ARTICLE AD BOX
ଦିଲ୍ଲୀରେ ଚଳିତ ବର୍ଷର ମୌସୁମୀ ଋତୁରେ ଯମୁନା ନଦୀରେ ବଡ଼ ଧରଣର ଜଳପ୍ରବାହ ନ ହେବା ଏବଂ ନଦୀ ଏପର୍ଯ୍ୟନ୍ତ ଥରେ ମଧ୍ୟ ବିପଦ ସଂକେତ ଅତିକ୍ରମ ନ କରିବା ଘଟଣା ପରିବେଶବିତ୍ଙ୍କ ମଧ୍ୟରେ ନଦୀର ପରିସଂସ୍ଥାନକୁ ନେଇ ଚିନ୍ତା ବଢ଼ାଇଛି। ଗତ ଶୁକ୍ରବାର ଅପରାହ୍ଣ ୪ଟାରେ ପୁରୁଣା ରେଳବାଇ ବ୍ରିଜ୍ ନିକଟରେ ଯମୁନାର ଜଳସ୍ତର ୨୦୨.୩୦ ମିଟର ରେକର୍ଡ କରାଯାଇଥିଲା। ନଦୀର ଜଳପ୍ରବାହ ଏବଂ ସମ୍ଭାବ୍ୟ ବନ୍ୟା ବିପଦ ଉପରେ ନଜର ରଖିବା ପାଇଁ ଏହା ଏକ ପ୍ରମୁଖ ପର୍ଯ୍ୟବେକ୍ଷଣ କେନ୍ଦ୍ର।
Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ
ଦିଲ୍ଲୀରେ ଯମୁନାର ବିପଦ ସଂକେତ ୨୦୫.୩୩ ମିଟର ଏବଂ ଜଳସ୍ତର ୨୦୬ ମିଟରରେ ପହଞ୍ଚିଲେ ନଦୀକୂଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଆରମ୍ଭ ହୁଏ। ଚଳିତ ମୌସୁମୀ ଋତୁରେ ଅଗଷ୍ଟ ୮ ତାରିଖରେ ଯମୁନାର ଜଳସ୍ତର ସର୍ବାଧିକ ୨୦୪.୦୮ ମିଟରରେ ପହଞ୍ଚିଥିଲା, ଯାହା ଚେତାବନୀ ସୀମାଠାରୁ ମଧ୍ୟ କମ୍। ଅଧିକାରୀମାନଙ୍କ କହିବା ଅନୁସାରେ, ଆଗାମୀ କିଛିଦିନ ମଧ୍ୟରେ ଯମୁନାରେ ବନ୍ୟା ଆସିବା ନେଇ ଏଯାବତ୍ କୌଣସି ପୂର୍ବାନୁମାନ ନାହିଁ। “ଏହା ଅତ୍ୟନ୍ତ ଅସ୍ୱାଭାବିକ ଯେ ଚଳିତ ମୌସୁମୀ ଋତୁରେ ଯମୁନାରେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ବନ୍ୟା ପ୍ରବାହ ଦେଖାଯାଇନାହିଁ। ସାଧାରଣତଃ ପ୍ରତିବର୍ଷ ନଦୀରେ ଅନ୍ତତଃ ଥରେ କିମ୍ବା ଦୁଇଥର ନିମ୍ନ କିମ୍ବା ମଧ୍ୟମ ଧରଣର ବନ୍ୟା ଆସିଥାଏ। କିନ୍ତୁ ଚଳିତ ବର୍ଷ ହରିୟାଣାର ହଥନିକୁଣ୍ଡ ବ୍ୟାରେଜ୍ରୁ ସର୍ବାଧିକ ଜଳ ନିଷ୍କାସନ ମଧ୍ୟ ୬୫,୦୦୦ କ୍ୟୁସେକ୍ ଅତିକ୍ରମ କରିନାହିଁ” ବୋଲି କହିଛନ୍ତି ସାଉଥ୍ ଏସିଆ ନେଟ୍ୱର୍କ ଅନ୍ ଡ୍ୟାମ୍ସ, ରିଭର୍ସ ଆଣ୍ଡ୍ ପିପୁଲ୍ (ଏସ୍ଏଏନ୍ଡିଆର୍ପି)ର ସଦସ୍ୟ ଭୀମ ସିଂହ ରାୱତ।
