ARTICLE AD BOX
କଟକ: ନିଆଁରେ ପୋଡ଼ିଯାଇଥିବା ରୋଗୀଙ୍କ ପାଇଁ ବର୍ଣ୍ଣ ବାଥ୍ (ଜଳ ଚିକିତ୍ସା ବା ହାଇଡ୍ରୋଥେରାପି) ବ୍ୟବସ୍ଥା ଏସ୍ସିବି ସର୍ଜରି ବିଭାଗରେ ଆରମ୍ଭ ହେବାକୁ ଯାଉଛି। ପୋଡ଼ିଯାଇଥିବା ରୋଗୀଙ୍କ ଶରୀରର ମୃତ ଟିସୁ ବା ଚମଡ଼ାକୁ ଏହି ମେସିନ ମାଧ୍ୟମରେ ସଫା କରାଯିବ। ଏଭଳି ଚିକିତ୍ସା ଦ୍ବାରା ରୋଗୀ ଶରୀରରେ ରକ୍ତ ସଂଚାଳନ ଗତିଶୀଳ ହେବା ସହିତ ଆରାମ ମିଳିବ। ୨୦ ଲକ୍ଷ ଟଙ୍କା ମୂଲ୍ୟର ଏହି ବର୍ଣ୍ଣ ବାଥ ମେସିନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ପୋଡ଼ିଯାଇଥିବା ରୋଗୀ ସାଧାରଣ ଭାବେ ଗାଧୋଇଲେ ସମସ୍ୟା ଥାଏ। ତେଣୁ ପ୍ରତି ୧୫ ଦିନରେ ଥରେ ଏଭଳି ବର୍ଣ୍ଣ ବାଥରେ ଡ୍ରେସିଂ କରାଯିବାର ଆବଶ୍ୟକତା ରହିଛି। ତେଣୁ ଅଗ୍ରାଧିକାର ଭିତ୍ତିରେ ଏହି ମେସିନ ସର୍ଜରି ବିଭାଗରେ ଲାଗିଥିବା ବେଳେ ବୈଦ୍ୟୁତିକ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ଶୀଘ୍ର ଏହା ରୋଗୀଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି।
ଲାଗିଲା ୨୦ ଲକ୍ଷର ମେସିନ୍
ନୂଆ କୋଠାରେ ବ୍ରେଷ୍ଟ କ୍ଲିନିକ୍, ବର୍ଣ୍ଣ ଆଇସିୟୁ
ଅନ୍ୟପଟେ ଏସ୍ସିବିର ନୂଆ କୋଠାର ସିଏନ୍ -୧ ଓ ସିଏନ୍-୪ ଟାୱାର ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ସିଏନ୍-୧କୁ ମେଡିସିନ ବିଭାଗର ୬୦୦ ଶଯ୍ୟା, ସିଏନ୍-୪କୁ ଟ୍ରମା ଆଇସିୟୁ ଓ ସର୍ଜରିର ମୋଟ ୫୦୬ ଶଯ୍ୟା ସ୍ଥାନାନ୍ତର କରାଯିବ। ଓଡ଼ିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍(ଓଏସ୍ଏମ୍ସି) ପକ୍ଷରୁ ମେଡିକାଲ ଉପକରଣ ୩ ମାସ ମଧ୍ୟରେ ସଂଯୋଗ କରାଯିବ। ଏବେ ସର୍ଜରି ବିଭାଗ କାର୍ଯ୍ୟକ୍ଷମ ହେଉଥିବା କୋଠାକୁ ଭଙ୍ଗାଯିବାକୁ ଯୋଜନା କରାଯାଉଛି। ନୂଆ କୋଠାରେ ଏକ ବ୍ରେଷ୍ଟ କ୍ଲିନିକ୍ ଖୋଲାଯିବ। ସେଠାରେ ସ୍ତନ କର୍କଟ କିମ୍ବା ଟ୍ୟୁମର ଜନିତ ସମସ୍ୟାର ଚିକିତ୍ସା କରାଯିବ। ନୂଆ କୋଠାରେ ସପ୍ତାହକୁ ଗୋଟିଏ ଦିନ ସର୍ଜରି ବିଭାର ସ୍ବତନ୍ତ୍ର ଆଉଟଡୋର ଖୋଲାଯିବ। ଯେହେତୁ ସର୍ଜରି ବିଭାଗରେ ସୋମବାରରୁ ରବିବାର ପ୍ରତ୍ୟେକ ଦିନ ଆଉଟଡୋର ରହୁଛି, ସେଥିପାଇଁ ଯେକୌଣସି ଗୋଟିଏ ଦିନ ସ୍ତନ ଜନିତ ସମସ୍ୟାର ଚିକିତ୍ସା ପାଇଁ ଆଉଟଡୋର ଖୋଲାଯିବ।
ଏବେ ସର୍ଜରି ବିଭାଗରେ ମହିଳା ବର୍ଣ୍ଣ ୱାର୍ଡ ପୁରୁଣା ସର୍ଜରି କୋଠାରେ ରହିଛି। ୧୦ଟି ଶଯ୍ୟା ମହିଳାଙ୍କ ପାଇଁ କାର୍ଯ୍ୟକ୍ଷମ ହେଉଛି। କିନ୍ତୁ ପୁରୁଷ ବର୍ଣ୍ଣ ୱାର୍ଡ ନାହିଁ। ପୋଡ଼ିବା ମାମଲାରେ ସର୍ଜରି ବିଭାଗକୁ ସ୍ଥାନାନ୍ତର ହୋଇଥିବା ପୁରୁଷଙ୍କୁ ଜେନେରାଲ ୱାର୍ଡରେ ରଖାଯାଉଛି। ନୂଆ କୋଠାରେ ପୁରୁଷ ବର୍ଣ୍ଣ ୱାର୍ଡ ଖୋଲାଯିବ। ସର୍ଜରି ବିଭାଗର ନିଜସ୍ବ ୧୬ଟି ଶଯ୍ୟା ବିଶିଷ୍ଟ ସର୍ଜରି ଆଇସିୟୁ ଥିଲା। କିନ୍ତୁ ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ଘଟି ରୋଗୀ ମୃତ୍ୟୁ ହେବା ପରେ ଟ୍ରମା ଆଇସିୟୁକୁ ସର୍ଜରି ବିଭାଗର ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସର୍ଜରି ବିଭାଗର ନିଜସ୍ବ ଆଇସିୟୁ ନ ଥିବାରୁ ଗୁରୁତର ରୋଗୀ ଚିକିତ୍ସାରେ ସମସ୍ୟା ହେଉଛି। ସେଥିପାଇଁ ନୂଆ କୋଠାରେ ବ୍ରେଷ୍ଟ କ୍ଲିନିକ ସହିତ ସର୍ଜରି ଆଇସିୟୁ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

1 hour ago
1


