓ ପ୍ରତିଭା ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ।
୨୦୦୧ ମସିହାରେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ତଥା ସ୍ନେହଲତା ସାହୁଙ୍କ ପ୍ରଯୋଜିତ ‘ସମୟ ଖେଳୁଛି ଚକାଭଉଁରୀ’ ମୁକ୍ତିଲାଭ କରିଥିଲା। ଏଥିରେ ସିଦ୍ଧାନ୍ତ, ଅନୁ ଚୌଧୁରୀ, ମାମା ମିଶ୍ର, ସୁମିତ ସହଗଲ୍, ଉତ୍ତମ ମହାନ୍ତି, ଅପରାଜିତା, ମିହିର ଦାସ, ଅଶ୍ରୁମୋଚନ, ରାଇମୋହନ, ଜୟୀ, ରୁନୁ, ଦେବୁ ବୋଷ, ବୈଶାଳୀ, ଅସିତ ପତି, ମୀନକେତନ ଓ ସୁଧାଂଶୁ ମୋହନ ସାହୁ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯାତ୍ରା ଜଗତର ଜଣାଶୁଣା ନାଟ୍ୟକାର ମନୋଜ ପଣ୍ଡାଙ୍କ କାହାଣୀରେ ସଂଳାପ ଯୋଡ଼ିଥିଲେ ରଣଜିତ ପଟ୍ଟନାୟକ। ମଳୟ ମିଶ୍ର ଥିଲେ ଏହାର ସଙ୍ଗୀତକାର।
୨୦୦୨ ମସିହାରେ ମୁକ୍ତିଲାଭ କରିଥିଲା ‘ସମୟ ଚକରେ ସଂସାର ରଥ’। ଶିବାଶିଷ ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ତଥା ପ୍ରଭାଂଶୁ ସାମନ୍ତରାୟଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ‘ସାବିତ୍ରୀ’ ଓ ‘କାଶିଆ କପିଳା’ ଫେମ୍ ଜିତେନ୍ଦ୍ର ମହାପାତ୍ର। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ବିଜୟ ମିଶ୍ର। ସଂଗୀତ ବିଭାଗ ସମ୍ଭଳିଥିଲେ ବିଜୁ ସ୍ବାଇଁ। ନିରଞ୍ଜନ ଦାସ ଥିଲେ ଏହାର ସିନେମାଟୋଗ୍ରାଫର୍। ଏହି ପାରିବାରିକ କାହାଣୀ ଆଧାରିତ ଓଡ଼ିଆ ଛବିରେ ବିଜୟ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ସିଦ୍ଧାନ୍ତ, ଉତ୍ତମ ମହାନ୍ତି, ମିହିର ଦାସ, ଅପରାଜିତା, ରୁନୁ, ହର ପଟ୍ଟନାୟକ, ସ୍ନିଗ୍ଧା, ସାତ୍ୟକୀ, ମାମା ମିଶ୍ର, ପ୍ରିୟଙ୍କା, କୁନା ତ୍ରିପାଠୀ, ବାଙ୍କୁ ଓ ସୁକାନ୍ତ ରଥ ପ୍ରମୁଖଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।
Flood in Bhadrak: ଲୋକଙ୍କ ପାଖରେ ଠିକ୍ ଭାବରେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି
ଏହାପରେ ୨୦୦୭ରେ ମୁକ୍ତିଲାଭ କରିଥିଲା ‘ସମୟ ହାତରେ ଡୋରି’। ଡିସ୍ଲାଣ୍ଡ ସିନେ କ୍ରାଫ୍ଟ ବ୍ୟାନର୍ରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶକ ଥିଲେ ନିମାଇଁ ଓଝା। ଅଧ୍ୟାପକ ସଞ୍ଜୟ ହାତୀ କାହାଣୀ ଓ ସଂଳାପ ରଚନା କରିଥିଲେ। ଆଲୋକ ସ୍ବାଇଁ ଓ ରତି ବାରିକ ଥିଲେ ସ୍ବର ସଂଯୋଜକ। ସିନେମାଟୋଗ୍ରାଫି ସମ୍ଭାଳିଥିଲେ ଭି-ରଙ୍ଗାରାଓ। ଏଥିରେ ସିଦ୍ଧାନ୍ତ, ଅନୁ ଚୌଧୁରୀ, ମିହିର ଦାସ, ହରି, ଦେବୁ ବୋଷ, ଦେବଯାନୀ, ଜୟୀ ଓ ସାହେବ ସିଂହ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ‘ସମୟ’ ଶବ୍ଦ ଥିବା ଶେଷ ମୁକ୍ତିପ୍ରାପ୍ତ ସିନେମା ହେଲା ‘ସମୟ କହିବ କିଏ କାହାର’। ୨୦୨୪ରେ ମୁକ୍ତିଲାଭ କରିଥିବା ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦାୟିତ୍ବରେ ଥିଲେ ପ୍ରଖ୍ୟାତ ହାସ୍ୟାଭିନେତା ବ୍ରଜ ସିଂହ। ପ୍ରଭାତୀ ଆଚାର୍ଯ୍ୟ ଓ ରମେଶ ସିଂହଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାରେ ଅମ୍ଳାନ, ତୃପ୍ତି ମୀରାମ୍ବିକା, ବିଜୟିନୀ ମିଶ୍ର, ରବି ମିଶ୍ର, ଜୟୀ, ସୋନମ୍, ବ୍ରଜ ସିଂହ ଓ ଓମ୍କାର ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ସଞ୍ଜୟ ମହାକୁଡ଼ ଏହାର ସଂଳାପ ଲେଖିଥିବା ବେଳେ ସ୍ବର ସଂଯୋଜନା କରିଥିଲେ ଶାନ୍ତିରାଜ ଖୋସଲା।

1 hour ago
1


