ARTICLE AD BOX
ଭଦ୍ରକ (ହରିହର ନାୟକ): ମାସାଧିକ କାଳ ଭଦ୍ରକ ଜିଲ୍ଲାର ୬ଟି ବ୍ଲକରେ ବନ୍ୟାଜଳ ଲୋକଙ୍କ ଘରଦ୍ୱାର ବୁଡ଼ାଇ ରଖୁଛି। ଗତ ତିନିଦିନ ହେଲା ଉପର ମୁଣ୍ଡରେ ବର୍ଷା କମ୍ ହେବାରୁ ସାଳନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର କମ ରହିଥିଲା। ଶନିବାର ରାତିଠାରୁ ଅନବରତ ବର୍ଷା ଲାଗି ରହିଥିବାରୁ ଏହି ଦୁଇ ନଦୀର ଜଳାସ୍ତର ବଢ଼ି ଯାଇଛି। ଭଦ୍ରକର ରାଜଘାଟ ଠାରେ ରବିବାର ସନ୍ଧ୍ୟା ସୁଦ୍ଧା ନଦୀର ଜଳସ୍ଥର ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି। ସାଳନ୍ଦୀର ବିପଦ ସଙ୍କେତ ୧୭ ଫୁଟ ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହାର ଜଳସ୍ତର ୧୬.୯୦ ଫୁଟ ରହିଛି।
ସେହିପରି ବୈତରଣୀର ଆଖୁଆପଦା ନିକଟରେ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ୧୭.୯୦. ମିଟରରେ ପ୍ରବାହିତ ହେଉଛି। ଆଜି ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ରାତିରେ ବର୍ଷା ଅଧିକ ହେଲେ ଏହି ଦୁଇ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇ ପୁଣି ତକିଆ ଅଞ୍ଚଳକୁ ବୁଡ଼ାଇ ଦେବ। ନଦୀର ଜଳସ୍ତର କମିବା ପରେ ଲୋକେ ଟିକେ ଆସ୍ଵସ୍ତି ଅନୁଭବ କରିଥିଲେ। ଦୁଇ ଦିନର ବର୍ଷା ପୁଣି ଲୋକଙ୍କୁ ଆତଙ୍କିତ କରୁଛି।
ରିଲିଫ କେନ୍ଦ୍ରରେ ଅନେକ ବିପନ୍ନଙ୍କ ଜୀବନ ବିତାଉ ଥିବା ବେକେ ଆଉ କିଛି ଲୋକ ପଲିଥିନ ପାଇଁ ନିଜର ଭଙ୍ଗା କୁଡ଼ିଆକୁ ଫେରିଛନ୍ତି। ଦୁଇ ଦିନର ଅନବରତ ବର୍ଷା ଯୋଗୁଁ ଲୋକଙ୍କର ଘର ପୁଣି ଓଦା ହୋଇଯାଇଛି। ସନ୍ତସନ୍ତିଆ ଭିଜା ମାଟିର ଓଦା ପଲିଥିନ ପକାଇ ରାତି ବିତୁଛି ବିପନ୍ନଙ୍କର। ଅନେକ ଗାଁ ଲୋକଙ୍କର ଝାଟି ମାଟି ଘର ଭାଙ୍ଗି ଯାଇଥିବା ବେକେ ସେମାନେ ଏବେ ପଲିଥିନ ତଳେ ଜୀବନ ବିତାଉଛନ୍ତି। ରବିବାର ଏହିଭଳି କିଛି ବିପନ୍ନ ଲୋକଙ୍କ ପାଖକୁ ଆମ ‘ସମ୍ବାଦ ଟିମ’ ତାଙ୍କର ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଏଭଳି କିଛି ଦୃଶ୍ୟ ଆଖିରେ ପଡ଼ିଥିଲା।
ଚାନ୍ଦବାଲି ବ୍ଲକର ଆରଡି, ନନ୍ଦପୁର, ସୁନ୍ଦରପୁର, ପାରାଡ଼ିହା, ମୁଁଆ, ପଦାସାହି, ସାଠିବଙ୍କୁଡ଼ା ଆଦି ନଦୀ କୂଳିଆ ଗାଁରେ ଏବେ ବି ଲୋକଙ୍କ ଘର ସବୁ ବୁଡ଼ି ଯାଇଛି। କଚ୍ଚା ଚାଲଘର ସବୁ ବନ୍ୟା ପାଣିରେ ବୁଡ଼ି ରହିଛି। ଅନେକ ଲୋକଙ୍କ ଗାଁର ପକ୍କା ଘର ଥିବା ଲୋକଙ୍କ ଘରେ ଆଶ୍ରୟ ନେଉଥିବା ବେଳେ ଆଉ କିଛି ଲୋକ ଏବେ ବି ବାତ୍ୟା ଆଶ୍ରୟ ସ୍ଥଳରେ ଅଟକିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଲୋକ ବନ୍ୟା ପାଣି କମିବା ପରେ ନିଜର କଚ୍ଚା ଘରକୁ ଯାଇଥିଲେ।
