ARTICLE AD BOX
ଖୋର୍ଦ୍ଧା (ବିକାଶ ଚନ୍ଦ୍ର ସାହୁ): ଖୋର୍ଦ୍ଧା ସହର ଉପକଣ୍ଠ ଜାଗୁଳାଇପାଟଣାସ୍ଥିତ ପ୍ରସିଦ୍ଧ ଶ୍ରୀଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ମନ୍ଦିରରେ ଆଜି ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୋର୍ରୁ ମହାପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା। ପହଡ଼ ଖୋଲିବା ପରେ ମଙ୍ଗଳ ଆଳତି ହୋଇଥିଲା। ରତ୍ନ ସିଂହାସନ ବିଜେ ହୋଇ ମହାପ୍ରଭୁ ଭୋଗ, ଆଳତି ହୋଇ ମାଘ ସ୍ନାନ କରିଥିଲେ। ପରେ ସିଙ୍ଗାର ବେଶ ହୋଇ ମଧ୍ୟାହ୍ନରେ ଖେଚୁଡ଼ି ଭୋଗ ହୋଇଥିଲା। ପୁଣି ଆଳତି ପରେ ସୂର୍ଯ୍ୟନାରାୟଣଙ୍କର ପୂଜା ହୋଇଥିଲା। ପରେ ମହାପ୍ରଭୁଙ୍କର ରଥକୁ ପଞ୍ଚାମୃତରେ ପରିମାର୍ଜିତ କରିବା ପରେ ଦିନ ଅପରାହ୍ଣରେ ଦିଅଁମାନେ ରତ୍ନ ସିଂହାସନରୁ ଓହ୍ଲାଇ ଆସିଥିଲେ। ପହଣ୍ଡି ବିଜେ କରି ପୂର୍ଣ୍ଣ ବିଗ୍ରହ ଦାରୁବ୍ରହ୍ମ ରଥାରୁଢ଼ ହୋଇଥିଲେ।
ଅପରାହ୍ନ ୩ଟାରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା l ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁଙ୍କ ପ୍ରତ୍ୟକ ତତ୍ତ୍ଵାବଧାନରେ ଓ ମନ୍ଦିର ସେବାୟତମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ମହାପ୍ରଭୁଙ୍କ ଛେରା ପହଁରା କରିଥିଲେ l ତିନି ଠାକୁର ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ, ବଡ଼ଭାଇ ହଳାୟୁଧ ଏବଂ ମା’ ସୁଭଦ୍ରା ରଥାରୂଢ଼ ହେଲା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।
ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଶ୍ରୀ ଶ୍ରୀ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ଖୋରଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନାସେବା, ସ୍ଵାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା ସେବା, ବିଶୁଦ୍ଧ ପାନୀୟ ଜଳସେବା, ଟିପିସିଓଡିଏଲ ପକ୍ଷରୁ ବିଜୁଳି ସେବା, ଅଗ୍ନିଶମ ସେବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା l ରଥାରୂଢ଼ ବିଗ୍ରହମାନଙ୍କୁ ଶ୍ରଦ୍ଧାଳୁମାନେ ଆନନ୍ଦରେ ଟାଣି ନେଇଥିଲେ। ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକଙ୍କ ତତ୍ତ୍ଵାବଧାନରେ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ମହାପ୍ରଭୁଙ୍କର ରଥ ମାଉସୀ’ ମା ଜାଗେଶ୍ଵରୀ ମନ୍ଦିରରେ ପହଞ୍ଚିଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ସୂଚନା କେନ୍ଦ୍ର ଖୋଲାଯାଇଥିଲା।

8 hours ago
2


