ARTICLE AD BOX
ଶ୍ୟାମା ପ୍ରସାଦ ଚୌଧୁରୀ
‘ରାମଧୁନ୍’ ଭାବରେ ପରିଚିତ ‘ରଘୁପତି ରାଘବ ରାଜାରାମ’ ଗୀତଟିର ରଚୟିତା ଭାବେ କେହି ତୁଳସୀ ଦାସ, ତ କେହି ସମର୍ଥ ରାମଦାସ, ତ ଅନ୍ୟ କେହି ଲକ୍ଷ୍ମଣାଚାର୍ଯ୍ୟଙ୍କ ନାମ ନିଅନ୍ତି। ଏହାର ସ୍ବର-ପ୍ରସ୍ତୁତି ପଣ୍ଡିତ ପଲୁସ୍କର କରିଥିଲେ। ତାଙ୍କର ଶିଷ୍ୟ ନାରାୟଣ ଖରେ, ଗାନ୍ଧୀଙ୍କ ସାବରମତୀ ଆଶ୍ରମରେ ଏହାକୁ ପ୍ରତିଦିନର ପ୍ରାର୍ଥନାର ଏକ ନିୟମିତ ଅଂଶ କରିଦେଇଥିଲେ। ରାଗ ‘ମିଶ୍ର ଗାରା’ ଓ ଆଠ-ମାତ୍ରାର କେହରବା ତାଳର ଏଇ ଗୀତ, ୧୯୩୦ର ଦାଣ୍ଡି-ଲବଣ ସତ୍ୟାଗ୍ରହ ସମୟରେ ବ୍ୟାପକ ଲୋକପ୍ରିୟତା ପାଇଥିଲା। ନିଜର ‘ଆତ୍ମକଥା ଅଥବା ସତ୍ୟର ପ୍ରୟୋଗ’ ବହିର ଦଶମ ପରିଚ୍ଛେଦରେ ଗାନ୍ଧୀ ଲେଖିଥିଲେ, ପରିବାରର ବହୁ ପୁରୁଣା ଓ ବୃଦ୍ଧା ସେବାକାରିଣୀ ରମ୍ଭା କେମିତି, କାହିଁ କୋଉକାଳୁ ତାଙ୍କ ମନରେ ‘ରାମନାମ’କୁ ଜୀବନର ପ୍ରତିଟି ଅଛିଣ୍ଡା କଥାର ଅମୋଘ ପ୍ରତିକାର ଭାବରେ ବସେଇ ସାରିଥିଲା।
ତେବେ, ଏଇ ବର୍ଷ ଗାନ୍ଧୀ ଜୟନ୍ତୀ ଦିନ, ‘ବିଧ୍ବଂସ, ବିଶ୍ୱାସ, ବିଚାର ଓ ବିକାଶ ଭଳି ଗାନ୍ଧୀ-ଦାର୍ଶନିକତାର ଚାରିଟି ମୂଳ ବିଷୟ’କୁ ନେଇ ରାମଚନ୍ଦ୍ର ଗୁହାଙ୍କ ପ୍ରକାଶିତ ବହି ‘ଆର୍ଗୁମେଣ୍ଟସ୍ ଉଇଥ୍ ଗାନ୍ଧୀ’ (ଗାନ୍ଧୀଙ୍କ ସହ ଯେତେସବୁ ତର୍କ)ର ମୁଖବନ୍ଧଟିକୁ ପଢୁପଢୁ ଟିକେ ଅଟକିଗଲି। ଗୁହା ଲେଖିଛନ୍ତି, ଗାନ୍ଧୀ ତାଙ୍କର ପ୍ରିୟ ଭଜନ ‘ରାମଧୁନ୍’ରେ କୁଆଡ଼େ, ଦୁଇଟି ନୂଆ ଧାଡ଼ିକୁ ନିଜର ସାଂପ୍ରଦାୟିକ ସମନ୍ବୟର ଧାରଣାକୁ ବୁଝେଇବା ପାଇଁ, ‘ପୁନର୍ଲିଖନ’ କରିଥିଲ : ‘‘ଈଶ୍ୱର ଆଲ୍ଲା ତେରୋ ନାମ୍। ସବ୍ କୋ ସନ୍ମତି ଦେ ଭଗବାନ୍।’’ ଗୁହାଙ୍କ ୨୦୦୭ର ବହି ‘ଇଣ୍ଡିଆ ଆଫ୍ଟର ଗାନ୍ଧୀ’ ଓ ୨୦୧୬ର ‘ଡେମୋକ୍ରାଟ୍ସ ଆଣ୍ଡ ଡିସେଣ୍ଟର୍ସ’ରେ ମଧ୍ୟ ଏହି ପ୍ରସଙ୍ଗ ଅଛି। ଗୁହା ମୋର ଅନ୍ୟତମ ପ୍ରିୟ ସମକାଳୀନ ଇତିହାସକାର। କିନ୍ତୁ, ତାଙ୍କର ଏଭଳି ଅସମର୍ଥିତ ସ୍ମୃତି, ମୋ ମନରେ ଏକ ଅଦ୍ଭୁତ ଅସ୍ଥିରତା ସୃଷ୍ଟି କଲା।
କାରଣ, ଗାନ୍ଧୀ-ବିଚାରର ସୂକ୍ଷ୍ମ ଭାଷ୍ୟକାର, ଅନୁଭବୀ କୂଟନୀତିଜ୍ଞ, ସମ୍ବେଦନଶୀଳ ଲେଖକ ଓ ନିର୍ଭୀକ ସାଂବିଧାନିକ ବିବେକର ଅଧିକାରୀ ଏବଂ ମହାତ୍ମାଙ୍କର ଅନ୍ୟତମ ନାତି ଗୋପାଳକୃଷ୍ଣ ଗାନ୍ଧୀଙ୍କର ଗତ ବର୍ଷ ପ୍ରକାଶିତ ବହି ‘ଦ ଅନଡାଇଙ୍ଗ ଲାଇଟ’ (ଅନସ୍ତମିତ ଆଲୋକ) କଥା ମନେ ପଡ଼ିଲା। ପୃଷ୍ଠା ଦଶରେ, ଏଇ ଧାଡ଼ି ଦୁଇଟିକୁ ଯୋଡ଼ିବାର ଶ୍ରେୟ କିନ୍ତୁ ଦେଇଛନ୍ତି ସେ, ମନୁ ଗାନ୍ଧୀଙ୍କୁ, ଯିଏ ଗାନ୍ଧୀଜୀଙ୍କ କକାଙ୍କ ପରିବାର ପଟୁ, ତାଙ୍କର ନାତୁଣୀ ଥିଲେ।
ଗୋପାଳକୃଷ୍ଣଙ୍କ ଲେଖିବା ଅନୁସାରେ, ନୋଆଖାଲିରେ ୧୯୪୬ର ଦଙ୍ଗା ସମୟରେ ସ୍ଥାନୀୟ କାଳୀ ମନ୍ଦିରରୁ ତିନିଟି ଖଡ଼୍ଗ ଚୋରି ହେବା ପରେ, ପ୍ରତିବାଦରେ ଗାନ୍ଧୀଙ୍କ ପାଳିତା କନ୍ୟା ଚାଳିଶି ବର୍ଷୀୟା ବିବି ଅମତୁସ ସଲାମ ଆମରଣ ଅନଶନରେ ବସିଥିଲେ। ପଚିଶି ଦିନ ପରେ ପ୍ରତ୍ୟାହାର କରିବା ପାଇଁ ରାଜି କରେଇଥିଲେ ଗାନ୍ଧୀ ନିଜେ। ପର ବର୍ଷ, ୨୧ ଜାନୁଆରିରେ, ପାନିଆଲା ନାମକ ସ୍ଥାନରେ ଏକ ପ୍ରାର୍ଥନା ସଭାରେ ମନୁ ହଠାତ୍ ସେଇ ପରିଚିତ ବୈଷ୍ଣବ ଗୀତ ଭିଡ଼ରେ ନୂଆ ଧାଡ଼ି ଦୁଇଟିକୁ ରଖି ପୂର୍ବ-ପରିଚିତ ସ୍ବରରେ ଗାଇଥିଲେ। ‘ନିରୀହ ଓ ଦରିଦ୍ର ଜନତାର ଦାରୁଣ ଦୁଃଖରେ ନୋଆଖାଲିର ମାଟି ପବିତ୍ର ହେଇସାରିଛି ବୋଲି କହି ଖାଲି ପାଦରେ ଚାଲିବା ପାଇଁ ସ୍ଥିର କରିସାରିଥିବା ଗାନ୍ଧୀ’ଙ୍କୁ ମନୁଙ୍କ ଦ୍ବାରା ଏଇ ଅନୁପ୍ରବିଷ୍ଟ ଧାଡ଼ି ବେଶ୍ ଅଭିଭୂତ କରିଥିଲା ଏବଂ ହଠାତ୍ ସତେ ଅବା ନୂଆ ପ୍ରକାରେ ଚାଲିବାର ଛନ୍ଦ ଯୋଗେଇଥିଲା। ତା’ ପରଠାରୁ ସେଇ ଦୁଇ ଧାଡ଼ି ସହ ହିଁ ‘ରାମଧୁନ୍’କୁ ଗାନ କରାଯିବ ବୋଲି, ଗାନ୍ଧୀ ଘୋଷଣା କରିଥିଲେ। ଏଭଳି ଉପକଥାକୁ ସାବରମତୀ ଆଶ୍ରମର ‘ଗାନ୍ଧୀ ହେରିଟେଜ ପୋର୍ଟାଲ’ ମଧ୍ୟ ସମର୍ଥନ କରେ। କିନ୍ତୁ, ଗୁହାଙ୍କ ମୁଣ୍ଡରେ ଗାନ୍ଧୀଜୀ ନିଜେ ଦୁଇ ଧାଡ଼ି ଯୋଡ଼ିଥିବା କଥାଟି ରହିଗଲା ତା’ ହେଲେ କେମିତି?
