ARTICLE AD BOX
ଗୁଆହାଟି: ଗୁଆହାଟି ବିଶ୍ବବିଦ୍ୟାଳୟର ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କ ମୃତଦେହ ଶନିବାର ସେ ରହୁଥିବା ହୋମଷ୍ଟେ ଘରୁ ସନ୍ଦେହଜନକ ଭାବରେ ଉଦ୍ଧାର କରାଯିବା ଘଟଣାରେ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। ୨୬ ବର୍ଷୀୟ ପୁରୁଷ ବନ୍ଧୁଙ୍କୁ ହତ୍ୟା ସନ୍ଦେହରେ ପୁଲିସ ଗିରଫ କରିଛି। ଘରୁ ରକ୍ତ ଦାଗ ମିଳିନଥିବାବେଳେ ସେ ନିଜେ ଫାଶୀ ଲଗାଇଥିବା ପୁରୁଷ ବନ୍ଧୁ ସଫେଇ ଦେବା ପରେ ପୁଲିସ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।
ସୂଚନାଯୋଗ୍ୟ, ଗୁଆହାଟି ବିଶ୍ବବିଦ୍ୟାଳୟର ସୋସିଓଲୋଜି ଛାତ୍ରୀ ନିମିଶା ଠାକୁରିଆ ଧାରାପୁରର ବାସିନ୍ଦା। ଗୁଆହାଟି ଉପକଣ୍ଠସ୍ଥ ଗରାଲରେ ପୁରୁଷ ବନ୍ଧୁ ଆସିଫ ଅଲ୍ଲୀଙ୍କ ସହିତ ସେ ରହୁଥିଲେ। ମୃତ ମହିଳାଙ୍କ ପାରିବାରିକ ବନ୍ଧୁ କହିଛନ୍ତି ଯେ, ନିମିଶା ରାତିରେ ପୁରୁଷ ବନ୍ଧୁଙ୍କ ଘରେ ରହିବେ ବୋଲି ଘରକୁ ଫୋନ୍ କରି କହିଥିଲେ। କିନ୍ତୁ ରାତି ଅଧରେ ନିଜ ମାଆଙ୍କୁ ଫୋନ୍ କରି କହିଥିଲେ ଯେ, ସେମାନେ ମୋତେ ମାରିଦେବେ।
ହତ୍ୟା ସନ୍ଦେହ
ନିମିଶା ଏତିକି କହୁଥିବାବେଳେ ବୋଧେ ତାଙ୍କ ଫୋନ୍ ଛଡ଼େଇ ନିଆଯାଇଥିଲା ଓ ତାଙ୍କୁ ହତ୍ୟା କରାଯାଇଥିଲା। ତେଣୁ ଏହି ଘଟଣାର ତଦନ୍ତ କରାଯାଉ ବୋଲି ନିମିଶାଙ୍କ ପରିବାର ଦାବି କରିଛି। ଯେହେତୁ ମହିଳା ଜଣକ ହିନ୍ଦୁ ଥିଲେ ଓ ଗିରଫ ହୋଇଥିବା ପୁରୁଷ ବନ୍ଧୁ ଜଣେ ମୁସଲିମ, ମୃତ୍ୟୁ ପରେ କିଛି ସଂଗଠନ ଏହାକୁ ‘ଲଭ୍ ଜିହାଦ’ ବୋଲି ଅଭିଯୋଗ କରି ପ୍ରତିବାଦ ଆରମ୍ଭ କରିଥିଲେ। ପୁଲିସ ହୋମଷ୍ଟେ ମାଲିକ, କେୟାରଟେକର ଓ ଅନ୍ୟ କର୍ମଚାରୀମାନଙ୍କୁ ପଚରାଉଚରା କରୁଛି।

1 day ago
1

