Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ମାମଲା ରୁଜୁ କଲା କ୍ରାଇମ୍‌ବ୍ରାଞ୍ଚ, ଆଇପିଏସ୍ ବିବେକାନନ୍ଦ ଶର୍ମାଙ୍କୁ ଦାୟିତ୍ବ

4 hours ago 1
ARTICLE AD BOX

କଟକ/ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କ୍ରାଇମ୍‌ବ୍ରାଞ୍ଚ ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି। ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା(କେସ୍ ନଂ ୮) ବିଏନ୍‌ଏସ୍‌ର ଧାରା ୩୧୬(୫), ୨୦୧, ୩(୫), ୬୧(୨)ରେ ରୁଜୁ କରାଯାଇଛି। ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ସଂପୂର୍ଣ୍ଣ ପ୍ରକ୍ରିୟାକୁ କ୍ରାଇମବ୍ରାଞ୍ଚ ଏସ୍‌ପି ବିବେକାନନ୍ଦ ଶର୍ମା ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତକୁ ଅଧିକ ବ୍ୟାପକ ଓ ନିରପେକ୍ଷ  ଭାବେ ପରିଚାଳନା କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ହୋଇଛି। ଯେଉଁ ଟିମ୍‌ଗୁଡ଼ିକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଓ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ କରିବ। ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଓ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯିବ। ସମ୍ପୃକ୍ତ ରହିଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟିର ରିପୋର୍ଟ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଛି। ସଂପୂର୍ଣ୍ଣ ପ୍ରକାଶନ ପ୍ରକ୍ରିୟାକୁ କ୍ରାଇମବ୍ରାଞ୍ଚ ଅନୁଧ୍ୟାନ କରିବ। କାହାକୁ କେଉଁ ଦାୟିତ୍ବ ଦିଆଯାଇଥିଲା, ଏ ନେଇ ରାଜ୍ୟ ସରକାରଙ୍କ ନିକଟରୁ ତଥ୍ୟ ସଂଗ୍ରହ କରାଯାଉଛି। ତାହାରି ଆଧାରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଉତ୍ତରଦାୟିତ୍ବ ସ୍ଥିର କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଡିଟିପି ଓ ଡିଜାଇନ୍‌ ବାବଦ ଟେଣ୍ଡର ପ୍ରକ୍ରିୟାର ଯାଞ୍ଚ ସହିତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ। କ୍ରାଇମବ୍ରାଞ୍ଚ ଟିମ୍ ଯେଉଁମାନଙ୍କୁ ଜେରା କରିବ, ସେମାନଙ୍କ ତାଲିକା ସହିତ କାହାକୁ କେଉଁ ପ୍ରଶ୍ନ ପଚରାଯିବ, ଏହାକୁ ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ପର୍ଯ୍ୟାୟକ୍ରମେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଡାକି ଜେରା କରାଯିବ। ଏଥିପାଇଁ କ୍ରାଇମବ୍ରାଞ୍ଚ ଏକକାଳୀନ ଭାବେ ଏକାଧିକ ଟିମ୍ ଗଠନ କରିଥିବା ବେଳେ ଏମାନେ ରାଜ୍ୟ ବାହାରକୁ ଯିବାର ସମ୍ଭାବନା ରହିଛି। ସବୁ ଟିମ୍‌ର ତଦନ୍ତ ପ୍ରକ୍ରିୟାକୁ ଆଇପିଏସ୍ ଅଫିସର ବିବେକାନନ୍ଦ ଶର୍ମା ଅନୁଧ୍ୟାନ କରିବା ସହିତ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରିବେ‌।

ଆଇପିଏସ୍ ବିବେକାନନ୍ଦ ଶର୍ମାଙ୍କୁ ଦାୟିତ୍ବ
ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଘନଘନ ବୈଠକ
୧୫ରେ ଡକାଗଲା ଡିଇଓଙ୍କ ସମୀକ୍ଷା ବୈଠକ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆଜି ଦିନତମାମ ଲୋକସେବା ଭବନରେ ଘନଘନ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବାହ୍ଣରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରକୋଷ୍ଠରେ ବିଭାଗୀୟ ସଚିବ ଏନ୍‌ ତିରୁମାଲା ନାୟକଙ୍କ ସହ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ଗଣଶିକ୍ଷା ସଚିବ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ଶ୍ରୀମତୀ ସାହୁ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ପାଖାପାଖି ଏକ ଘଣ୍ଟା ଧରି ମାନସମନ୍ଥନ ହୋଇଥିଲା। ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ଶ୍ରୀମତୀ ସାହୁ ଗୋଟି ଗୋଟି କରି ତଥ୍ୟ ରଖିଥିଲେ। ବିଭାଗ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ କେଉଁଭଳି ଭାବେ ତଦନ୍ତରେ ସହଯୋଗ କରାଯିବ ସେନେଇ ଆଲୋଚନା କରାଯାଇଥିଲା। ତେବେ ବୈଠକ ସମ୍ପର୍କରେ ବିଭାଗର କୌଣସି ବି ଅଧିକାରୀ ମୁହଁ ଖୋଲି ନ ଥିଲେ। ପାଠ୍ୟପୁସ୍ତକ ପ୍ରସ୍ତୁତି, ମୁଦ୍ରଣ, ବଣ୍ଟନ ପ୍ରକ୍ରିୟାରେ କୋଟି କୋଟି ଟଙ୍କାର କାରବାର ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ତାହାର ଖୋଳତାଡ଼ ସମୟରେ ବଡ଼ବଡ଼ିଆ ପଡ଼ିବା ଏକପ୍ରକାର ଥୟ। ଏସ୍‌ସିଇଆର୍‌ଟି ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ନିଲମ୍ବିତ ହୋଇଥିବା ବେଳେ ବିଭାଗର ବିଭିନ୍ନ ଦାୟିତ୍ବରେ ରହିଥିବା ଆଉ ୩ଜଣ ପ୍ରଶାସନିକ ଅଧିକାରଙ୍କ ମୁଣ୍ଡ ଉପରେ ଏବେଠାରୁ ଖଣ୍ଡା ଝୁଲିଲାଣି। କୌଣସି ବି ସମୟରେ କ୍ରାଇମ୍‌ବ୍ରାଞ୍ଚ ସେମାନଙ୍କୁ ପଚରାଉଚରା କରିପାରେ।

ଅନ୍ୟପକ୍ଷ‌ରେ ପାଠ୍ୟପୁସ୍ତକ ତ୍ରୁଟି ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖରେ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିଭାଗୀୟ ସମ୍ମିଳନୀ କକ୍ଷରେ ଓସ୍‌ୱାସ୍‌ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗଣଶିକ୍ଷା ବିଭାଗର ବିଭିନ୍ନ ବିଷୟରେ ସମୀକ୍ଷା କରାଯିବ। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.