ARTICLE AD BOX
ତଦ୍ଦେହଲେପନାତ୍କିଂଚିଚ୍ଚନ୍ଦନଂ ପାପମୋଚନମ୍।
ଭକ୍ତ୍ୟା ଯେ ମନୁଜାଃ ଶୀଘ୍ରଂ ସେବନ୍ତେଽତ୍ର ମହୀତଳୋା
-ନୀଳାଦ୍ରିମହୋଦୟଃ, (୧୫/୫୭)
ଶ୍ରୀଜଗନ୍ନାଥ ଚନ୍ଦନପ୍ରିୟ। ଚନ୍ଦନଲାଗି ତାଙ୍କର ଏକ ପ୍ରିୟ ନୀତି। ତାହା ମଧ୍ୟରେ ପୁଣି ସର୍ବାଙ୍ଗଚନ୍ଦନ ନୀତି ରହିଛି। ସାରା ବର୍ଷ ଦୈନନ୍ଦିନ ଓ ବିଶେଷ ନୀତିମାନଙ୍କରେ ତାଙ୍କର ଶରୀରରେ ଯେଉଁ ଚନ୍ଦନ ଲେପନ କରାଯାଇଥାଏ, ଅଣସର ସମୟରେ ସେହି ଲେପ ଛଡ଼ାଯାଏ। ସ୍ନାନବେଦିରେ ପ୍ରତ୍ୟକ୍ଷ ସ୍ନାନ ଫଳରେ ସେମାନଙ୍କର ଶ୍ରୀଅଙ୍ଗ ସଂପୂର୍ଣ୍ଣ ଓଦା ହୋଇ ତାହା ବତୁରିଯାଇଥାଏ। ସେଥିପାଇଁ ପ୍ରଥମେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଏବଂ ତା’ପରେ ଚନ୍ଦନ ଏବଂ ଝୁଣା ଓ ରାଶିତେଲର ପ୍ରଲେପ ଛଡ଼ାଯାଏ। ଅଣସର ସମୟର ଗୁପ୍ତନୀତିର ଏହା ଏକ ବିଶେଷ ବିଧି। ଶ୍ରୀମନ୍ଦିର ପରିଭାଷାରେ ଶ୍ରୀଅଙ୍ଗରୁ ଛଡ଼ାଯାଇଥିବା ଏହି ପ୍ରଲେପକୁ କରାଳ ଓ ଚନ୍ଦନ କୁହାଯାଏ।
ଅଣସର ଦ୍ବାଦଶୀ ପୂର୍ବରୁ ଏହି କରାଳ ଓ ଚନ୍ଦନ ଆଦିକୁ ଅଣସରଘର ବାହାରକୁ ନିଆଯିବାର ବିଧି ନାହିଁ। ଦ୍ବାଦଶୀ ଦିନ ଭୋଗମଣ୍ଡପ ନୀତି ସରିବା ପରେ, ଶ୍ରୀଅଙ୍ଗରୁ ଅପସାରିତ ଏହି ଚନ୍ଦନ, କରାଳ ଓ ପାଟଡୋର ଅାଦିକୁ ରୁପାଥାଳିରେ ରଖାଯାଇ ଘଣ୍ଟ, ଛତା ଓ କାହାଳୀ ସହିତ ପଟୁଆରରେ ଗଜପତି ରାଜାଙ୍କ ଶ୍ରୀନଅରକୁ ନିଅାଯାଏ। ଏହାକୁ ରାଜପ୍ରସାଦ (ଶ୍ରୀଜଗନ୍ନାଥଙ୍କପ୍ରସାଦ) ବିଜେ ବା ରାଜପ୍ରାସାଦ (ଶ୍ରୀନଅର) ବିଜେ କୁହାଯାଏ।
ଶ୍ରୀଜିଉମାନଙ୍କର ଶ୍ରୀଅଙ୍ଗର ଏହି ନିର୍ମାଲ୍ୟ ଚନ୍ଦନର ମାହାତ୍ମ୍ୟ ସଂପର୍କରେ ‘ନୀଳାଦ୍ରିମହୋଦୟ’ର ଉପରୋକ୍ତ ସୁଭାଷିତରେ କୁହାଯାଇଛି–ଏହି ମହୀମଣ୍ଡଳରେ ଯେଉଁ ମନୁଷ୍ୟ ଅଣସରକାଳୀନ ପ୍ରଭୁଙ୍କର ଶ୍ରୀଅଙ୍ଗଚନ୍ଦନ ପାଇବା ମାତ୍ରେ ଭକ୍ତିପୂର୍ବକ ସେବନ କରନ୍ତି, ତାଙ୍କର ପାପ ନାଶ ଯାଏ। ଏହାର ପରବର୍ତ୍ତୀ ଶ୍ଳୋକ (୧୫/୫୮)ରେ ମଧ୍ୟ ଏ ସଂପର୍କରେ କୁହାଯାଇଛି–ଯେଉଁମାନେ ଏହି ଶ୍ରୀଅଙ୍ଗଚନ୍ଦନକୁ ଭକ୍ତିପୂର୍ବକ ସେବନ କରନ୍ତି, ସେମାନେ ନିଷ୍ପାପ ହୁଅନ୍ତି। ସେମାନେ ଇହଲୋକରେ ସୁଖଭୋଗ କରନ୍ତି ଏବଂ ଶେଷରେ ବୈକୁଣ୍ଠଲୋକ ପ୍ରାପ୍ତ ହୁଅନ୍ତି।
ପ୍ରସ୍ତୁତି: ଅସିତ ମହାନ୍ତି

1 hour ago
1


