ARTICLE AD BOX
ବୌଦ୍ଧ: ବୌଦ୍ଧଗଡ଼ରେ ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଛି। ସକାଳେ ପ୍ରବଳ ବର୍ଷା ଲାଗିଥିବାରୁ ନୀତି ସାମାନ୍ୟ ବିଳମ୍ବ ହୋଇଥିଲା। ମଧ୍ୟାହ୍ନ ବେଳକୁ ପାଗ ଶୁଖିଲା ହେବା ପରେ ମନ୍ଦିର ଅଭିମୁଖେ ଶ୍ରଦ୍ଧାଳୁଙ୍କ ସୂଅ ଛୁଟିଥିଲା। ସେତେବେଳେକୁ ଧାଡ଼ି ପହଣ୍ଡିରେ ତିନି ଠାକୁର ଆସି ରଥ ପରିକ୍ରମା କରିବାର ନିଆରା ପରମ୍ପରା ଜାରି ରହିଥିଲା। ତିନି ଠାକୁରଙ୍କ ସମ୍ମୁଖରେ ତିନିଟି ସଂକୀର୍ତ୍ତନ ମଣ୍ଡଳୀ ଖୋଳ ଓ ଗିନି ବଜାଇ ଭଜନ ଓ ନୃତ୍ୟ ପରିବେଷଣ କରୁଥିଲେ। ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ପରିକ୍ରମା ପରେ ତିନି ଠାକୁର ରଥାରୂଡ଼ ହୋଇଥିଲେ। ରଥ ଉପରେ ଛେରା ପହଁରା ଭଳି ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।
ଏହାପରେ ଛୋଟ ପିଲାଙ୍କ ରଥଛୁଆଁ କାର୍ଯ୍ୟକ୍ରମ ହୋଇଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳକୁ ରଥ ଟଣା ଆରମ୍ଭ ହୋଇଥିଲା। କିନ୍ତୁ ରଥ ଖଳାରୁ ବନ ଦାଣ୍ଡକୁ ରଥ ଟାଣି ଆଣିବା ପାଇଁ ପ୍ରାୟ ଘଣ୍ଟାଏ ସମୟ ଲାଗିଥିଲା। ପରେ ପୁଣି ରଥ ଗୋଟିଏ ପାର୍ଶ୍ବକୁ ମାଡ଼ି ଅଟକି ବହୁସମୟ ଧରି ଅଟକି ରହିଥିଲା। ରାତି ୯ଟା ବେଳକୁ ଏହା ପୋଡ଼ାପଡ଼ା ଛକ ଠାରୁ କିଛି ଆଗକୁ ଗଡ଼ିଥିଲା। ରଥ ଦଉଡ଼ିର ଆକାର ଏତେ ଛୋଟ(ଆନୁମାନିକ ୧୦-୧୨ହାତ ହେବ) ଥିଲା ଯେ ଶ୍ରଦ୍ଧାଳୁମାନେ ଭ୍ରମିତ ହୋଇଥିଲେ। ସମ୍ମୁଖ ଭାଗରେ ରଥକୁ ବ୍ୟାରିକେଡ କରି ପୁଲିସବାହିନୀ ଧରିଥିବା ରଶିକୁ ରଥ ଦଉଡ଼ି ଭାବି ଶ୍ରଦ୍ଧାଳୁମାନେ ଟାଣିବାର ଦେଖିବାକୁ ମିଳିଥିଲା। ପଛେପଛେ ହରିଗୁଡ଼ି ରଥ ମଧ୍ୟ ଟଣା ହୋଇ ଆସିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ସହ ସୁଚାରୁ ରୂପେ ଯାତ୍ରା ସମ୍ପନ୍ନ ପାଇଁ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଅନ୍ୟପକ୍ଷେ ପରମ୍ପରା ଅନୁସାରେ, ଆସନ୍ତାକାଲି ବୁଟୁପାଲି ଏବଂ ନାଏକପଡ଼ା ସ୍ଥିତ ପାତଳୀ ଶୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବ।
/filters:format(webp)/sambad/media/media_files/2026/07/16/laxmiprasad-2026-07-16-22-35-09.jpeg)
ବୌଦ୍ଧଜିଲ୍ଲା ଗୁଡ଼ଭେଲିପଦର ଗ୍ରାମରେ ଲଗାଣ ବର୍ଷା ସତ୍ତ୍ୱେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ସମ୍ପନ୍ନ ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁ ବର୍ଷାରେ ଭିଜି ଭିଜି ଜଗନ୍ନାଥ ପ୍ରଭୁଙ୍କ ଦର୍ଶନ ପାଇଁ ଭିଡ ଲାଗିଥିଲା। ସେହିପରି କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସେବାୟତମାନେ ଜଗତର ନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ। ରଥରେ ପୂଜାର୍ଚ୍ଚନା ପରେ ଶତାଧିକ ଭକ୍ତ ରଥ ଟାଣିଥିଲେ।
ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ ମନ୍ଦିର ଠାରେ ଗୁରୁବାର ସକାଳୁ ରୀତିନୀତି ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପୂଜା ପାଠ କରାଯାଇଥିଲାl ତେବେ ଦୁଇ ଦିନ ଝିପି ଝିପି ବର୍ଷା ଲାଗିରହିଥିଲା, ମାତ୍ର ଗୁରୁବାର ଅପରାହ୍ନରୁ ହଟାତ ବର୍ଷା ଛାଡି ଯିବାରୁ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା ବଡ ବିଚିତ୍ର ବୋଲି ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଭକ୍ତ ମାନେ କହିଥିଲେl

4 hours ago
1


