ARTICLE AD BOX
ମୋଗାଦିଶୁ: ସୋମାଲିଆର ପୁଣ୍ଟଲାଣ୍ଡ ଉପକୂଳରେ ତୁର୍କୀର ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ସାମଗ୍ରୀ ନେଇ ଯାଉଥିବା ଏକ କାର୍ଗୋ ଜାହାଜକୁ ସମୁଦ୍ର ଡକାୟତମାନେ ଅପହରଣ କରି ନେଇଛନ୍ତି। ଏହି ଜାହାଜରେ ୬ ଜଣ ଭାରତୀୟ ନାବିକଙ୍କ ସମେତ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ। ଗୁରୁବାର ସୋମାଲିଆର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଚାରି ଦିନ ପରେ ମଧ୍ୟ ଜାହାଜ ଓ ଏଥିରେ ଥିବା କ୍ରୁ ସଦସ୍ୟଙ୍କ ସ୍ଥିତି ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, କାମେରୁନ୍ର ପତାକା ଥିବା ଏମ୍/ଭି ଲୁତୁଫ ନାମକ ଏହି ଜାହାଜକୁ ସୋମବାର ପୁଣ୍ଟଲାଣ୍ଡର ଏଇଲ ଜିଲ୍ଲାର ମାରାୟା ଅଞ୍ଚଳଠାରୁ ପ୍ରାୟ ସାଢ଼େ ୩ ନଟିକାଲ୍ ମାଇଲ୍ ଦୂରରେ ଅପହରଣ କରାଯାଇଥିଲା। ଜାହାଜଟି ପୋଲାର ମୁଭମେଣ୍ଟ ସିପିଂର ମାଲିକାନାରେ ଥିଲା। ଏଥିରେ ମୋଗାଦିଶୁସ୍ଥିତ ତୁର୍କୀର ସାମରିକ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ଅସ୍ତ୍ରଶସ୍ତ୍ର ସହ ଯୋଗାଯୋଗ ଓ ଉପଗ୍ରହ ଉପକରଣ ନିଆଯାଉଥିଲା।
ଜାହାଜର ୧୦ ଜଣିଆ କ୍ରୁ ଭିତରେ ୬ ଜଣ ଭାରତୀୟ, ଜଣେ ତୁର୍କୀ ନାଗରିକ, ଜଣେ ଜର୍ଜିଆ ନାଗରିକ ଓ ଦୁଇ ଜଣ ସର୍ବିଆ ନାଗରିକ ଥିଲେ। ଅପହରଣ ପଛରେ ୮ ଜଣ ସଶସ୍ତ୍ର ସମୁଦ୍ର ଡକାୟତ ଥିବା କୁହାଯାଉଛି। ସେମାନେ ଜାହାଜକୁ ପୁଣ୍ଟଲାଣ୍ଡର ଡାଙ୍ଗୋରୋୟୋ ଜିଲ୍ଲାର ଗାରମାଲ ନିକଟ ଉପକୂଳ ଆଡ଼କୁ ନେଇଯାଇଥିବା ସୂଚନା ମିଳିଛି। ଏହି ଡକାୟତମାନେ ଏପ୍ରିଲ ୨୬ରେ ଏମ୍/ଭି ସ୍ବାର୍ଡ ଜାହାଜ ଅପହରଣ ଘଟଣାରେ ସାମିଲ ଥିବା ଗୋଷ୍ଠୀର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।

48 minutes ago
1