ଜଳସେଚନ ବିଭାଗର ପୂର୍ବତନ ବରିଷ୍ଠ ଯନ୍ତ୍ରୀ ଶିବ ସିଂହ ରାୱତଙ୍କ ମତରେ, “ଯମୁନାରେ ଜଳପ୍ରବାହର ଅଭାବ ପଛରେ ଏକାଧିକ କାରଣ ରହିଛି। ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ସହିତ ଜଳବାୟୁର ପରିବର୍ତ୍ତନଶୀଳତା ଯମୁନାରେ ଜଳପ୍ରବାହର ଅଭାବ ସୃଷ୍ଟି କରୁଛି।’’
ପରିବେଶବିତ୍ମାନଙ୍କ ମତରେ, ଦିଲ୍ଲୀରେ ଯମୁନାର ପ୍ରାୟ ୨୨ କିଲୋମିଟର ଦୀର୍ଘ ଅଞ୍ଚଳ ଦେଇ ପ୍ରବାହିତ ହେବା ସମୟରେ ନଦୀକୁ ଅପରିଶୋଧିତ ନର୍ଦ୍ଦମାଜଳ ଓ ଶିଳ୍ପ ବର୍ଜ୍ୟ ଛଡ଼ାଯାଉଛି। ସହରାଞ୍ଚଳରେ ନଦୀ ଅବବାହିକାକୁ ପୋତି ଜବରଦଖଲ କରାଯାଉଛି। ଏପରି ସ୍ଥିତିରେ ମୌସୁମୀ ଋତୁରେ ଉଚ୍ଚ ଜଳପ୍ରବାହର ଅଭାବ ନଦୀର ପ୍ରଦୂଷକକୁ ନଷ୍ଟ କରିବା, ପଟୁ ବହି ନେବା ଏବଂ ବନ୍ୟାଭୂମିକୁ ପୁନଃ ଜଳଯୋଗାଣ କରିବାର ପ୍ରାକୃତିକ କ୍ଷମତାକୁ ଦୁର୍ବଳ କରୁଛି ବୋଲି ପରିବେଶବିତ୍ମାନେ ଚେତାବନୀ ଦେଇଛନ୍ତି। ଜଳସେଚନ ବିଭାଗର ପୂର୍ବତନ ବରିଷ୍ଠ ଯନ୍ତ୍ରୀ ଶିବ ସିଂହ ରାୱତଙ୍କ ମତରେ, “ଯମୁନାରେ ଜଳପ୍ରବାହ ଅଭାବ ପଛରେ ଏକାଧିକ କାରଣ ରହିଛି। ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ସହିତ ଜଳବାୟୁର ପରିବର୍ତ୍ତନଶୀଳତା ଜଳପ୍ରବାହର ଅଭାବ ସୃଷ୍ଟି କରୁଛି। ନଦୀରେ ପର୍ଯ୍ୟାପ୍ତ ଜଳପ୍ରବାହ ନ ରହିଲେ ପ୍ରଦୂଷକର ଘନତା କମାଇବା ଓ ସେଗୁଡ଼ିକୁ ପ୍ରାକୃତିକ ଭାବେ ଧୋଇନେବାର କ୍ଷମତା ହ୍ରାସ ପାଏ। ଏଥିସହ ବନ୍ୟାଭୂମି ଓ ଭୂତଳ ଜଳର ପୁନଃଭରଣ ହ୍ରାସପାଏ, ପଟୁ ନିଷ୍କାସନ ବାଧାପ୍ରାପ୍ତ ହୁଏ, ଜଳଜ ଆବାସସ୍ଥଳୀ ଅବକ୍ଷୟ ହୁଏ ଏବଂ ଜଳଜ ଜୈବବିବିଧତା ଦୁର୍ବଳ ହୋଇପଡ଼େ। ଫଳରେ ଏହା ଦ୍ବାରା ଯମୁନାର ପ୍ରାକୃତିକ ପରିବେଶଗତ କାର୍ଯ୍ୟ ଓ ପୁନରୁଦ୍ଧାର କ୍ଷମତା କ୍ରମଶଃ ଦୁର୍ବଳ ହେଉଛି।” ୨୦୨୩ ମସିହା ଜୁଲାଇରେ ଯମୁନାର ଜଳସ୍ତର ୨୦୮.୬୬ ମିଟରରେ ପହଞ୍ଚିଥିଲା, ଯାହା ବିପଦ ସଂକେତଠାରୁ ବହୁ ଉପରେ ଥିଲା। ସେହି ଅଭୂତପୂର୍ବ ବନ୍ୟାରେ ଦିଲ୍ଲୀର ବିସ୍ତୃତ ଅଞ୍ଚଳ ଜଳମଗ୍ନ ହୋଇଥିଲା। ସିଭିଲ୍ ଲାଇନ୍ସ, ମୁଖାର୍ଜୀ ନଗର ଓ ଆଇଟିଓ ଭଳି ପ୍ରମୁଖ ଅଞ୍ଚଳର ଅନେକ ରାସ୍ତା ବନ୍ୟାଜଳରେ ବୁଡ଼ିଯାଇଥିଲା ଏବଂ ଅନେକ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ନଦୀର ଉପରମୁଣ୍ଡ ଜଳଗ୍ରହଣ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହଥନିକୁଣ୍ଡ ବ୍ୟାରେଜ୍ରୁ ୩.୫୯ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯିବା ଏହି ବନ୍ୟାର ଏକ ପ୍ରମୁଖ କାରଣ ଥିଲା।
କେଉଁଠାରେ ସବୁଠାରୁ ଅଧିକ ବର୍ଷା ହୁଏ?
ଦିଲ୍ଲୀ ସରକାରଙ୍କ ଯମୁନା ପୁନରୁଦ୍ଧାର ଯୋଜନାରେ ନଦୀରେ ପରିବେଶଗତ ଜଳପ୍ରବାହ ବଜାୟ ରଖି ପ୍ରଦୂଷଣର ଚାପ କମାଇବାର ଏକ ପ୍ରମୁଖ ଲକ୍ଷ୍ୟ ରଖାଯାଇଛି। ଯଦି ଏହି ସ୍ଥିତି ଲାଗି ରହେ ତେବେ ଦିଲ୍ଲୀରେ ପ୍ରଦୂଷଣ ମୁକ୍ତ ଯମୁନାର ପ୍ରତିଶ୍ରୁତି ସ୍ୱପ୍ନରେ ରହିଯିବ। ଅବଶ୍ୟ ନିର୍ମାଣାଧୀନ ବନ୍ଧଗୁଡ଼ିକରୁ ଜଳ ଯମୁନାକୁ ଛାଡ଼ିବା ନେଇ ଦିଲ୍ଲୀ ସରକାର ପଡ଼ୋଶୀ ରାଜ୍ୟ ହରିୟାଣା ଓ ଉତ୍ତରାଖଣ୍ଡ ସହ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଜଳାଭାବ ପାଇଁ ଏହି ପ୍ରୟାସ ସଫଳ ହେବାର ସମ୍ଭାବନା ଖୁବ୍ କ୍ଷୀଣ ବୋଲି ବିଶେଷଜ୍ଞ ମତ ଦିଅନ୍ତି।

1 hour ago
1


