Supreme Court: ଜଙ୍କ୍‌ ଫୁଡ୍‌ରେ ସତର୍କ ସୂଚନା ନେଇ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ୨ ସପ୍ତାହ ମହଲତ

1 hour ago 4
ARTICLE AD BOX

ନୂଆଦିଲ୍ଲୀ: ପ୍ୟାକେଟ୍‌ ଖାଦ୍ୟରେ ଥିବା ଅଧିକ ଚିନି, ଲୁଣ ଓ ସାଚୁରେଟେଡ୍‌ ଫ୍ୟାଟ୍‌ ସମ୍ପର୍କରେ ସାମ୍ନା ପାର୍ଶ୍ୱରେ ସ୍ପଷ୍ଟ ସତର୍କ ସୂଚନା ଲେବଲ୍‌ ଲଗାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟ ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ କହିଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟ ସହ କୌଣସି ପ୍ରକାର ସାଲିସ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଜେ.ବି. ପାର୍ଦିୱାଲା କଡ଼ା ଟିପ୍ପଣୀ କରିଛନ୍ତି।

ଜଷ୍ଟିସ୍‌ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍‌ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କହିଛନ୍ତି। ସରକାର ନିଜ ଆଡ଼ୁ ପଦକ୍ଷେପ ନେଲେ ଭଲ, ନଚେତ୍‌ ସୁପ୍ରିମ୍‌କୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ଦେବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖାଦ୍ୟ ପ୍ୟାକେଟ୍‌ରେ ଲେବଲିଂ ସମ୍ପର୍କରେ ବିକଶିତ ଦେଶଗୁଡ଼ିକର ମାନଦଣ୍ଡକୁ ଭାରତ ଅନୁସରଣ କରିପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଯୁକ୍ତି ଉପରେ ଜଷ୍ଟିସ୍‌ ପାର୍ଦିୱାଲା ପ୍ରଶ୍ନ ଉଠାଇଥିଲେ। ଏହି ପ୍ରସଙ୍ଗରେ ଭାରତ କ’ଣ ଅନୁନ୍ନତ ଦେଶ ହୋଇ ରହିବା ଉଚିତ ବୋଲି ସେ ପ୍ରଶ୍ନ କରିଥିଲେ। ଏହି ବିଷୟରେ ସରକାରଙ୍କୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

‘୩ଏସ୍‌ ଆଣ୍ଡ୍‌ ଆୱାର୍‌ ହେଲ୍‌ଥ ସୋସାଇଟି’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ସଂସ୍ଥା ପକ୍ଷରୁ ଓକିଲ ରାଜୀବ ଶଙ୍କର ଦ୍ୱିବେଦୀ ମାମଲା ପରିଚାଳନା କରୁଛନ୍ତି। ପ୍ୟାକେଟ୍‌ ଖାଦ୍ୟରେ ଅଧିକ ପରିମାଣରେ ଚିନି, ଲୁଣ ଓ ସାଚୁରେଟେଡ୍‌ ଫ୍ୟାଟ୍‌ ଥିଲେ ତାହା ପ୍ୟାକେଟ୍‌ର ସାମ୍ନା ପାର୍ଶ୍ୱରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ସେମାନେ ଦାବି କରିଛନ୍ତି। ଏହା ପୂର୍ବରୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ ପ୍ରାଧିକରଣର ପଦକ୍ଷେପ ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମୋଟାପଣ, ବିଶେଷକରି ଶିଶୁମାନଙ୍କ ମଧ୍ୟରେ ଏହାର ବୃଦ୍ଧି ଏବଂ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟର ବଢ଼ୁଥିବା ବ୍ୟବହାର ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ଗୁରୁତ୍ୱ ପାଇଛି। ସମ୍ବିଧାନର ଧାରା ୨୧ ଅନୁସାରେ ଜୀବନର ଅଧିକାର ସହ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରସଙ୍ଗ ଜଡ଼ିତ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି। ସେଥିପାଇଁ ଗ୍ରାହକମାନେ ସୁସ୍ଥ ବିକଳ୍ପ ବାଛିପାରିବା ନିମନ୍ତେ ଖାଦ୍ୟର ସମ୍ଭାବ୍ୟ କ୍ଷତିକାରକ ଉପାଦାନ ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ ମତ ଦେଇଛନ୍ତି।

ବନ୍ୟାବିଧ୍ବସ୍ତ ନେପାଳକୁ ଭାରତର ଦ୍ୱିତୀୟ ପର୍ଯ୍ୟାୟ ରିଲିଫ୍‌ ସହାୟତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.