Success farming: ଲଦାଖର ଚାଷୀ ଉତ୍ସାହିତ: ୩୦ ଦିନରେ ଫଳପ୍ରଦ ହେଲା ପରୀକ୍ଷାମୂଳକ କେଶର ଚାଷ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦାମୀ ମସଲା ଭାବେ ପରିଚିତ କେଶର ଏବେ ଲଦାଖରେ ମଧ୍ୟ ଚାଷ ହେବାକୁ ଯାଉଛି। ଯେଉଁ ଜମିକୁ ଦିନେ ଚାଷ ପାଇଁ ଅନୁପଯୋଗୀ ବୋଲି ବିବେଚନା କରାଯାଉଥିଲା, ସେଠାରେ ଏବେ କେଶର ଫୁଲ ଫୁଟିଛି। ଏହି ପରୀକ୍ଷାମୂଳକ ଚାଷ ସଫଳ ହେବା ପରେ ଲଦାଖର କୃଷି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ବଜାରରେ ଉନ୍ନତମାନର କଶ୍ମୀରୀ କେଶରର ମୂଲ୍ୟ କିଲୋ ପିଛା ୩ ଲକ୍ଷରୁ ୩.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

ଲଦାଖର ଲେହ ଅନ୍ତର୍ଗତ ସ୍ପିତୁକ ଫାରକା ଅଞ୍ଚଳରେ ପ୍ରାୟ ୪,୦୦୦ ବର୍ଗମିଟର ଜମିରେ ଏହି ଚାଷ କରାଯାଇଛି। ଏଥିପାଇଁ ଇରାନରୁ ପ୍ରାୟ ୯୦ ହଜାର କେଶର ଦାନା ଅଣାଯାଇଥିଲା, ଯାହାର ମୋଟ ଓଜନ ପ୍ରାୟ ୮୦୦ କିଲୋଗ୍ରାମ। ୨୦୨୬ ଅକ୍ଟୋବର ୧ ତାରିଖରେ ଏହି ଦାନାଗୁଡ଼ିକୁ ମାଟିରେ ରୋପଣ କରାଯାଇଥିଲା। ପ୍ରାୟ ଦୁଇ ମାସରେ ଫୁଲ ଫୁଟିବ ବୋଲି ଆଶା କରାଯାଉଥିବାବେଳେ ମାତ୍ର ୩୦ ଦିନ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହୋଇଥିଲା।

ପ୍ରତିଦିନ ଫୁଟୁଛି ୨୦ରୁ ୨୫ଟି ଫୁଲ
ଏହି କ୍ଷେତରେ ସାଧାରଣତଃ ପ୍ରତିଦିନ ୨୦ରୁ ୨୫ଟି କେଶର ଫୁଲ ଫୁଟୁଛି। ତେବେ ଗୋଟିଏ ଦିନରେ ସର୍ବାଧିକ ୭୨ଟି ଫୁଲ ଫୁଟିଥିବା ରେକର୍ଡ କରାଯାଇଛି। ପ୍ରଥମ ଚାରି ଦିନରେ ପ୍ରାୟ ୨୨ ଗ୍ରାମ ଶୁଦ୍ଧ କେଶର ସଂଗ୍ରହ କରାଯାଇଛି। ଏହି ସଫଳତା ଲଦାଖରେ କେଶର ଚାଷର ସମ୍ଭାବନାକୁ ଆହୁରି ବଢ଼ାଇଛି।

'ହିମ ସରୋବର' ପ୍ରକଳ୍ପରେ ଚାଷ
ଲଦାଖରେ ଏହି ଚାଷକୁ 'ହିମ ସରୋବର' ପ୍ରକଳ୍ପ ଅଧୀନରେ ଆରମ୍ଭ କରାଯାଇଛି। ଲଦାଖର ଉପରାଜ୍ୟପାଳ ଭି.କେ. ସକ୍ସେନା ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ବରଫ ତରଳିବା ଦ୍ୱାରା ମିଳୁଥିବା ଜଳକୁ ସଂରକ୍ଷଣ କରିବା ସହ ଅନୁପଯୋଗୀ ଜମିକୁ ପୁନର୍ବାର ଚାଷ ଉପଯୋଗୀ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ କୃଷିର ନୂଆ ଦିଗ ଖୋଲିବା ଆଶା କରାଯାଉଛି।

କାହିଁକି ଏତେ ମହଙ୍ଗା କେଶର?
କେଶରର ଦାମ୍ ଅଧିକ ହେବା ପଛରେ ଏହାର ଉତ୍ପାଦନ ପ୍ରକ୍ରିୟା ମୁଖ୍ୟ କାରଣ। ପ୍ରତ୍ୟେକ କେଶର ଫୁଲରୁ ମାତ୍ର ତିନୋଟି ଲାଲ୍ ରଙ୍ଗର ଷ୍ଟିଗ୍ମା ବା କେଶର ତନ୍ତୁ ମିଳିଥାଏ। ଏହାକୁ ହାତରେ ଅତି ସତର୍କତାର ସହ ବାହାର କରି ଶୁଖାଇବାକୁ ପଡ଼େ। ଏହି ପ୍ରକ୍ରିୟାରେ ଅଧିକ ପରିଶ୍ରମ ଓ ସମୟ ଆବଶ୍ୟକ ହେଉଥିବାରୁ କେଶରର ଉତ୍ପାଦନ ସୀମିତ ରହିଥାଏ।

Powerful storm: ଆମେରିକାରେ ଭୀଷଣ ଘୁର୍ଣ୍ଣିଝଡ଼; ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି

ଭାରତରେ କେଶର ଉତ୍ପାଦନର ପ୍ରାୟ ୯୦ ପ୍ରତିଶତ ଜମ୍ମୁ-କାଶ୍ମୀରରୁ ଆସିଥାଏ। ବିଶେଷକରି ପାମ୍ପୋର ଅଞ୍ଚଳ କେଶର ଚାଷ ପାଇଁ ବେଶ୍ ପ୍ରସିଦ୍ଧ। ଏବେ ଲଦାଖରେ ଏହି ପରୀକ୍ଷାମୂଳକ ଚାଷ ସଫଳ ହେବା ପରେ ଆଗାମୀ ଦିନରେ ବ୍ୟାବସାୟିକ ସ୍ତରରେ ଚାଷ ବୃଦ୍ଧି କରିବା ନେଇ ଆଶା ବଢ଼ିଛି। ଏହା ସଫଳ ହେଲେ ସ୍ଥାନୀୟ ଚାଷୀଙ୍କ ଆୟ ବୃଦ୍ଧି ସହ ନୂଆ ନିଯୁକ୍ତି ଓ ଆତ୍ମନିର୍ଭରଶୀଳତାର ସୁଯୋଗ ସୃଷ୍ଟି ହୋଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.