ARTICLE AD BOX
ବଅଁରପାଳ: ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ଆଗରେ ହାର ମାନିଛି ପ୍ରତିକୂଳ ପରିସ୍ଥିତି। କରୋନା ମହାମାରୀ ସମୟରେ ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲେ ମଧ୍ୟ ହାର ମାନି ନଥିଲେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ବୁଢ଼ାପଙ୍କ ପଞ୍ଚାୟତ ବୃନ୍ଦାବନପୁର ସାହିର ସୁମିତ୍ରା ସାହୁ। ନିଜସ୍ୱ ଉଦ୍ୟମ ଓ ଦୃଢ଼ ମନୋବଳ ବଳରେ ଆଜି ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ପରିଚିତ ହୋଇପାରିଛନ୍ତି। ସୁମିତ୍ରାଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ। କରୋନା ସମୟରେ ପରିବାରର ରୋଜଗାର ପନ୍ଥା ବନ୍ଦ ହୋଇଯାଇଥିଲା। ଏଭଳି ସ୍ଥିତିରେ ଚାକିରି ଅପେକ୍ଷା ନିଜେ କିଛି କରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଖଲି ଓ ଚଉପତି ତିଆରି କରିବା ଆରମ୍ଭ କରି ଆଖପାଖ ବଜାରରେ ବିକ୍ରି କରିଥିଲେ। ଏଥିରୁ ମିଳୁଥିବା ଆୟରେ ପରିବାର ପ୍ରତିପୋଷଣ କରିବା ସହ ଶାଶୂଘରର ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତାଙ୍କର ଏହି ପ୍ରୟାସ ଦେଖି ଗାଁର ଅନ୍ୟ ମହିଳାମାନେ ତାଙ୍କ ସହ ସାମିଲ ହୋଇଥିଲେ। ପରେ ସମସ୍ତେ ମିଶି ମା’ ଶିବାନୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ବ୍ୟବସାୟକୁ ଆଗକୁ ବଢ଼ାଇଥିଲେ।
/filters:format(webp)/sambad/media/media_files/2026/11/16/adgdadagdag-2026-11-16-01-16-08.jpg)
Women farmers: ନବରଂଗପୁର ମହିଳା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ଏବେ ଅମେରିକା ଓ ଲଣ୍ଡନରେ ବିକ୍ରି
ବ୍ୟବସାୟ ଆରମ୍ଭ କରିବା ପାଇଁ ସୁମିତ୍ରା କୌଣସି ସରକାରୀ ସହାୟତା ନେଇନାହାନ୍ତି କିମ୍ବା ବ୍ୟାଙ୍କରୁ ଋଣ କରିନାହାନ୍ତି। ନିଜସ୍ୱ ସଞ୍ଚିତ ୫ ଲକ୍ଷ ଟଙ୍କାକୁ ପୁଞ୍ଜି କରି ସେ ଏହି କାରବାର ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ଉଦ୍ୟମରେ ୧୫ ଜଣ ମହିଳା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇପାରୁଛନ୍ତି। ଉତ୍ପାଦିତ ଖଲି ଓ ଚଉପତିକୁ ସ୍ଥାନୀୟ ବଜାର ସମେତ ବିଭିନ୍ନ ସରକାରୀ ମେଳା ଓ ମହୋତ୍ସବରେ ବିକ୍ରି କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ସାମଗ୍ରୀର ଚାହିଦା ରହିଥିବାରୁ ବ୍ୟବସାୟ ଭଲ ଚାଲିଥିବା ସେ କହିଛନ୍ତି। ନିଜ ଉଦ୍ୟମ ଓ ପରିବାରର ସହଯୋଗରେ ସୁମିତ୍ରା ବାର୍ଷିକ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଆୟ କରୁଛନ୍ତି। ସ୍ୱଳ୍ପ ପରିମାଣରେ କଞ୍ଚାମାଲ କିଣି ବ୍ୟବସାୟ କରୁଥିବାରୁ ଆୟ ମଧ୍ୟ ସୀମିତ ରହୁଛି। ଅଧିକ ପରିମାଣରେ କଞ୍ଚାମାଲ ଯୋଗାଡ଼ କରିପାରିଲେ ବ୍ୟବସାୟର ପରିସର ବଢ଼ିବା ସହ ଅଧିକ ରୋଜଗାର ହୋଇପାରିବ ବୋଲି ସେ ଆଶା ରଖିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସହଯୋଗ ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।

1 hour ago
1


