Senior Newspaper Distributor ବରିଷ୍ଠ ଖବରକାଗଜ ବିତରକ ଲମ୍ବୋଦର ମହାପାତ୍ରଙ୍କ ଦେହାନ୍ତ

1 week ago 6
ARTICLE AD BOX

ବୈଶିଙ୍ଗା: ଖବରକାଗଜ କେବଳ ଖବରର କାଗଜ ନୁହେଁ, ଏହା ଲୋକଙ୍କ ହାତରେ ପହଞ୍ଚିଲେ ହିଁ ତାହାର ଯାତ୍ରା ସାର୍ଥକ ହୁଏ। ସେହି ଯାତ୍ରାର ଜଣେ ନିଷ୍ଠାବାନ ସାଥୀ, ବୈଶିଙ୍ଗା ଅଞ୍ଚଳର ଦୀର୍ଘଦିନର ପରିଚିତ ଖବରକାଗଜ ବିତରକ ତଥା ସରଳ, ମିଷ୍ଟଭାଷୀ ଓ ପରିଚିତ ବ୍ୟକ୍ତିତ୍ୱ ଲମ୍ବୋଦର ମହାପାତ୍ର (୭୪) ପରଲୋକ ଘଟିଛି।

କିଛିଦିନ ପୂର୍ବରୁ ବ୍ରେନ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହୋଇ ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ତେବେ ଗତକାଲି ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଯିବାରୁ ପରିବାରବର୍ଗ ତାଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ସମୟରେ ତାଙ୍କର ପରଲୋକ ଘଟିଥିଲା।

ବୈଶିଙ୍ଗା ଉପକଣ୍ଠ ଯୁଗୁପୁରା ଗ୍ରାମ ମସାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କ ଜ୍ୟଷ୍ଠ ପୁତ୍ର ଦିପୁ ମୁଖାଗ୍ନି ଦେଇଥିଲେ। ଏହି ଦୁଃଖଦ ମୁହୂର୍ତ୍ତରେ ପରିବାରବର୍ଗ, ବନ୍ଧୁବର୍ଗ ଓ ଅଗଣିତ ଶୁଭେଚ୍ଛୁଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଲମ୍ବୋଦର ମହାପାତ୍ରଙ୍କ ବିୟୋଗରେ ବୈଶିଙ୍ଗା ପ୍ରେସ କ୍ଲବ ଓ ‘ସମ୍ବାଦ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ବିଭିନ୍ନ ମହଲରୁ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି।

ସୂଚନାଯୋଗ୍ୟ ଦୀର୍ଘବର୍ଷ ଧରି, ‘ସମ୍ବାଦ’ ଖବରକାଗଜ ସହ ସେ ପ୍ରଥମ ଦିନରୁ ହିଁ ଜଡ଼ିତ ଥିଲେ। ବର୍ଷା ହେଉ କି ଖରା, ଶୀତ ହେଉ କି କାକରଭିଜା ସକାଳ—ସମୟରେ ଲୋକଙ୍କ ହାତରେ ଖବରକାଗଜ ପହଞ୍ଚାଇବା ଥିଲା ତାଙ୍କର ନିତିଦିନିଆ କର୍ତ୍ତବ୍ୟ। ନିଜ କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସମୟାନୁବର୍ତ୍ତିତା ତାଙ୍କୁ ସମସ୍ତଙ୍କ ନିକଟରେ ଏକ ପରିଚିତ ଚେହେରା କରିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.