Rengali Displaced People: ରେଙ୍ଗାଳି ବିସ୍ଥାପିତଙ୍କ ଦୁଃଖ: ଗୋଟିଏ ଗାଁ, ଦୁଇଟି ନାଁ

4 hours ago 4
ARTICLE AD BOX

ଅନୁଗୋଳ (କପିଳେନ୍ଦ୍ର ପ୍ରଧାନ): ୧୯୮୨ ମସିହାରେ ରେଙ୍ଗାଳି ବହୁମୁଖୀ ଡ୍ୟାମ୍‌ ନିର୍ମାଣ ପାଇଁ ପୁରୁଷ ପୁରୁଷର ଭିଟାମାଟିକୁ ଛାଡ଼ିଥିଲେ ଗ୍ରାମବାସୀ। ସରକାର ବିସ୍ଥାପିତଙ୍କୁ ଏକ ନୂଆ ଗାଁରେ ଥାଇଥାନ କଲେ। ହେଲେ ବିସ୍ଥାପିତଙ୍କୁ ଯେଉଁଠି ଥଇଥାନ କରାଗଲା ସେହି ଗୋଟିଏ ଗାଁକୁ ଦୁଇଟି ନାମ ଅର୍ଜୁନଝରି ଓ ନାରାୟଣଚନ୍ଦ୍ରପୁର ନାମରେ ନାମିତ କରାଗଲା। ଦୁଇଟି ନାମକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଯୋଗୁଁ ବିସ୍ଥାପନର ୪୪ ବର୍ଷ ପରେ ବି ସମସ୍ତ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ ହୋଇ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଅନୁଗୋଳ ରେଙ୍ଗାଳି ଡ୍ୟାମ୍‌ ବୁଡ଼ି ଅଞ୍ଚଳର ୬୫ଟି ବିସ୍ଥାପିତ ପରିବାର।

ରେଙ୍ଗାଳି ଡ୍ୟାମ୍‌ର ବୁଡ଼ି ଅଞ୍ଚଳ ଭାବେ ୧୯୮୨ ମସିହାରେ ପାଳଲହଡ଼ା ବ୍ଲକ୍ ପୁରୁଣାପାଣି ଗାଁର ୬୫ ପରିବାରକୁ ସରକାର ବିସ୍ଥାପିତ କରିଥିଲେ। ସେମାନଙ୍କୁ ଖମାର ନିକଟସ୍ଥ ଆଲୋରି ପଞ୍ଚାୟତର ଅର୍ଜୁନଝରି ଗାଁରେ ଥଇଥାନ କରାଯାଇଥିଲା। ସେତେବେଳେ ପ୍ରତି ପରିବାରକୁ ଜମି ବାବଦରେ ଏକର ପିଛା ୩,୦୦୦ରୁ ୫,୦୦୦ ଟଙ୍କା ସହ ଅର୍ଜୁନଝରି ଗାଁରେ ୬.୪ ଏକର ଲେଖାଏଁ ଜମି ପ୍ରଦାନ କରାଯାଇଥିଲା। ଏହି ନୂଆ ଗାଁରେ ସେମାନଙ୍କ ପାଇଁ ସବୁ ମୌଳିକ ସୁବିଧା ଖଞ୍ଜିଦେବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। ହେଲେ, ବିସ୍ଥାପିତ ହେବାର ୪୪ ବର୍ଷ ପରେ ବି ଏହି ଗାଁରେ ମୌଳିକ ସୁବିଧା ତ ଦୂର କଥା, ମୁଣ୍ଡ ଗୁଞ୍ଜିବାକୁ କୌଣସି ଗୋଟିଏ ପରିବାରକୁ ପକ୍କାଘରଟିଏ ମଧ୍ୟ ମିଳିପାରିନାହିଁ। ଗାଁର ପ୍ରାୟ ସବୁ ପରିବାର ଦଦରା ମାଟି ଚାଳଛପର ଘରେ ଜୀବନ ବିତାଉଛନ୍ତି। ପବିତ୍ର ନହରା କହିଛନ୍ତି, ତାଙ୍କ ନୂଆ ଗାଁର ୨ଟି ଭିନ୍ନ ନାମ ଥିବାରୁ ସେମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିଛି। ଗାଁ ଲୋକଙ୍କ ଭୋଟର କାର୍ଡ, ଆଧାର, ସ୍କୁଲ ପ୍ରମାଣପତ୍ର ଓ ବ୍ୟାଙ୍କଖାତାରେ ସେମାନଙ୍କ ଠିକଣା ଅର୍ଜୁନଝରି ରହିଥିବା ବେଳେ ଜମିପଟ୍ଟାରେ ନାରାୟଣଚନ୍ଦ୍ରପୁର ବୋଲି ଲେଖାଯାଇଛି। ଭିନ୍ନ ଭିନ୍ନ ପ୍ରମାଣପତ୍ରରେ ଗାଁର ଦୁଇ ଦୁଇଟି ନାମକରଣଜନିତ ଦ୍ବନ୍ଦ୍ବ ଯୋଗୁଁ ଗାଁ ଲୋକେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। କନକ ନାଗ କହିଛନ୍ତି, ସରକାରଙ୍କ ଅଣଦେଖା ଯୋଗୁଁ ପୁରୁଣା ଗାଁରେ ଏକ ଭଲ ଜୀବନ ବିତାଉଥିବା ଲୋକେ ଏଠାରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ନା’ ସେମାନଙ୍କ ପକ୍କାଘରଟିଏ ଅଛି, ନା ଗାଁକୁ ଭଲ ରାସ୍ତା ଅଛି। କାମଧନ୍ଦା ବି ମିଳୁନଥିବାରୁ ଯୁବପିଢ଼ି ଏବେ ଚେନ୍ନାଇ, ସୁରଟ ଆଦି ଜାଗାକୁ ଦାଦନ ଖଟିବାକୁ ଯାଉଛନ୍ତି। 

