ARTICLE AD BOX
ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେଦିଲ୍ଲୀର ଜନ୍ତରମନ୍ତର ସମେତ ବିଭିନ୍ନ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ଓ ଆନ୍ଦୋଳନକାରୀଙ୍କ ଉପରେ ପୁଲିସ, ପାରାମିଲିଟାରୀ ଏବଂ ସୁରକ୍ଷାବଳ ଦ୍ଵାରା ଅତ୍ୟାଚାର ଓ ମାତ୍ରାଧିକ ବଳପ୍ରୟୋଗ ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମ୍ କୋର୍ଟ ଗୁରୁବାର ଏକ ୫-ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି (ଏଚପିଇସି) ଗଠନ କରିଛନ୍ତି। ବିଶେଷ କରି ମହିଳା ଆନ୍ଦୋଳନକାରୀଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର, ଯୌନ ନିର୍ଯାତନା ଏବଂ ଗୁରୁତର ଆହାତ ମାମଲାଗୁଡ଼ିକୁ ପ୍ରାଥମିକତା ଦେଇ ତଦନ୍ତ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମ୍ବେଦନଶୀଳ ମାମଲାର ପ୍ରମାଣ ନଷ୍ଟ ନହେବା ପାଇଁ ଆନ୍ଦୋଳନ ସମୟର ସିସିଟିଭି ଫୁଟେଜ୍, ଡ୍ରୋନ୍ ରେକର୍ଡିଂ, ବଡି-କ୍ୟାମ୍ ଫୁଟେଜ୍ ଏବଂ ପିସିଆର୍ କଲ୍ ରେକର୍ଡ ସୁରକ୍ଷିତ ରଖିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଏହାସହ ଅଟକ ରହିଥିବା ନାବାଳକମାନଙ୍କୁ ତୁରନ୍ତ ଛାଡ଼ିବାକୁ ଏବଂ ଆନ୍ଦୋଳନକାରୀଙ୍କ ବ୍ୟକ୍ତିଗତ ତଥ୍ୟକୁ ସାର୍ବଜନୀନ ନକରି ଗୋପନ ରଖିବାକୁ ପୁଲିସକୁ କୁହାଯାଇଛି। ପୁଲିସ ଦ୍ଵାରା ଲାଠିଚାର୍ଜ, ଲୁହୁହାବୁଅ ଗ୍ୟାସ୍, ଇଲେକ୍ଟ୍ରିକ୍ ବାଡ଼ି ଏବଂ ପେଲେଟ୍ ଗନର ବ୍ୟବହାର ଯାଞ୍ଚ କରିବା ସହ ଧାତବ ପେଲେଟ୍ ଶୁଟ୍ କରୁଥିବା ପମ୍ପ-ଆକ୍ସନ୍ ରାଇଫଲକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ କି ନାହିଁ, ସେ ନେଇ କମିଟି ଅନୁଧ୍ୟାନ କରିବ। ଆନ୍ଦୋଳନ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ନାଗରିକଙ୍କ ସାମ୍ବିଧାନିକ ଗଣତାନ୍ତ୍ରିକ ଅଧିକାର ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ବେଆଇନ୍ ନଜରଦାରି ଯାଞ୍ଚ କରିବା ଏବଂ କାର୍ଯ୍ୟରତ ପୁଲିସ ଯବାନଙ୍କ ପାଇଁ ନାମଫଳକ ଓ ୟୁନିଫର୍ମ ବାଧ୍ୟତାମୂଳକ କରିବା ସମ୍ପର୍କରେ ଏହି କମିଟି ସୁପାରିଶ ପ୍ରଦାନ କରିବ।

54 minutes ago
2


