ARTICLE AD BOX
ରେମୁଣା: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସର ଭକ୍ତି, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟର ଏକ ଅପୂର୍ବ ସଙ୍ଗମସ୍ଥଳୀରେ ପରିଣତ ହୋଇଥିଲା। ନବଯୌବନ ବେଶ ଓ ନେତ୍ରୋତ୍ସବ ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ସେବକ ଭାବେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ।
ମଙ୍ଗଳଧୂପ ପରେ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ଗୋଟି ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା। ଘଣ୍ଟ-ଘଣ୍ଟା, ଶଙ୍ଖ-ମୃଦଙ୍ଗ ର ଧ୍ୱନି ଓ ଆଲଟ-ଚାମର ସେବା ସହ ଅନୁଷ୍ଠିତ ରଥଯାତ୍ରାରେ ଭକ୍ତିମୟ ସଂକୀର୍ତ୍ତନ ଓ ଜଗନ୍ନାଥ ଭଜନ ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ରୂପ ଦେଇଥିଲା। ଏହି ଅବସରରେ ଭୋଗ ଅର୍ପଣ, ଛେରାପହଁରା ଓ ରଥଟଣା ପରମ୍ପରା ମଧ୍ୟ ବିଧିରେ ସମ୍ପନ୍ନ ହୋଇଥିଲା।
ବିଶ୍ୱବିଦ୍ୟାଳୟ ପରିସରସ୍ଥ ମାଉସୀମା' ମନ୍ଦିର ଅଭିମୁଖେ ରଥଯାତ୍ରା ସମୟରେ ସାମୂହିକ ସଂକୀର୍ତ୍ତନ ଓ ଭକ୍ତିଗୀତ ସମଗ୍ର ପରିବେଶକୁ ଏକ ଅଲୌକିକ ଭାବାବେଶରେ ଭରିଦେଇଥିଲା। ପରିଶେଷରେ ଚତୁର୍ଦ୍ଧାମୂର୍ତ୍ତି ଓ ପ୍ରଭୁ ସୁଦର୍ଶନଙ୍କୁ ବିଶ୍ୱବିଦ୍ୟାଳୟ ପରିସରସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିରାଜମାନ କରାଯାଇ ଭୋଗ ପ୍ରସାଦ ବଣ୍ଟନ ସହ ପବିତ୍ର ଘୋଷଯାତ୍ରାର ପ୍ରଥମ ପର୍ଯ୍ୟାୟର ସମାପନ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସମସ୍ତ ପର୍ବପର୍ବାଣୀ ଓ ନୀତିକାନ୍ତି ପାରମ୍ପରିକ ବିଧିବିଧାନ ଓ ଭକ୍ତି ସହ ପାଳନ କରାଯାଇଥାଏ।

7 hours ago
1


