Rath Yatra: ଦୁଇ ରଥରେ ବିଜେ କଲେ ମହାପ୍ରଭୁ, ଚିତ୍ରକୋଣ୍ଡାରେ ହଜାର ହଜାର ଭକ୍ତଙ୍କ ସମାଗମ

4 hours ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଗୁରୁବାର ପବିତ୍ର ରଥଯାତ୍ରା ଭକ୍ତିମୟ ପରିବେଶ ଓ ଉତ୍ସାହର ସହ ପାଳିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ଦୁଇଟି ରଥଯାତ୍ରାର ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ମନ୍ଦିର ପ୍ରାଙ୍ଗଣରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପାରମ୍ପରିକ ପହଣ୍ଡି ବିଜେରେ ରଥକୁ ଅଣାଯାଇଥିଲା। ପରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଛେରାପହଁରା ନୀତି ସମ୍ପାଦନ କରିଥିଲେ। ସେହିପରି ବନ ବିଭାଗ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଖଣ୍ଡୀୟ ବନାଧିକାରୀ ସାଇକିରଣ ଡି.ଏନ୍. ଛେରାପହଁରା କରିଥିଲେ।

ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରଥ ଉପରେ ଅଧିକ ଭିଡ଼ ନହେବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଇଥିଲା ଏବଂ ଏକ ସମୟରେ ୧୦ ଜଣରୁ ଅଧିକ ବ୍ୟକ୍ତିଙ୍କୁ ରଥ ଉପରକୁ ଚଢ଼ିବାକୁ ଅନୁମତି ଦିଆଯାଇନଥିଲା। ଏହି ବ୍ୟବସ୍ଥାର ତଦାରଖ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭକ୍ତି ସଙ୍ଗୀତର ବ୍ୟବସ୍ଥା କରାଯାଇଥିଲା।

ଅନ୍ୟପକ୍ଷରେ ଚିତ୍ରକୋଣ୍ଡାରେ ମଧ୍ୟ ରଥଯାତ୍ରା ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଥିଲା। ସକାଳୁ ମନ୍ଦିର ପରିସରରେ ପୂଜାର୍ଚ୍ଚନା, ହୋମ ଓ ଯଜ୍ଞ ସମ୍ପନ୍ନ ହେବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତରୁ ଆସିଥିବା ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ରଥଯାତ୍ରା ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଥିଲା। ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଉତ୍ସବର ସହ ପାଳନ କରଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.