ARTICLE AD BOX
ରାମଙ୍କ ନାମରେ ରହିଛି ଭକ୍ତି, ଆଶା ଓ ଅସୀମ ଶକ୍ତି। ଏହି ଭାବନାକୁ ସ୍ୱରରେ ଜୀବନ୍ତ କରିଛି ମୁକ୍ତି ପ୍ରତୀକ୍ଷିତ ‘ରାମାୟଣ’ର ପ୍ରଥମ ଗୀତ ‘ଜୟ ଜୟ ରାମ’। ଗଣେଶ ଚତୁର୍ଥୀ ଅବସରରେ ରିଲିଜ୍ ହୋଇଥିବା ଏହି ଭକ୍ତି ରସାତ୍ମକ ଗୀତ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇଦେଇଛି। ଗୀତ ସହ ଜାରି ହୋଇଥିବା ମୋସନ୍ ପୋଷ୍ଟର୍ରେ ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ ଥିବା ପବିତ୍ର ପ୍ରେମ, ବିଶ୍ୱାସ ଓ ଚିରନ୍ତନ ବନ୍ଧନର ମନଛୁଆଁ ଝଲକ ଦେଖିବାକୁ ମିଳିଛି।
ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ମହାକାବ୍ୟ ଆଧାରିତ ଫିଲ୍ମର ଘୋଷଣା ପରଠାରୁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଏବେ ‘ଜୟ ଜୟ ରାମ’ ଗୀତର ରିଲିଜ୍ ସେହି ଉତ୍ସାହକୁ ଶୀର୍ଷରେ ପହଞ୍ଚାଇଛି।
Horizon: ଦିଗ୍ବଳୟର ଏ ପାଖରେ: ତିଥି-ଅତିଥିର ଆଳାପ
ଏହି ଗୀତର ଦୃଶ୍ୟାୟନ ବି ଚମତ୍କାର ହୋଇଛି। ରାମ ଚରିତ୍ରରେ ରଣବୀର କପୁର ଓ ସୀତା ଭୂମିକାରେ ସାଇ ପଲ୍ଲବୀଙ୍କ ଅଭିନୟ ଆକର୍ଷଣୀୟ। ତେବେ ‘ଜୟ ଜୟ ରାମ’ ଗୀତର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ସ୍ବର ସଂଯୋଜନା। ପ୍ରସିଦ୍ଧ ସଙ୍ଗୀତକାର ଏ.ଆର୍ ରହମାନ୍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଡକ୍ଟର୍ କୁମାର ବିଶ୍ୱାସ ଏହି ଗୀତଟି ରଚନା କରିଛନ୍ତି। ଏଥିରେ ଅରିଜିତ ସିଂହ ଓ ଶ୍ରେୟା ଘୋଷାଲଙ୍କ ମନଜିଣା କଣ୍ଠ ଗୀତଟିକୁ ଆହୁରି ଭାବପୂର୍ଣ୍ଣ କରିଛି। ସୁମଧୁର ସ୍ୱର, ଅର୍ଥପୂର୍ଣ୍ଣ ଶବ୍ଦ ଓ ଆକର୍ଷଣୀୟ ଦୃଶ୍ୟର ସମନ୍ୱୟ ଏହି ଗୀତକୁ ଏକ ଆଧ୍ୟାତ୍ମିକ ଅନୁଭବରେ ପରିଣତ କରିଛି। ଉଲ୍ଲେଖଯୋଗ୍ୟ, ଦୁଇଟି ଭାଗରେ ନିର୍ମାଣ ହେଉଥିବା ‘ରାମାୟଣ’କୁ ଭାରତର ସବୁଠାରୁ ବ୍ୟୟବହୁଳ ଚଳଚ୍ଚିତ୍ର କୁହାଯାଉଛି। ୨୦୨୬ ନଭେମ୍ବର ୬ ତାରିଖରେ ଏହାର ପ୍ରଥମ ଭାଗ ରିଲିଜ୍ ହେଉଛି। ରଣବୀର ଓ ସାଇ ପଲ୍ଲବୀଙ୍କ ବ୍ୟତୀତ ଏଥିରେ ୟଶ ରାବଣ, ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

4 hours ago
2


