ARTICLE AD BOX
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ଜିଲ୍ଲାର ୪ ପୌରାଞ୍ଚଳ ଯଥା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି), ବୀରମିତ୍ରପୁର ପୌରପାଳିକା, ରାଜଗାଙ୍ଗପୁର ପୌରପାଳିକା ଓ ସୁନ୍ଦରଗଡ଼ ପୌରପାଳିକାରୁ ପ୍ରତ୍ୟହ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ସଫଳ ପ୍ରକ୍ରିୟାକରଣ କରାଯାଇପାରୁନାହିଁ। ଜିଲ୍ଲାର ଏହି ୪ ପ୍ରମୁଖ ସହରାଞ୍ଚଳରୁ ଦୈନିକ ପ୍ରାୟ ୧୫୫.୩୯ ମେଟ୍ରିକ ଟନ୍ କଠିନ ବର୍ଜ୍ୟବସ୍ତୁ ବାହାରୁଛି। ତେବେ ସେଥିମଧ୍ୟରୁ ମାତ୍ର ୫୭.୪୬ ମେଟ୍ରିକ ଟନ୍ (୩୬.୯୭%) ଆବର୍ଜନାର ପ୍ରକ୍ରିୟାକରଣ କରାଯାଉଥିବାବେଳେ ଅବଶିଷ୍ଟ ପ୍ରାୟ ୯୭.୯୩ ମେଟ୍ରିକ ଟନ୍ କଠିନ ବର୍ଜ୍ୟବସ୍ତୁ ବିଭିନ୍ନ ସ୍ଥାନରେ ଖୋଲାଖୋଲି ଗଦା କରାଯାଉଛି, ଯାହାକି ପରିବେଶ ପ୍ରଦୂଷଣର ବଡ଼ କାରଣ ସାଜିଛି।
National Antyodaya Diwas: ଜାତୀୟ ଅନ୍ତ୍ୟୋଦୟ ଦିବସ
ଆର୍ଏମ୍ସି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଦୈନିକ ପ୍ରାୟ ୧୧୩.୭୦ ମେଟ୍ରିକ ଟନ୍ କଠିନ ବର୍ଜ୍ୟବସ୍ତୁ ବାହାରୁଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି, ଏଥିରୁ ମାତ୍ର ୪୦ ମେଟ୍ରିକ ଟନ୍ (୩୫.୧୮) ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଉଛି। ସହରର ଜୈବବିଘଟନଯୋଗ୍ୟ ବର୍ଜ୍ୟବସ୍ତୁକୁ ଖତରେ ରୂପାନ୍ତରିତ କରିବା ପାଇଁ ଆର୍ଏମ୍ସି ପକ୍ଷରୁ ମୋଟ ୮ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ସିସି) ପ୍ରତିଷ୍ଠା କରାଯାଇଛି। ତେବେ ବାହାରୁଥିବା ଆବର୍ଜନା ତୁଳନାରେ ଏହି ସମସ୍ତ କେନ୍ଦ୍ରଗୁଡ଼ିକର ସାମଗ୍ରିକ ପ୍ରକ୍ରିୟାକରଣ କ୍ଷମତା ଯଥେଷ୍ଟ କମ୍ ରହିଥିବାରୁ ଅବଶିଷ୍ଟ ପ୍ରାୟ ୭୩.୭୦ ମେଟ୍ରିକ ଟନ୍ ଆବର୍ଜନା ବିନା କୌଣସି ପ୍ରକ୍ରିୟାକରଣରେ ଖୋଲାଖୋଲି ଭାବେ ଡମ୍ପିଂ କରାଯାଉଛି। ଅନୁରୂପ ଭାବେ ଜିଲ୍ଲାର ଅନ୍ୟ ତିନିଟି ପୌରପାଳିକାର ସ୍ଥିତି ମଧ୍ୟ ଉଦ୍ବେଗଜନକ।
Road: ସୀମାନ୍ତ ଦୁଇ ରାସ୍ତାର ଭିନ୍ନଚିତ୍ର: ଓଡ଼ିଶା ପଟେ ବରବାଦ୍, ଝାଡ଼ଖଣ୍ଡରେ ଚକାଚକ୍
ବୀରମିତ୍ରପୁର ପୌରପାଳିକାରେ ପ୍ରତିଦିନ ୧୦.୮୧ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଥିବା ବେଳେ ମାତ୍ର ୫ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ହୋଇପାରୁଛି। ସେହିଭଳି ରାଜଗାଙ୍ଗପୁର ପୌରପାଳିକାରୁ ବାହାରୁଥିବା ୧୬.୪୩ ମେଟ୍ରିକ ଟନ୍ କଠିନ ଆବର୍ଜନା ମଧ୍ୟରୁ କେବଳ ୫ ମେଟ୍ରିକ ଟନ୍ ଏବଂ ସୁନ୍ଦରଗଡ଼ ପୌରପାଳିକାରେ ଉତ୍ପନ୍ନ ହେଉଥିବା ୧୪.୪୫ ମେଟ୍ରିକ ଟନ୍ ଆବର୍ଜନା ମଧ୍ୟରୁ ମାତ୍ର ୭.୪୬ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ସଫଳତାର ସହ ପ୍ରକ୍ରିୟାକରଣ କରାଯାଉଛି। ଫଳସ୍ୱରୂପ ସହରାଞ୍ଚଳଗୁଡିକରେ ସଂଗୃହୀତ ହେଉଥିବା ଏହି କଠିନ ବର୍ଜ୍ୟବସ୍ତୁର ବଳକା ଅଂଶ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି। ଯଦି ପ୍ରଶାସନ ପକ୍ଷରୁ ଅବିଳମ୍ବେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରାନଯାଏ, ତା’ହେଲେ ଆଗାମୀ ଦିନରେ ଏହି ସହରାଞ୍ଚଳଗୁଡ଼ିକ ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

3 days ago
5

