Rath Yatra: ରଣପୁରରେ ମହାଆଡ଼ମ୍ବରରେ ଶ୍ରୀଗୁଣ୍ଡିଚା ଯାତ୍ରା

7 hours ago 1
ARTICLE AD BOX

ରଣପୁର (ବିଶ୍ବ ରଂଜନ ଆଚାର୍ଯ୍ୟ):  ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ନୟାଗଡ଼ ଜିଲ୍ଲା ରଣପୁରରେ ଉଭା ଉତ୍ସବ ପରେ ଗୁରୁବାର ବାର ଦିନ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ବହୁ ବର୍ଷ ଧରି ରାଜାରଜୁଡ଼ା ଅମଳରୁ ପାରମ୍ପରିକ ନୀତିକାନ୍ତି ଅନୁସାରେ ରଥଯାତ୍ରା ପାଳନ ହୋଇଆସୁଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର, ନେତ୍ରୋତ୍ସବ ସମେତ ବିଭିନ୍ନ ନୀତିକାନ୍ତି ମନ୍ଦିରରେ ସମ୍ପନ୍ନ ହେବା ପରେ ଶ୍ରୀଜୀଉମାନେ ବଡ଼ଦାଣ୍ଡରେ ସୁସଜ୍ଜିତ ତିନି ରଥରେ ବିଜେ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ପାରମ୍ପରିକ ନୀତିକାନ୍ତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ବିଜେ କରିବେ।

ମନ୍ଦିରରେ ମଙ୍ଗଳ ଆଳତି ନୀତି ସମାପ୍ତ ହେବା ପରେ ଅବକାଶ ନୀତି ସମ୍ପନ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବଲ୍ଲଭ ନୀତି ସହିତ ରାଜ ପୁରୋହିତ ବିଶ୍ୱନାଥ ଷଢଙ୍ଗୀ ଙ୍କ ଦ୍ୱାରା ରଥ ପ୍ରତିଷ୍ଠା କାର୍ଯ୍ୟ ସରିବା ପରେ ମହାପ୍ରଭୁଙ୍କ ସକାଳ ଧୂପ, ଧୋବ ପଖାଳ ଓ ମଙ୍ଗଳା ଅର୍ପଣ ନୀତି ସମାପନ ହୋଇଥିଲା। ଏହାପରେ ଅପରାହ୍ନରେ ଧାଡି  ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରକୁ ବିଜେ କରାଯାଇଥିଲା।

ରାଜା ଶ୍ରୀ ଶ୍ରୀ ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ଛେରା ପହରା ପାଇଁ ତାମଯାନ ବିମାନରେ  ଆସିଥିଲେ ମଧ୍ୟ ସେ ସାଙ୍ଗରେ ଧରି ଆସିଥିବା ନୂଆ  ରାଜପୁରୋହିତ ଙ୍କୁ ସେବାୟତ ମାନେ ବିରୋଧ କରିଥିଲେ। ପାରମ୍ପରିକ ପୁରୋହିତ ବିଶ୍ୱନାଥ ଷଢଙ୍ଗୀ ଙ୍କୁ ନେଇ ଛେରା ପହରା କରିବାକୁ କହିଥିଲେ। ତେଣୁ ରାଜା ନିଜ ଜିଦରେ ଅଟଳ ରହି ଫେରି ଯାଇଥିଲେ। ପାରମ୍ପରିକ ରାଜପୁରୋହିତ ବିଶ୍ୱନାଥ ଷଢଙ୍ଗୀ  ତିନି ରଥର ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ପରେ ହଜାର ହଜାର ଭକ୍ତଙ୍କ ଗହଳି ମଧ୍ୟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିବା ବେଳେ ମହିଳାମାନଙ୍କ ଦ୍ୱାରା ସୁଭଦ୍ରାଙ୍କ ଦେବୀଦଳନ ରଥ ଟଣାଯାଇ ମାଉସୀମା'ଙ୍କ ରଥଖଳାରେ ଲାଗିଥିଲା। ଅନ୍ୟପକ୍ଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଖଳାରେ ଅଟକି ରହିଥିଲା।

ଆଜିର ମେଘୁଆ ପାଗ ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇପଡ଼ିଥିଲେ। ତହସିଲଦାରଙ୍କ ସମେତ ପୋଲିସ ଓ ମନ୍ଦିର ପ୍ରଶାସନର ନେତୃତ୍ୱରେ ତାଳଧ୍ୱଜ ଓ ଦେବୀଦଳନ ରଥ ଗୁଣ୍ଡିଚା ମନ୍ଦିର ରଥଖଳା ନିକଟରେ ପହଞ୍ଚିଥିଲା ଏବଂ ସମଗ୍ର ରଥଯାତ୍ରା ସୁରୁଖୁରୁରେ ପରିଚାଳିତ ହୋଇଥିଲା।

ranapur1

ଉକ୍ତ କାର୍ଯ୍ୟକ୍ରମରେ ଆମ୍ବୁଲାନ୍ସ, ଅଗ୍ନି ନିର୍ବାହୀ ବିଭାଗ, ଏନଏସି ପକ୍ଷରୁ ପାଣି ଟ୍ୟାଙ୍କର ଓ ସଫେଇ କର୍ମଚାରୀମାନେ ନିୟୋଜିତ ରହିଥିଲେ। ରଥର ମୁଖ୍ୟ କାରିଗର କବିରାଜ ମହାରଣା ଓ ଅନ୍ୟ କାରିଗରଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ବିଶେଷ ସତର୍କତା ଅବଲମ୍ବନ କରିଥିବା ଦେଖିବାକୁ ମିଳିଥିଲା। ବ୍ଲଡ଼ ଡୋନ ର୍ଷ ତରଫରୁ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଶ୍ରୀଗୁଣ୍ଡିଚାରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର, ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ ଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେଇ ରଥ ଟାଣିଥିଲେ। ରଥଯାତ୍ରାରେ ବିପୁଳ ଜନସମାଗମ ହୋଇଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ପରିବେଶ ପରିଲକ୍ଷିତ ହୋଇଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.