ARTICLE AD BOX
ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଏବଂ ସମ୍ମାନଜନକ କର୍ପୋରେଟ୍ ଗ୍ରୁପ୍ ଟାଟାର ବୋର୍ଡରୁମରେ ଏବେ ଚାଲିଛି ହାଇଭୋଲ୍ଟେଜ୍ ଡ୍ରାମା। ଟାଟା ସନ୍ସର ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ନେଇ ଟାଟା ଟ୍ରଷ୍ଟସ୍ ଓ ଟାଟା ସନ୍ସ ମଧ୍ୟରେ ମତଭେଦ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି। ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି ଟାଟା ସନ୍ସର ଏକ ନିୟମଆର୍ଟିକଲ୍ ୧୨୧। ସେପ୍ଟେମ୍ବର ୧୭ରେ ହୋଇଥିବା ବୋର୍ଡ ବୈଠକରେ ଚନ୍ଦ୍ରଶେଖରନଙ୍କୁ ପୁଣିଥରେ ଟାଟା ଗ୍ରୁପ୍ର ଚେୟାରମ୍ୟାନ୍ କରିବା ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବକୁ ଟାଟା ଟ୍ରଷ୍ଟସ୍ର ଚେୟାରମ୍ୟାନ୍ ନୋଏଲ ଟାଟା ବିରୋଧ କରିଥିବା ବେଳେ, ଟ୍ରଷ୍ଟସ୍ର ଅନ୍ୟ ନୋମିନି ଡାଇରେକ୍ଟର ଭେଣୁ ଶ୍ରୀନିବାସନ ଏହାକୁ ସମର୍ଥନ କରିଥିଲେ। ଫଳରେ ମତ ବିଭାଜନ ହୋଇଥିଲା ଓ ଶେଷରେ ଚେୟାରମ୍ୟାନଙ୍କ କାଷ୍ଟିଂ ଭୋଟ୍ ନିଷ୍ପତ୍ତିର ମୋଡ଼ ବଦଳାଇଥିଲା।
ଟାଟା ଟ୍ରଷ୍ଟସ୍ର ଯୁକ୍ତି ହେଉଛି, ଆର୍ଟିକଲ୍ ୧୨୧ ଅନୁସାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ଟ୍ରଷ୍ଟସ୍ର ନୋମିନି ଡାଇରେକ୍ଟରମାନଙ୍କ ବହୁମତ ସମର୍ଥନ ଆବଶ୍ୟକ। ଦୁଇ ନୋମିନି ମଧ୍ୟରୁ ଜଣେ ସମର୍ଥନ ଓ ଜଣେ ବିରୋଧ କଲେ ତାହାକୁ ବହୁମତ କୁହାଯାଇପାରିବ ନାହିଁ। ସେଥିପାଇଁ ନୋଏଲ ଟାଟା ଏହି ପ୍ରସ୍ତାବର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି।
Tata Sons: ଟାଟା ସନ୍ସ ବନାମ ଟାଟା ଟ୍ରଷ୍ଟ, ଲମ୍ବା ଲଢ଼େଇ ପାଇଁ ଉଭୟ ପକ୍ଷ ପ୍ରସ୍ତୁତ
ହେଲେ ଟାଟା ସନ୍ସ ପକ୍ଷରୁ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ୟୁ.ୟୁ. ଲଳିତ ଓ ପୂର୍ବତନ ସୁପ୍ରିମକୋର୍ଟ ଜଜ୍ ବି.ଏନ୍. ଶ୍ରୀକୃଷ୍ଣଙ୍କ ଆଇନଗତ ମତାମତ ଉପସ୍ଥାପନ କରାଯାଇଛି। ଉଭୟଙ୍କ ମତରେ, ଆର୍ଟିକଲ୍ ୧୨୧ର ନିୟମ ଅନୁଯାୟୀ ହିଁ ଭୋଟିଂ ହୋଇଛି ଏବଂ କାଷ୍ଟିଂ ଭୋଟ୍ର ବ୍ୟବହାର ସମ୍ପୂର୍ଣ୍ଣ ବୈଧ। ଏବେ ପ୍ରଶ୍ନ ଉଠୁଛି ଟାଟା ସାମ୍ରାଜ୍ୟର ଶୀର୍ଷ ସ୍ତରରେ ଆରମ୍ଭ ହୋଇଥିବା ଏହି ମତଭେଦ କେବଳ ଆଇନି ବ୍ୟାଖ୍ୟାରେ ସୀମିତ ରହିବ, ନା ଆଗାମୀ ଦିନରେ ଏହା ଟାଟା ଗ୍ରୁପ୍ର ନେତୃତ୍ୱ ଓ ଶାସନ ବ୍ୟବସ୍ଥା ଉପରେ ବଡ଼ ପ୍ରଭାବ ପକାଇବ? ଏବେ ସମସ୍ତଙ୍କ ନଜର ଟାଟା ବୋର୍ଡରୁମ ଉପରେ।

3 days ago
4

