ARTICLE AD BOX
ସୁଧାଂଶୁ ଷଡ଼ଙ୍ଗୀ
ସବୁ ଦେଶରେ ସ୍କୁଲ ଶିକ୍ଷାକୁ ଅଧିକ ଫଳପ୍ରଦ କରିବା ପାଇଁ ବିଭିନ୍ନ ପ୍ରଚେଷ୍ଟା ହେଉଛି। ଶିକ୍ଷା ଭିତ୍ତିଭୂମିରେ ଅଧିକ ପୁଞ୍ଜି ବିନିଯୋଗ, ପୂରା ଦେଶ ପାଇଁ ସମାନ ଓ ଆଧୁନିକ ପାଠ୍ୟ ଖସଡ଼ା କାର୍ଯ୍ୟକାରୀ କରିବା, ଶିକ୍ଷକମାନଙ୍କ ପ୍ରଶିକ୍ଷଣରେ ଉନ୍ନତି, ଶିକ୍ଷକ ଓ ଶିକ୍ଷା ପ୍ରଶାସକ ମାନଙ୍କୁ ଉତ୍ତରଦାୟୀ କରିବା ଇତ୍ୟାଦି ପଦକ୍ଷେପ ନିଆଯାଉଛି। ପରିସଂଖ୍ୟାନ ସଂଗ୍ରହ କରାଯାଇ ବିଭିନ୍ନ ସ୍ତରରେ ସମୀକ୍ଷା ମଧ୍ୟ ହେଉଛି। କିନ୍ତୁ ସ୍କୁଲ ଶିକ୍ଷାର ମାନ ଗଲା ଦଶନ୍ଧିରେ କମିଥିବାର ଜଣା ପଡୁଛି, ଯାହା ଚିନ୍ତାଜନକ।
ସେପ୍ଟେମ୍ବର ମାସରେ ୨୦୨୫ ବର୍ଷର ‘ପି.ଆଇ.ଏସ.ଏ.’ (ପ୍ରୋଗ୍ରାମ ଫର ଇଣ୍ଟରନେସନାଲ ଷ୍ଟୁଡେଣ୍ଟ ଆସେସ୍ମେଣ୍ଟ) ଫଳ ପ୍ରକାଶିତ ହୋଇଛି। ଏଥର ସର୍ବେକ୍ଷଣରେ ଏକାନବେଟି ଦେଶର ସାତ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଭାରତ ଏପର୍ଯ୍ୟନ୍ତ ଏଥିରେ ଭାଗ ନେଇ ନାହିଁ। ୨୦୦୦ ମସିହାରୁ କ୍ରମାଗତ ଭାବେ କରାଯାଉଥିବା ଏହି ପରୀକ୍ଷାରେ ପନ୍ଦର ବର୍ଷର ଛାତ୍ରଛାତ୍ରୀ ଭାଗ ନିଅନ୍ତି। ସେମାନଙ୍କୁ ତିନିଟି ବିଷୟରେ ପରୀକ୍ଷା ଦେବାକୁ ହୁଏ: ବିଜ୍ଞାନ, ଗଣିତ ଓ ପଠନ। ୨୦୨୫ ମସିହାର ପରୀକ୍ଷାରେ ଚୀନ ଦେଶର ପିଲା ସବୁଠୁ ଭଲ କରିଛନ୍ତି। ଅନ୍ୟ ପକ୍ଷରେ, ସାମଗ୍ରିକ ଭାବେ ଦେଖିଲେ ତିନିଟିଯାକ ବିଷୟରେ ହାରାହାରି ନମ୍ବର ପୂର୍ବ ବର୍ଷଠାରୁ କମିଛି। ସବୁଠାରୁ ଚକିତ କରିଲା ଭଳି ତଥ୍ୟ ହେଲା ୩୮ଟି ଧନୀ ଦେଶ, ଯେଉଁମାନେ ‘ଓ.ଇ.ସି.ଡି.’ (ଅର୍ଗାନାଇଜେସନ ଫର ଇକୋନୋମିକ କୋଅପରେସନ ଆଣ୍ଡ ଡେଭେଲପମେଣ୍ଟ)ର ସଦସ୍ୟ, ସେମାନଙ୍କ ଛାତ୍ରଛାତ୍ରୀ ଅଧିକ ଖରାପ ନମ୍ବର ରଖିଛନ୍ତି। ୨୦୧୫ ବର୍ଷ ସହ ତୁଳନା କଲେ, ୨୦୨୫ରେ, ଗଣିତରେ ହାରାହାରି ନମ୍ବର କମିଛି ୨୨ ପଏଣ୍ଟ, ପଠନରେ ୨୮ ପଏଣ୍ଟ ଓ ବିଜ୍ଞାନରେ ୧୪ ପଏଣ୍ଟ। ପ୍ରଥମେ ଲାଗୁଥିଲା, କୋଭିଡ୍ ବେଳେ ପିଲାଙ୍କ ଶିକ୍ଷା କ୍ଷତିଗ୍ରସ୍ତ ହେଲା, ତେଣୁ ନମ୍ବର କମୁଚି। କିନ୍ତୁ ଏବେ ଦେଖାଯାଉଛି ଯେ କୋଭିଡ୍ ପୂର୍ବରୁ ପ୍ରାୟ ୨୦୧୫ରୁ ଛାତ୍ରଛାତ୍ରୀ କମ୍ ନମ୍ବର ରଖିବା ଆରମ୍ଭ କଲେଣି ଏବଂ କୋଭିଡ୍ ପରେ ମଧ୍ୟ ଏହା କ୍ରମାଗତ ଭାବେ ଜାରି ରହିଛି। ଏକ ପକ୍ଷରେ ସ୍କୁଲ ଶିକ୍ଷାର ଉନ୍ନତି ପାଇଁ ଅନେକ ପ୍ରକାରର ଉଦ୍ୟମ ହେଉଛି, ଅନ୍ୟ ପକ୍ଷରେ ଫଳ ବିପରୀତ ହେଉଛି। ନମ୍ବର ବଢ଼ିବ କ’ଣ, କମୁଛି।
ଆମେ କହୁନାହେଁ ଯେ ପିଲାମାନେ ପୂର୍ବ ଅପେକ୍ଷା କମ୍ ବୁଦ୍ଧିମାନ ହୋଇଗଲେଣି। ଆମେ ଭାବିଥିଲେ, ସ୍କୁଲରେ କୋଠାବାଡ଼ି ତିଆରି ହେଲେ କି ଡିଜିଟାଲ ବ୍ଲାକବୋର୍ଡ ଲାଗିଲେ ଛାତ୍ରଛାତ୍ରୀଙ୍କ ଜ୍ଞାନ ବଢ଼ିବ। କିନ୍ତୁ ସେଭଳି ହେଉନାହିଁ। ସ୍କୁଲରେ ଭିତ୍ତିଭୂମି, ପ୍ରଶିକ୍ଷିତ ଶିକ୍ଷକ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଆବଶ୍ୟକ। କିନ୍ତୁ ଏସବୁ ଶିକ୍ଷା ଆହରଣର ମାନରେ ଉନ୍ନତି ଆଣିବାପାଇଁ ଯଥେଷ୍ଟ ନୁହେଁ।
ସ୍କୁଲ ଶିକ୍ଷାର ଏହି ନିରାଶାଜନକ ଚିତ୍ର ମଧ୍ୟରେ ଆମେରିକାର ଗୋଟିଏ ରାଜ୍ୟରୁ ଚମକପ୍ରଦ ପରିସଂଖ୍ୟାନ ମିଳୁଛି, ଯାହାକୁ ଗଣମାଧ୍ୟମ ‘ମିସିସିପି ମିରାକଲ୍’ ବା ‘ମିସିସିପି ଯାଦୁ’ର ଆଖ୍ୟା ଦେଇଛନ୍ତି। କିନ୍ତୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଥାଏ ଯେ, ମିସିସିପିର ସଫଳତା କୌଣସି ଯାଦୁ ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକାର ପଚାଶଟି ରାଜ୍ୟ ମଧ୍ୟରୁ ସବୁଠୁ ଗରିବ ଓ ପଛୁଆ ହେଲା ମିସିସିପି। ୨୦୧୩ ମସିହା ବେଳକୁ ସ୍କୁଲ ଶିକ୍ଷା ସମ୍ବନ୍ଧୀୟ ସବୁ ସର୍ବେକ୍ଷଣରେ ମିସିସିପିକୁ ମିଳୁଥିଲା ୪୯ତମ ବା ୫୦ତମ ସ୍ଥାନ, ଅର୍ଥାତ୍ ଶେଷ ଆଡୁ ପ୍ରଥମ। କେହି ଏହି ଫଳାଫଳକୁ ପ୍ରଶ୍ନ କରୁ ନଥିଲେ। ସମସ୍ତେ ଧରି ନେଇଥିଲେ ଯେ ପରୀକ୍ଷା ଫଳର ସାମାଜିକ ଅନଗ୍ରସରତା ସାଥିରେ ସିଧା ସମ୍ପର୍କ ଅଛି। ପିଲା ଯଦି ଭଲ ନମ୍ବର ରଖୁ ନାହାନ୍ତି, ତା’ହେଲେ, ଶିକ୍ଷକ ବା ସରକାର ଚାହିଲେ କିଛି କରି ପାରିବେନି। ତେଣୁ ଏହି ସ୍ଥିତି ପାଇଁ କେହି ଉତ୍ତରଦାୟୀ ନୁହନ୍ତି। ଶିକ୍ଷକ କହୁଥିଲେ, “ଆମେ ଅବା କ’ଣ କରିବୁ, ବାପା-ମା’ମାନେ ପିଲାଙ୍କ ଯତ୍ନ ନେଉ ନାହାନ୍ତି’’, “ପିଲାଙ୍କର ପଢ଼ିବାର ମନୋବୃତ୍ତି ନାହିଁ’’। ପାଠ ଅଧାରୁ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ମିସିସିପି ଥିଲା ଏକ ନମ୍ବରରେ। ସେହିଭଳି ସ୍କୁଲର ଶେଷ ପରୀକ୍ଷାରେ ଫେଲ ହେଉଥିବା ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ରାଜ୍ୟ ଥିଲା ଏକ ନମ୍ବରରେ। ଗଲା ଦଶ ବର୍ଷରେ ମିସିସିପି ଶେଷ ରାଜ୍ୟରୁ ପ୍ରଥମ ଦଶ ରାଜ୍ୟ ଭିତରକୁ ଆସିଲା। ଆମେରିକାରେ ଜାତୀୟ ସ୍ତରର ଆକଳନ ଚତୁର୍ଥ ଓ ଅଷ୍ଟମ ଶ୍ରେଣୀରେ କରାଯାଏ। ପରୀକ୍ଷାରେ ଚାରିଟି ବିଷୟ ଅନ୍ତର୍ଭୁକ୍ତ ଥାଏ- ଗଣିତ, ସାହିତ୍ୟ, ବିଜ୍ଞାନ ଓ ପଠନ। ପଠନରେ ବର୍ତ୍ତମାନ ମିସିସିପିର ପିଲା ବିତ୍ତଶାଳୀ ନ୍ୟୁୟର୍କ ଓ କାଲିଫର୍ନିଆକୁ ପଛରେ ପକେଇ ଦେଲେଣି। ଗଣିତରେ ମଧ୍ୟ ଆଗରେ। ଏହି ଚମତ୍କାରିତା ସାରା ପୃଥିବୀରେ ଆଲୋଡ଼ନ ସୃଷ୍ଟି କରିଛି।
ଏ କାହାଣୀ ଆରମ୍ଭ ହୁଏ ୨୦୧୨ ମସିହାରେ। ସେହି ବର୍ଷ ମିସିସିପି ପ୍ରତିନିଧି ସଭା ଓ ସିନେଟକୁ ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ଦଳରୁ କିଛି ନୂଆ ମୁହଁ ନିର୍ବାଚିତ ହୋଇ ଆସିଲେ। ସେମାନେ ପଣ କଲେ, ଯାହା ବି ହେଉ ଆମେ ଆମ ରାଜ୍ୟକୁ ଶିକ୍ଷାରେ ଶେଷ ଆଡୁ ପ୍ରଥମ, ଅର୍ଥାତ୍ ୫୦ତମ ସ୍ଥାନରୁ ଆଗକୁ ନେବା, ପାଖାପାଖି ୪୦ତମ ସ୍ଥାନରେ ପହଞ୍ଚେଇବା। ୨୦୧୩ ମସିହାରେ ସେମାନେ ଆଇନ କଲେ ଯେ, ଯଦି ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାରେ ଆବଶ୍ୟକୀୟ ମାନ ହାସଲ କରି ପାରି ନାହାନ୍ତି, ଫେଲ ହେବେ। ଏହି ଆଇନ ପରେ ଜଣେ ପିଲା ଠିକ୍ ଭାବରେ ପଢ଼ି ପାରୁଛି ନା ନାହିଁ, ପ୍ରଥମ ଶ୍ରେଣୀରୁ ହିଁ ଦେଖିବାକୁ ପଡ଼ିଲା। ପ୍ରତି ତିନି ମାସରେ ଅଭିଭାବକଙ୍କୁ ଜଣାଇବାକୁ ପଡ଼ିଲା ଯେ ପିଲାଟି ପଢ଼ିବା ଶିଖିଲାଣି ନା ପଛରେ ଅଛି। ପଛରେ ରହି ଯାଉଥିବା ପିଲାଙ୍କୁ ଚିହ୍ନଟ କରି, ସେମାନଙ୍କ ପାଇଁ ଅଧିକ ଶିକ୍ଷକ ନିଯୁକ୍ତି କରାଗଲା। ଯେଉଁ ସ୍କୁଲରେ ପଛରେ ଥିବା ୨୫ ଭାଗ ପିଲା ଯେତେ ଉନ୍ନତି କଲେ, ସେହି ସ୍କୁଲକୁ ଅଧିକ ଅର୍ଥ ଅନୁମୋଦନ କରାଗଲା। ତେଣୁ ନିୟମର ଉଦ୍ଦେଶ୍ୟ ନଥିଲା ଯେ ପିଲା ଯଦି ପଢ଼ି ପାରୁନି ତେବେ ସେ ଫେଲ ହେଉ। ଲକ୍ଷ୍ୟ ହେଲା ଯେ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଫଳାଫଳ ପାଇଁ ଉତ୍ତରଦାୟୀ ହୁଅନ୍ତୁ। ଛାତ୍ରଛାତ୍ରୀ ଯେମିତି ତୃତୀୟ ଶ୍ରେଣୀ ପାସ କଲାବେଳକୁ ବହି ବା ଖବରକାଗଜ ପଢ଼ିପାରିବ ତାକୁ ବୟସ୍କ ଲୋକେ ସୁନିଶ୍ଚିତ କଲେ।
ପଠନ ଉପରେ ଏତେ ଗୁରୁତ୍ୱ କାହିଁକି? ଗବେଷଣାରୁ ଜଣାଯାଏ ଯେ ସାମାନ୍ୟ କଥୋପକଥନ ମନୁଷ୍ୟପାଇଁ ଏକ ସ୍ୱାଭାବିକ ପ୍ରକ୍ରିୟା। କଥା କହିବା ଶିଖିବା ପାଇଁ ଆମକୁ ସ୍କୁଲ ଯିବା ଦରକାର ନାହିଁ। କିନ୍ତୁ ଲେଖିବା ଓ ପଢ଼ିବା, ଶିଖିବାକୁ ପଡ଼େ। ପ୍ରତ୍ୟେକ ଅକ୍ଷର ଗୋଟିଏ ଶବ୍ଦ ବା ଧ୍ୱନିର ପ୍ରତୀକ। ଆମେ ଦୁଇଟି ଉପାୟରେ ପିଲାଙ୍କୁ ଅକ୍ଷର ଶିଖାଉ। ପ୍ରଥମ ପ୍ରକ୍ରିୟାକୁ ଫୋନିକ୍ ବା ଧ୍ୱନି ପ୍ରକ୍ରିୟା କୁହାଯାଏ। ଦ୍ବିତୀୟଟିକୁ ସମତୁଳ ପ୍ରକ୍ରିୟା କୁହାଯାଏ, ଯେଉଁଥିରେ ଶିଖିବା ପାଇଁ ପିଲାକୁ ଆମେ ଛବି, କାହାଣୀ ଇତ୍ୟାଦି ମାଧ୍ୟମରେ ସହାୟତା କରୁ। ଚକର ଛବି ଦେଖି ପିଲାଟି ପାଖରେ ଲେଖା ହୋଇଥିବା ଶବ୍ଦଟିକୁ ‘ଚକ’ ଭାବେ ଚିହ୍ନେ। ସମତୁଳ ପ୍ରକ୍ରିୟାର ସମସ୍ୟା ହେଲା ପିଲାଟି ଅକ୍ଷର ନପଢ଼ି ପାରୁଥିଲେ ମଧ୍ୟ ଛବି ଦେଖି ପଢ଼ିପାରିବ। ‘ଚକ’ ଦେଖି ସିନା ପଢ଼ିଦେଲା, କିନ୍ତୁ ଛବି ନଥାଇ ‘ଚ’ ବ୍ୟବହାର କରି ଲେଖା ଯାଇଥିବା ଶବ୍ଦ ହୁଏତ ପଢ଼ି ପାରିବନି। ମିସିସିପି ଏହି ସମସ୍ୟା ଯୋଗୁଁ ଫୋନିକ୍ ବା ଧ୍ୱନି ପ୍ରକ୍ରିୟାରେ ପିଲାଙ୍କୁ ପଢ଼େଇଲା। ପ୍ରଥମେ କେଉଁ ଅକ୍ଷର କେଉଁ ଧ୍ୱନି ସାଙ୍ଗରେ ସମ୍ପର୍କ ଅଛି ଓ ତା’ପରେ ଅକ୍ଷରମାନଙ୍କ ସମ୍ମିଶ୍ରଣରେ କିଭଳି ଶବ୍ଦ ସୃଷ୍ଟି ହୁଏ ପିଲା ଶିଖିଲେ। ଅର୍ଥାତ୍ ପ୍ରଥମେ ପିଲା ଅନୁମାନ ନକରି ପଢ଼ିବା ଶିଖନ୍ତୁ, ପରେ ଶବ୍ଦର ଅର୍ଥ ଜାଣିବେ। ସ୍କୁଲମାନଙ୍କରେ ପଠନ ଉତ୍ସବ ପାଳନ କରାଗଲା, ଯେଉଁଥିରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କୁ ନିମନ୍ତ୍ରିତ କରାଗଲା।
ଆମେ ପ୍ରଥମେ ପଢ଼ିବା ଶିଖୁ। ଥରେ ପଢ଼ିବା ଶିଖିଲେ, ପଢ଼ିବା ଦ୍ୱାରା ଶିଖୁ। ତୃତୀୟ ଶ୍ରେଣୀ ଭିତରେ ପଢ଼ିବା ଶିଖିଗଲେ, ଆମେ ଭୂଗୋଳ, ସମାଜ ବିଜ୍ଞାନ, ଗଣିତ ଇତ୍ୟାଦି ପଢୁ, ବୁଝୁ ଓ ଜାଣୁ। ଯଦି ପିଲାଟି ତୃତୀୟ ଶ୍ରେଣୀ ଭିତରେ ଆବଶ୍ୟକତା ଅନୁସାରେ ପଢ଼ି ପାରୁନି, ତେବେ ଗୋଟିଏ ବ୍ୟବଧାନ ସୃଷ୍ଟି ହୁଏ, ଯାହା ଆଗକୁ ଯାଇ ବଢ଼େ। ତେଣୁ କୋଠାବାଡ଼ି ନିର୍ମାଣ ନୁହେଁ, ଛାତ୍ରଛାତ୍ରୀଙ୍କୁ ପଢ଼ିବା ଶିଖେଇବା ଉପରେ ଧ୍ୟାନ ଦେଲେ ହିଁ ସ୍କୁଲ ଶିକ୍ଷା ଅଧିକ ଫଳପ୍ରଦ ହେବ। ବିଶେଷ କରି ପଛରେ ରହି ଯାଉଥିବା ପିଲାଙ୍କୁ ଅଧିକ ସହାୟତା ଯୋଗାଇ ଦେବାକୁ ପଡ଼ିବ। ମିସିସିପିର ଅନୁଭୂତିରୁ ଅନ୍ୟ ଦେଶ ଶିଖିବାକୁ ଉଦ୍ୟମ କରୁଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)

2 hours ago
1