/filters:format(webp)/sambad/media/media_files/2026/08/23/img_20260821_180047-2026-08-23-19-28-05.jpg)
ସରକାର ଦେଇଥିବା ପଲିଥିନ ପକାଇ ନିଜର ଓଦା ଘାରେ ରହୁଥିଲେ। କିଛି ବିପନ୍ନ ଲୋକ ରାସ୍ତା ଉପରେ ପଲିଥିନ ଟାଣି ରାତ୍ରିଯାପନ କରୁଥିଲେ। ଦୁଇ ଦିନର ବର୍ଷା ପୁଣି ସେମାନଙ୍କୁ କଲବଲ କରୁଛି। ପଲିଥିନ ଭିତରେ ପାଣି ପଶି ଯିବାରୁ ସେହି ଓଦା ପଲିଥିନ ଛାଡ଼ି ପୁଣି ବାତ୍ୟା ଆଶ୍ରୟସ୍ଥଳକୁ ମୁଣ୍ଡ ଗୁଞ୍ଜିବାକୁ ପଳାଇ ଯାଇଛନ୍ତି। କିଛି ଲୋକଙ୍କର ମତ ହେଉଛି ବନ୍ୟା ବୋଧେ ଆଉ ଆମକୁ ଛାଡିକି ଯିବ ନାହିଁ।
ମୁଆଁ ପଦାସାହିର ପ୍ରକାଶ ବାରିକ କହନ୍ତି ଏଥରର ବନ୍ୟା ଆମର ସବୁ କିଛି ଉଜାଡି ଦେଲା। ଏତେ ଦିନ ଧରି ବନ୍ୟା ପାଣି କେବେ ରହିନଥିଲା। ମାସାଧିକ କାଳ ବନ୍ୟା ଜଳରେ ଆମେ ବହୁ କଷ୍ଠ ପାଉଛୁଁ। ସରକାର ଯାହା ରିଲିଫ ଓ ପଲିଥିନ ଦେଇଥିଲେ। ରିଲିଫ କେନ୍ଦ୍ରରେ ରନ୍ଧା ଖାଦ୍ୟ ଦେଉଛନ୍ତି। ଏମିତି ଆଉ କେତେ ଦିନ ଜୀବନ ବିତାଇବୁ। ରାତିରେ ନିଦ ହେଉନି। କେବେ ବନ୍ୟା ଶେଷ ହେବ। କେବେ ଆମ ଭଙ୍ଗା କୁଡିଆକୁ ଫେରିବି। ସେହିପରି ଆରଡି ନିକଟସ୍ଥ ସାଠିବାଙ୍କୁଡ଼ା ଗ୍ରାମର ବୀର ଜେନାଙ୍କ ଘର ଭାଙ୍ଗି ଯାଇଥିବା ବେକେ ସେ ରାସ୍ତା କଡ ରେ ପଲିଥିନ ଟାଣି ପରିବାର ସହ ରହୁଛି।
ଏହି ଅଞ୍ଚଳର ସୁନ୍ଦରପୁର ପଞ୍ଚାୟତର ପାରାଡିହା ଗ୍ରାମର ମାମିନା ମଲ୍ଲିକଙ୍କର କଚ୍ଚା ଘର ବନ୍ୟାରେ ବୁଡିଯାଇଥିବା ବେକେ ସେ ଏବେ ବେସାହାରା ହୋଇ ରାସ୍ତାକଡ଼ରେ ପଲିଥିନ ତଳେ ରହୁଛନ୍ତି। ଏହି ଗ୍ରାମର କୁମୁଦିନୀ ମଲ୍ଲିକ, ପଦନ ମଲ୍ଲିକଙ୍କ ଘର ସବୁ ବନ୍ୟାରେ ଭାଙ୍ଗିଯାଇଥିବା ବେକେ ସେମାନେ ପଲିଥିନ ତଳେ ବହୁ ଦୁଃଖରେ ଜୀବନ ବିତାଉଛନ୍ତି। ସେହିପରି ମୁଆଁ ପଦାସହି ର କବିତା ଦାସର ଘର ଉଜୁଡି ଯାଇଛି। ସନ୍ତରା ପଦାସହିର ତିଳୋତ୍ତମା ଦାସ ର ମାଟି ଘର ବନ୍ୟା ଜଳରେ ଭାଙ୍ଗି ଯାଇଛି। ଏବେ ପଲିଥିନ ତଳେ ସନ୍ତସନ୍ତିଆ ମାଟି ଆଉ ପାଣି ଭିତରେ ଜୀବନ ବିତୁଛି। ପୁଣି ବର୍ଷା ଆଉ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଏମାନଙ୍କ ଦୁଃଖ ବଳିପଡ଼ିଛି। ଆଉ କେତେ ଦିନ ଏମିତି ଦୁଃଖ କଷ୍ଟ ରେ ଜୀବନ ବିତାଇ ବୁ ବୋଲି କହିଛନ୍ତି ବିପନ୍ନ ତିଳୋତ୍ତମା। ଏମିତି ଅନେକ ବିପନ୍ନ ଲୋକ ଏହି ସବୁ ନଦୀ କୂଳିଆ ଅଞ୍ଚଳରେ କଷ୍ଟ ରେ ରହୁଥିବା ବେଳେ ବନ୍ୟାର ଦୁଃଖ ସେମାନଙ୍କର ସବୁକିଛି ଉଜାଡି ଦେଉଛି।
Flood in Odisha: ‘ଭଦ୍ରକ ବନ୍ୟାରେ ପ୍ରାୟ ୨,୯୯,୭୮୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି’

1 hour ago
3