ଗାନ୍ଧୀଙ୍କ ଆଉ ଜଣେ ନାତି, ଇତିହାସର ଅନ୍ତର୍ଦ୍ରଷ୍ଟା ଅନୁସନ୍ଧାନକାରୀ, ଅସାଧାରଣ ଜୀବନୀକାର, ମାନବତା ଓ ସାମ୍ପ୍ରଦାୟିକ ସଦ୍ଭାବର ଆଜୀବନ ସାଧକ ରାଜମୋହନ, ତାଙ୍କ ୧୯୯୫ର ବହି ‘ଦ ଗୁଡ୍ ବୋଟମ୍ୟାନ୍’ (ଭଲ ନାଉରିଆ)ରେ ଏଇ ଅଳ୍ପବିଦିତ କଥା ଭିତରେ ଛୋଟ ଟୁଇଷ୍ଟ ଗୋଟେ ଦେଇଛନ୍ତି। ନୋଆଖାଲିରେ ସଦ୍ଭାବନା ଖୋଜା ଚାଲିଥିବା ସେଇ ଦିନମାନଙ୍କରେ, ମନୁଙ୍କର ହଠାତ୍ ମନେ ପଡ଼ିଯାଇଥିଲା, ପୋରବନ୍ଦରର ସୁଦାମା ମନ୍ଦିରରେ କୌଣସି ବ୍ରାହ୍ମଣ ମୁହଁରୁ ପିଲାଦିନେ ଶୁଣିଥିବା, ସେଇ ପୂର୍ବ-ଅଶ୍ରୁତ ଧାଡ଼ି। ମୋ ମତରେ, ‘ପୁନର୍ଲିଖନ’ ନୁହେଁ, ଗାନ୍ଧୀ ସେଇ ରାମଧୁନ୍କୁ ଏକ ନୂଆ ଅନ୍ତର୍ଧାର୍ମିକ ମୋଡ଼ରେ ପହଞ୍ଚାଇ ଦେବାକୁ ହିଁ ଇଚ୍ଛା କରିଥିଲେ।
ମୋର ତର୍କ ଏୟା ନୁହେଁ ଯେ, ରଚୟିତା କିଏ ଅବା କେଉଁ ସ୍ୱର ବା ତାଳରେ କିଏ ଗୀତଟି କେବେ ଗାଇଥିଲେ। ବରଂ, ଆମେ ସଭିଏଁ କ’ଣ, କେତେ ଓ କିପରି ମନେରଖୁ ଏବଂ ତାକୁ କେମିତି ସମ୍ପୂର୍ଣ୍ଣ, ଅକାଟ୍ୟ ସତ୍ୟ ବୋଲି ମାନିନେଉ; ଚିନ୍ତା ମୋର ସେଠି। ସବୁବେଳେ ମନେହୁଏ, କିଛି ଅଲଗା କରିବାଠାରୁ, ତାକୁ ଆହୁରି ଅଲଗା ଭାବରେ ଭାବିବା ବୋଧେ ଅଧିକ ସହଜ। ସ୍ମୃତି ଘଟଣାର ଅ-ବିକୃତ ନକଲ ନୁହେଁ। ନିଜ ବିଶ୍ୱାସ ଓ ବର୍ତ୍ତମାନର ଅର୍ଥବୋଧ ଅନୁସାରେ ଆମେ ତା’ର ପୁନର୍ଗଠନ କରୁ। କେବେ ଶୁଣିଥିବା କଥାକୁ ଏବକାର ଓ ଏକମାତ୍ର ଅନୁଭବ ବୋଲି ମନେକରୁ। ସ୍ମୃତି କୌଣସି ବିଷୟକୁ ପଲ୍ଲବିତ କରି ରଖେ, ଫୁଲ ବି ଫୁଟେଇଦିଏ। ଚେର କିନ୍ତୁ ଲୁଚିଯାଇଥାଏ।