ଗାଁ ଲୋକଙ୍କ କହିବା କଥା, ଅର୍ଜୁନଝରି ଗାଁରେ ବିସ୍ଥାପିତ ଲୋକଙ୍କୁ ଜମି କାଗଜପତ୍ର ହସ୍ତାନ୍ତର ଦାୟିତ୍ୱରେ ଥିବା ରାଜସ୍ବ ନିରୀକ୍ଷକଙ୍କ ନାମ ନାରାୟଣ ଚନ୍ଦ୍ର ଥିଲା। ସେ ନିଜ ନାମ ଅନୁସାରେ ଜମିପଟ୍ଟାରେ ଗାଁର ରାଜସ୍ୱ ନାମ ନାରାୟଣଚନ୍ଦ୍ରପୁର ବୋଲି ଲେଖି ଦେଇଥିଲେ। ସେବେଠାରୁ ଏଭଳି ଦ୍ବୈତ ନାଁର ଦ୍ୱନ୍ଦ୍ୱ ଭିତରେ ସନ୍ତୁଳି ହେଉଛନ୍ତି ଗାଁ ଲୋକେ। ନାମକରଣଜନିତ ଦ୍ବନ୍ଦ୍ବ ସଂପର୍କରେ ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କହିଛନ୍ତି, ଏବେ ଏହି ବିସ୍ଥାପିତଙ୍କ ଗାଁର ରାଜସ୍ୱ ନାମ ନାରାୟଣଚନ୍ଦ୍ରପୁର ରହିଛି। ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଲୋକାଲ୍ ଗଭର୍ଣ୍ଣମେଣ୍ଟ ଡିରେକ୍ଟୋରି (ଏଲ୍‌ଜିଡି) କୋଡ୍‌ରେ ନାରାୟଣଚନ୍ଦ୍ରପୁର ରହିଛି। କିନ୍ତୁ, ଗାଁ ଲୋକଙ୍କ ଅନ୍ୟ ସବୁ କାଗଜପତ୍ରରେ ଗାଁର ନାମ ଅର୍ଜୁନଝରି ଥିବାରୁ ଏଭଳି ସମସ୍ୟା ହୋଇଛି। ଅର୍ଜୁନଝରି ନାମରେ ମଧ୍ୟ ଏଲ୍‌ଜିଡି କୋଡ୍‌ ବାହାର କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଏଲ୍‌ଜିଡି କୋଡ୍‌ ଆସିବା ପରେ ଏସବୁ ସମସ୍ୟାର ସମାଧାନ ହେବ ଓ ଗାଁ ଲୋକଙ୍କୁ ସବୁ ସରକାରୀ ସୁବିଧାସୁଯୋଗ ମିଳିପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.