ARTICLE AD BOX
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଲୋକମାନେ ଅଧିକ ମିଠା ବ୍ୟବହାର କରିଥାନ୍ତି। ନିଜେ ଉତ୍ସବ ପାଳନ କରିବା ହେଉ କିମ୍ବା ଅନ୍ୟ କାହାକୁ ଉପହାର ଦେବା, ସେମାନେ ସେହି ମିଠା, ଚକୋଲେଟ୍, କୁକିଜ୍ ଆଦି କିଣିବାରେ ଖର୍ଚ୍ଚ କରିଥାନ୍ତି। ଚଳିତ ବର୍ଷ ପୂଜା ଋତୁରେ ଏହି ସବୁ ଜିନିଷ ମହଙ୍ଗା ହେବାର ଆଶଙ୍କା ରହିଛି। ଏହା ପଛରେ ସବୁଠୁ ବଡ଼ କାରଣ ହେଉଛି ଚିନି ଦରରେ ହୋଇଥିବା ବୃଦ୍ଧି। ଦେଶରେ ବ୍ୟବସାୟ କରୁଥିବା ପ୍ରମୁଖ ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ଦରବୃଦ୍ଧି ସମ୍ପର୍କରେ ବିଚାର କରୁଛନ୍ତି। ବିକାଜୀ ଫୁଡ୍ସ ଏହାର ବିଭିନ୍ନ ଉତ୍ପାଦ ଦାମ୍ରେ ୨ ପ୍ରତିଶତ ବୃଦ୍ଧି କରିବା ସମ୍ପର୍କରେ ଚିନ୍ତା କରୁଛି ବୋଲି କମ୍ପାନିର ସିଏଫ୍ଓ ଋଷଭ ଜୈନ କହିଛନ୍ତି। ନିକଟରେ ଚିନି ଦରରେ ହୋଇଥିବା ଅହେତୁକ ବୃଦ୍ଧିର ମୁକାବିଲା କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ପରେ ଦର ଉପରେ ସାମାନ୍ୟ ନିୟନ୍ତ୍ରଣ ଆସିଛି। କିନ୍ତୁ ଏଫ୍ଏମ୍ସିଜି କମ୍ପାନିଗୁଡ଼ିକ ପାଇଁ ଏବେବି ଚିନି ସଂଗ୍ରହ ଦର କିିଛି ମାସ ତଳ ତୁଳନାରେ ୨୦ ପ୍ରତିଶତ ଅଧିକ ରହିଛି। ଅଧିକ ପରିମାଣରେ ଚିନି ବ୍ୟବହାର କରଥିବା ପାନୀୟ, ବିସ୍କୁଟ ଓ ଚକୋଲେଟ୍ କମ୍ପାନିଗୁଡ଼ିକର ଖର୍ଚ୍ଚ ବହୁତ ବଢ଼ିଯାଇଛି।
ଚିନି ଦରବୃଦ୍ଧି ପ୍ରଭାବ
ଏଫ୍ଏମ୍ସିଜି ଶିଳ୍ପର ବରିଷ୍ଠ ଅଧିକାରୀଙ୍କ ମତରେ ସେମାନେ ଚିନି ଦରକୁ ନେଇ ଯେଉଁ ଯୋଜନା କରିଥିଲେ ତାହାକୁ ଏବେ ବଦଳାଇବାକୁ ବାଧ୍ୟ ହେଉଛନ୍ତି। ଦରବୃଦ୍ଧି ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରିଯାଇଥିବାରୁ ସେମାନେ ଅନ୍ୟ ଉପାୟ ନ ପାଇଁ ଶେଷରେ ଉତ୍ପାଦ ଦର ବୃଦ୍ଧି କରି ସେହି ଖର୍ଚ୍ଚ ବାହାର କରିବାକୁ ଚିନ୍ତା କରୁଛନ୍ତି। ସେମାନେ ପ୍ୟାକେଟ୍କୁ ଛୋଟ କରିବା କିମ୍ବା ପ୍ୟାକେଟ୍ ଭିତରେ ଜିନିଷର ମାତ୍ରା କମ୍ କରିବାକୁ ଚାହୁଛନ୍ତି। ଉତ୍ପାଦନ ଖର୍ଚ୍ଚ ଅଧିକ ରହିଲେ କମ୍ପାନିଗୁଡ଼ିକ ନିଜର ମାର୍କେଟିଂ ଖର୍ଚ୍ଚ କମ୍ କରିବାକୁ ବାଧ୍ୟ ହୋଇପାରନ୍ତି ଯାହା ବଜାରରେ ପ୍ରତିଯୋଗିତା କରିବା ପାଇଁ ସେମାନଙ୍କ କ୍ଷମତାକୁ ସଙ୍କୁଚିତ କରିବ। ହିନ୍ଦୁସ୍ତାନ ୟୁନିଲିଭର, ମାରିକୋ ଓ ଡାବର ଭଳି କମ୍ପାନି ବିଭିନ୍ନ ଉତ୍ପାଦ ଦରରେ ୨-୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିସାରିଲେଣି।
ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ଚିନିର ହାରାହାରି ଖୁଚୁରା ଦର ସେପ୍ଟେମ୍ବରରେ କେଜି ପିଛା ୬୨ ଟଙ୍କା ରହିଛି ଯାହା ଗତ ଜୁନରେ ୪୭ ଟଙ୍କା ଥିଲା। ସେହିପରି ଏହି ସମୟରେ ଚିନିର କ୍ବିଣ୍ଟାଲ ପିଛା ପାଇକାରୀ ଦର ୪୩୫୦ ଟଙ୍କାରୁ ବୃଦ୍ଧି ପାଇ ୫୪୪୭ ଟଙ୍କା ହୋଇଛି। ଚଳିତ ଋତୁରେ ଚିନି ଉତ୍ପାଦନ ୩୦୬ ଲକ୍ଷ ଟନ୍ ଆକଳନ କରାଯାଇଛି ଯାହା ପ୍ରାରମ୍ଭିକ ଆକଳନ ୩୪୩ ଲକ୍ଷ ଟନ୍ ତୁଳନାରେ କମ୍। ପେଟ୍ରୋଲ୍ରେ ଇଥାନଲ୍ ମିଶ୍ରଣ ଓ ଆବଶ୍ୟକତାଠାରୁ ଅଧିକ ରପ୍ତାନି ଭଳି କାରଣ ପାଇଁ ଚିନି ଦର ବଢ଼ୁଥିବା ବିଶେଷଜ୍ଞମାନେ କହିଛନ୍ତି।

1 hour ago
1