ସାମୂହିକ ସ୍ମୃତି ତତ୍ତ୍ୱ ମଧ୍ୟ କହେ, ପରିବାର ଓ ସମାଜ ଆମକୁ ମନେ ପକେଇବାର ନୂଆ ଭାଷା ଦିଅନ୍ତି। ପୁନଃପୁନଃ କୁହାଯାଉଥିବା କଥା, ସାମଗ୍ରିକ ସତ୍ୟ ବୋଲି ମନେହୁଏ। ଜଟିଳ ଇତିହାସ ସରଳ କାହାଣୀରେ ପରିଣତ ହୁଏ। ଇତିହାସକାରଙ୍କ କାମ, ସେଇ କାହାଣୀ ସବୁକୁ ଭାଙ୍ଗିବା ନୁହେଁ, ସ୍ମୃତିରେ ହଜିଯାଇଥିବା ସତକୁ ଖୋଜିବା ଓ ଯୋଡ଼ିବା। ଗତକାଲି, ମୋ ବଡ଼ ନାନୀ କହିଲା, ଆମ ପରିବାରର ପ୍ରଥମ କବି ଥିଲେ, ଆମ ବାପା। ଆମେ କୁଆଡ଼େ ତାଙ୍କରି କବିତା ପ୍ରଥମେ ଶୁଣିଥିଲୁ। ବୋଉଠାରୁ ଶୁଣିଥିଲୁ, ଆମର ପ୍ରଥମ ଗପ। ମୋର ଏସବୁ କିଛି ମନେ ନାହିଁ। କିନ୍ତୁ ବୋଧହୁଏ ତାହା ହିଁ ସତ। ଆମେ କେବଳ ସ୍ମୃତିର ସମଷ୍ଟି ନୁହେଁ। ସ୍ମୃତିକୁ ଅର୍ଥ ଦେଇ ନିଜକୁ ଓ ଅନ୍ୟକୁ ଗଢୁଥିବା ଜୀବ। ସତ ଓ ସ୍ମୃତି ମଧ୍ୟରେ ଥିବା ପ୍ରଭେଦ କାଳେକାଳେ ଅସ୍ପଷ୍ଟ।
ମନୁ ଗାନ୍ଧୀ ହୁଏତ କୌଣସି ଧାଡ଼ି ରଚି ନ ଥିଲେ, କିନ୍ତୁ ରାମଧୁନ୍କୁ ନୂଆ ଚମକ ଦେଇଥିଲେ। ଗାନ୍ଧୀ ନିଜେ ବି ସେଇ ଧୁନ୍ର କୌଣସି ଧାଡ଼ି ଲେଖି ନ ଥିଲେ, କିନ୍ତୁ ଐତିହାସିକ ଚମତ୍କାରିତା ଦେଲେ। ପ୍ରତ୍ୟେକ ବାପା-ମା’ ନିଶ୍ଚୟ ନିଜ ପିଲାମାନଙ୍କର ପ୍ରଥମ କବି ବା କବୟିତ୍ରୀ ଏବଂ ପ୍ରଥମ ଗାଳ୍ପିକ ବା ଗାଳ୍ପିକା। ପିଲାମାନେ କିନ୍ତୁ, ନିଜେ ଗପ କହିବାବେଳେ ଅଥବା ନିଜେ କବିତା ଲେଖିଲାବେଳେ, ନୂଆ ଶବ୍ଦ କହନ୍ତି, ନୂଆ ସ୍ୱର ଦିଅନ୍ତି ଏବଂ ନୂଆ ଘଟଣା ଘଟାନ୍ତି। ଆମେ ସମସ୍ତେ ବୋଧେ ସେଇଆ କରୁ। ଯାହା କେବଳ ଆମକୁ ନୁହେଁ, ଆମେ ଶୁଣୋଉଥିବା ଅନ୍ୟମାନଙ୍କୁ ମଧ୍ୟ ବଦଳେଇଦିଏ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୯୦୨୧୯୪୯୪୯

1 hour ago
2


