ARTICLE AD BOX
ମୁମ୍ବାଇ: ଗତ କିଛି ଦିନ ମଧ୍ୟରେ ପୁଞ୍ଜି ବଜାରର ଉତ୍ସାହଜନକ ପ୍ରଦର୍ଶନ ପ୍ରଭାବରେ ଭାରତୀୟ ଷ୍ଟକ୍ ବଜାର ପୁଣି ଥରେ ବିଶ୍ବର ଶ୍ରେଷ୍ଠ ୫ଟି ଷ୍ଟକ୍ ବଜାର ମଧ୍ୟରେ ସାମିଲ ହୋଇଛି। ଏହା ତାଇୱାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଭାରତର ମୋଟ୍ ବଜାର ପୁଞ୍ଜି ପରିମାଣ ୫.୫ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି। ଶୀର୍ଷ ସ୍ଥାନରେ ୮୦.୯ ଟ୍ରିଲିୟନ ଡଲାର ବଜାର ପୁଞ୍ଜି ସହ ଆମେରିକା ରହିଛି। ଏହା ପଛକୁ ଚୀନ, ଜାପାନ ଓ ହଂକଂ ରହିଛନ୍ତି। ଭାରତ ପଞ୍ଚମ ସ୍ଥାନରେ ଥିବା ବେଳେ ଷଷ୍ଠରେ ତାଇୱାନ, ସପ୍ତମରେ କାନାଡା, ଅଷ୍ଟମରେ ବ୍ରିଟେନ, ନବମରେ ଦକ୍ଷିଣ କୋରିଆ ଓ ଦଶମ ସ୍ଥାନରେ ଫ୍ରାନ୍ସ ବଜାର ରହିଛି।
ଗତ ଅକ୍ଟୋବରରେ ୪୫,୧୬୨ କୋଟି ଟଙ୍କାର ଭାରତୀୟ ଇକ୍ବିଟି ସେୟାର ବିକ୍ରି କରିଥିବା ବୈଦେଶିକ ନିବେଶକମାନେ ନଭେମ୍ବର ମାସରେ ସେୟାର କିଣୁଛନ୍ତି। ଚଳିତ ମାସର ୧୧ ତାରିଖ ସୁଦ୍ଧା ବୈଦେଶିକ ପୋର୍ଟଫୋଲିଓ ନିବେଶକମାନେ ୬୩,୭୩୫ କୋଟି ଟଙ୍କାର ସେୟାର କିଣିଥିଲେ। ଘରୋଇ ସଂସ୍ଥାଗତ ନିବେଶକମାନେ ୪୦,୫୦୪ କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ଜିଓଜିତ୍ ଇନଭେଷ୍ଟମେଣ୍ଟ୍ସର ଚିଫ୍ ଇନଭେଷ୍ଟମେଣ୍ଟ୍ ଷ୍ଟ୍ରାଟେଜିଷ୍ଟ ଡକ୍ଟର ଭି କେ ବିଜୟକୁମାର କହିଛନ୍ତି, ନଭେମ୍ବର ପର୍ଯ୍ୟନ୍ତ ବିଦେଶୀ ନିବେଶକ ସେୟାର ବିକୁଥିଲେ ଓ ଘରୋଇ ନିବେଶକ କିଣୁଥିଲେ। ନଭେମ୍ବର ମାସରୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି। ବିଦେଶୀ ନିବେଶକମାନେ ସେୟାର କିଣୁଥିବା ବେଳେ ଘରୋଇ ନିବେଶକମାନେ ବିକ୍ରି କରୁଛନ୍ତି।
Stock Market: ଷ୍ଟକ୍ ବଜାରରେ ଅବିଶ୍ବସନୀୟ ଅସ୍ଥିରତା: ୧୫ ମିନିଟ୍ରେ ତୀବ୍ର ଉତ୍ଥାନ-ପତନ
ଭାରତୀୟ ଷ୍ଟକ୍ ବଜାର ସ୍ଥିତିରେ ସୁଧାର ହେବାର ଅନ୍ୟତମ କାରଣ ହେଉଛି ଏଆଇକୁ ନେଇ ରହିଥିବା ଉତ୍ସାହ ମାନ୍ଦା ପଡ଼ିବା। ତାଇୱାନ ଓ ଦକ୍ଷିଣ କୋରିଆରେ ନିବେଶକମାନେ ଏଆଇ କମ୍ପାନିର ସେୟାରଗୁଡ଼ିକୁ ବିପୁଳ ପରିମାଣରେ ବିକ୍ରି କରିଛନ୍ତି। ଫଳରେ ସେହି ଦୁଇ ଦେଶର ଷ୍ଟକ୍ ବଜାର ସୂଚକାଙ୍କରେ ବଡ଼ ଧରଣର ହ୍ରାସ ହୋଇଛି। ସମ୍ଭବତଃ ନିବେଶକମାନେ ସେଠାରୁ ପ୍ରତ୍ୟାହାର କରିଥିବା ପାଣ୍ଠିକୁ ଭାରତୀୟ ବଜାରରେ ନିବେଶ କରିଥିବା ଅନୁମାନ କରାଯାଉଛି। ଗତ ଅକ୍ଟୋବରରେ ବିଦେଶୀ ନିବେଶକମାନେ ତାଇୱାନ ବଜାରରୁ ୩୦୬୮ କୋଟି ଡଲାର ଓ ଦକ୍ଷିଣ କୋରିଆରୁ ୧୪୫୯ କୋଟି ଡଲାର ପ୍ରତ୍ୟାହାର କରିଥିଲେ। ଅନ୍ୟ ପକ୍ଷରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ଘଟିଥିବା ସୁଧାର ମଧ୍ୟ ଭାରତୀୟ ଅର୍ଥନୀତି ପାଇଁ ଲାଭଦାୟକ ହୋଇଛି। ତାହା ନିବେଶକମାନଙ୍କ ମନୋବଳ ବଢ଼ାଇବାରେ ସହାୟକ ହୋଇଛି।

1 hour ago
2


