Rath Yatra: ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରରେ ୩ଦିନ ଧରି ରଥଯାତ୍ରା

9 hours ago 1
ARTICLE AD BOX

ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ରଥଯାତ୍ରା ଅବସରରେ ଆଜି ଗାଁଠୁ ସହର ସବୁଠି ଗଡ଼ିଲା ରଥ। ପୌରାଞ୍ଚଳର ରାଜରାଜୁଡ଼ା ଅମଳର ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ସକାଳେ ତିନି ଠାକୁରଙ୍କ ବିଭିନ୍ନ ନୀତି କରାଯାଇଥିଲା। ସଂଧ୍ୟାରେ ତିନିଠାକୁରଙ୍କୁ ପହଣ୍ଡିବିଜେ କରାଯାଇ ରଥାରୂଢ଼ କରାଯାଇଥିଲା। ପରମ୍ପରା ଅନୁସାରେ ପୂର୍ବ ସାଂସଦ ତଥା ରାଜା ନୀତେଶ ଗଙ୍ଗଦେବଙ୍କ ଅନୁପସ୍ଥିତିରେ ଆଜି ବାମଣ୍ଡା ରାଜପରିବାରର ସଦସ୍ୟ ନମନ ଗଙ୍ଗଦେବ, ରାନେଶ ଗଙ୍ଗଦେବ, ବଡ଼ପଣ୍ଡା ସନ୍ତୋଷ ନାୟକ ଉପସ୍ଥିତ ରହି ଛେରାପହଁରା ଓ ରଥରେ ମଙ୍ଗଳଆଳତି କରିଥିଲେ। ପରେ ଭକ୍ତମାନେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ। 

ପୁରୁଣାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରରେ ୩ଦିନ ଧରି ରଥଯାତ୍ରା ହୁଏ। ପୁରୁଣାଗଡ଼ ଜଗନ୍ନାଥ ମନ୍ଦିରର ରଥଯାତ୍ରାର ବିଶେଷତ୍ୱ ହେଲା, ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରାୟ ସବୁଆଡ଼େ ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଜିଲ୍ଲାରେ ଥିବା ପୁରୁଣାଗଡ଼ରେ ଥିବା ଜଗନ୍ନାଥ ମନ୍ଦିରରେ କେଉଁ କାଳରୁ ଗୋଟିଏ ଦିନ ବିଳମ୍ୱରେ ରଥଟଣା ହୋଇଥାଏ। ରଥଯାତ୍ରା ଦିନ କେବଳ ତିନି ଠାକୁରଙ୍କୁ ମନ୍ଦିରରୁ ପହଣ୍ଡି କରାଯାଇ ରଥକୁ ନିଆଯାଇଥାଏ। ସେଦିନ କେବଳ ଭକ୍ତମାନେ ତିନିଠାକୁରଙ୍କୁ ରଥରେ ହିଁ ଦର୍ଶନ କରିଥାନ୍ତି। ଶୁକ୍ରବାର ଓ ଶନିବାର ଦିନ ୨ଦିନ ଧରି ରଥଟଣା ହେବ। 

ରଥଯାତ୍ରାରେ ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତ, ଓଲଟବର ବଜରଙ୍ଗୀ କମିଟି ଓ ଏବିଭିପି ସଦସ୍ୟମାନେ ସହଯୋଗ କରିଥିଲେ। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଓ ରଥ ପରିଚାଳନା କମିଟି ପକ୍ଷରୁ ନୂତନ ରଥ ନିର୍ମାଣ କରାଯାଇଛି। ସେହିପରି ପୌରାଞ୍ଚଳର ଗୋପାଳଜିଉ ମନ୍ଦିରରେ ଅପରାହ୍ଣରେ ଛେରାପହଁରା କରାଯାଇ ରଥ ଟଣାଯାଇ ମ୍ୟୁନସିପାଲଟି ସାହିସ୍ଥିତ ନୃସିଂହ ମନ୍ଦିର ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ ଭକ୍ତମାନେ ପ୍ରବଳ ଉତ୍ସାହରେ ରଥ ଟାଣିଥିଲେ। ଏହା ସହିତ ରଜାମୁଣ୍ଡା ସାହିରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। 

ସେହିପରି ବାରକୋଟ ଜଗନ୍ନାଥ ମନ୍ଦିରରେ ମଧ୍ୟ ପ୍ରବଳ ଉତ୍ସାହସହିତ ଠାକୁରଙ୍କ ପହଣ୍ଡିବିଜେ କରାଯାଇ ରଥାରୂଢ଼ କରାଯିବାପରେ କୀର୍ତ୍ତନ, ଘଂଟବାଦ୍ୟର ତାଳେତାଳେ ରଥଟଣାଯାଇଥିଲା। ତା’ ସହିତ କଲା ଗ୍ରାମରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। କଲା ଗ୍ରାମର ଜଗନ୍ନାଥ ମନ୍ଦିରରୁ ତିନିଠାକୁରଙ୍କୁ ପହଣ୍ଡି, ଛେରାପହଁରା କରିବା ପରେ ସଇଡ଼ା ଗ୍ରାମରେ ଥିବା ମାଉସୀମା’ ମନ୍ଦିର ପର୍ଯ୍ୟନ୍ତ ରଥଟଣା ଯାଇଥିଲା। କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀମାନେ ସହଯୋଗ କରିଥିଲେ। ସେହିପରି ଜିଲ୍ଲାର ଖଜୁରିଖମଣ, ତିଲେଇବଣି, ବଣିଆଁକିଲିଣ୍ଡା, ଦନ୍ତାରିବାହାଳ, କଂସର, ଢୋଲପଡ଼ ତଥା ବିଭିନ୍ନ ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.