Rath Yatra In Angul: ଭକତ ମେଳରେ ମହାପ୍ରଭୁ

9 hours ago 1
ARTICLE AD BOX

ତାଳଚେର (ବିକାଶ ସାହୁ): ଅନୁଗୋଳ ଜିଲ୍ଲା ତାଳଚେର ବଡ଼ଦାଣ୍ଡରେ ପବିତ୍ର ରଥଯାତ୍ରା ଅବସରରେ ଭକ୍ତ ଆଉ ଭଗବାନ ଏକାଠି ହୋଇଛନ୍ତି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ଆଜି ତାଳଚେର ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ସକାଳୁ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ମଧ୍ୟାହ୍ନରେ ପାଗ ସୁଖିଲା ରହିଥିଲା। ଅପରାହ୍‌ଣରେ ଝିପିଝିପ ବର୍ଷା ସତ୍ତ୍ବେ ତାଳଚେର ସହର ସହିତ ଗ୍ରାମାଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଧାଇଁ ଆସିଥିଲେ। ଭଗବାନଙ୍କ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇଥିଲେ। 

ନୀତି ମୁତାବକ ସକାଳ ସାଢ଼େ ୫ଟାରେ ମନ୍ଦିର ଦ୍ବାର ଫିଟା, ୧୧ଟା‌ ୪୫ ମିନିଟ୍‌ରେ ସେନାପଟା ଲାଗି ଓ ଅବକାଶ ନୀତି ସଂପନ୍ନ ହୋଇଥିଲା। ସେହିଭଳି ଗୋଟାଏ ବେଳେ ପହଣ୍ଡି ଆରମ୍ଭ ପୂଜାର୍ଚ୍ଚନା‌ ହୋଇଥିବା ସହିତ ସାଢ଼େ ଗୋଟାଏରେ ରଥ ପ୍ରତିଷ୍ଠା, ଚାରମାଳ ଲାଗି, ପହଣ୍ଡି ଆରମ୍ଭ ହୋଇ ଶ୍ରୀଜିଉମାନେ ରଥରୂଢ଼ ହୋଇଥିଲେ। ଦିନ ୨ଟା ୩୦ରେ ଛେରାପହଁରା ନୀତି ସଂପନ୍ନ ହୋଇଥିଲା। ପ୍ରଚଳିତ ପରମ୍ପରା ଅନୁସାରେ, ତାଳଚେର ରାଜା ବିଜୟେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଛେରାପହଁରା କରିଥିଲେ। ରାଜ ପୁରୋହିତ ପଙ୍କଜ ଲୋଚନ ପତି ପାଣି ଓ ଫୁଲ ଛିଞ୍ଚିଥିଲେ। 

ଅପରାହ୍‌ଣ ସାଢ଼େ ୪ଟାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ରଥକୁ ଟାଣି ସନ୍ଧ୍ୟା ୬ଟା ୩୦ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଆସନ୍ତାକାଲି ସକାଳ ୧୦ଟାରେ ରଥାବତରଣ ଓ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମଣ୍ଡପ ବିଜେ କରି‌ବେ। ରଥଯାତ୍ରା ବେଳେ ପ୍ରବଳ ଭିଡ଼ ହୋଇଥିବା ସହ ବିଭିନ୍ନ ସଂଗଠନ ପକ୍ଷରୁ ଭକ୍ତଙ୍କୁ ପ୍ରସାଦ ଓ ଥଣ୍ଡା ପାନୀୟ ଜଳ ବିତରଣ ବ୍ୟବସ୍ଥା କରାଯାଇଥିଲା। 

ଅପରପକ୍ଷରେ ରଥଯାତ୍ରା ଉପଲକ୍ଷେ ବଡ଼ଦାଣ୍ଡରେ ଭଜନ ସନ୍ଧ୍ୟା କମିଟି ଦ୍ବାରା ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଦର୍ଶକଙ୍କୁ ବିଭୋର କରିଥିଲେ। ସେହିଭଳି ଆସନ୍ତାକାଲିଠାରୁ ସୁନାବେଶ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପାଖରେ ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅପରପକ୍ଷରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା‌ରେ ପରିଚାଳନା କରିବା ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ୍‌ ଫୋର୍ସ, ଏନ୍‌ସିସର ୨୦ ଜଣ, ଅଫିସର୍‌ ୧୦ ଜଣ, ଇନିସପେକ୍ଟର ୨ ଜଣ, ଗୋଟିଏ ପ୍ଲାଟୁନ୍‌ ସିଆଇଏସ୍‌ଏଫ୍‌, ୨୫ ଜଣ ଖଣି ସୁରକ୍ଷା କର୍ମୀ, ଡିଏସ୍‌ପି ଜଣେ ରହିଥିବା ବେଳେ କଲେଜ ଛାତ୍ର ୨୦ ଜଣଙ୍କୁ ନିୟୋଜିତ କରାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.