ARTICLE AD BOX
ନୂଆଦିଲ୍ଲୀ: କଂଗ୍ରେସରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଚାଲିଥିବା ଶୁକ୍ରବାର ଦାବି କରିଛି ବିଜେପି। ପ୍ରିୟଙ୍କାଙ୍କ ପୁଅ ରେହାନ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ରାହୁଲ ଗାନ୍ଧୀ ସାର୍ବଜନୀନ ଭାବେ କୌଣସି ମତ ନ ରଖିବାକୁ ଆଧାର କରି ଦଳ ଏହି ଅଭିଯୋଗ ଆଣିଛି। ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ପ୍ରଶ୍ନ କରିଛନ୍ତି ଯେ ପ୍ରିୟଙ୍କାଙ୍କର କ’ଣ ନିଜ ଭାଇ ରାହୁଲଙ୍କ ନେତୃତ୍ୱ ଉପରୁ ଭରସା ତୁଟିଯାଇଛି?
ଦିଲ୍ଲୀର ବିକାନେର ହାଉସ୍ରେ ରେହାନଙ୍କ ‘ନୋ ଆଇଡିଆ ଇଜ୍ ଫାଇନାଲ୍’ ଶୀର୍ଷକ ଫଟୋ ପ୍ରଦର୍ଶନୀକୁ ନେଇ ଏହି ବିବାଦ ଦେଖାଦେଇଛି। ରେହାନ ଜଣେ ଫଟୋଗ୍ରାଫର ଓ କଳାକାର। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଲ୍ଲୀରେ ନିକଟରେ ହୋଇଥିବା ଛାତ୍ର ଆନ୍ଦୋଳନର ଚିତ୍ର ଥିବା ଅନେକ ଫଟୋକୁ ପ୍ରଦର୍ଶନୀ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ହଟାଇବାକୁ କୁହାଯାଇଥିଲା। ଏହାଦ୍ୱାରା ତାଙ୍କର ପ୍ରଦର୍ଶନୀର ଏକ ବଡ଼ ଅଂଶ ପ୍ରଭାବିତ ହୋଇଥିଲା। ତାଙ୍କର ମୋଟ ୧୦୫ଟି ଫଟୋରୁ ୭୪ଟିକୁ ହଟାଯାଇଥିଲା। ଏହି ଘଟଣାକୁ ନେଇ ପ୍ରିୟଙ୍କା କ୍ଷୋଭ ପ୍ରକାଶ କରିଥିଲେ। ଯୁବପିଢ଼ିଙ୍କ ସ୍ୱରକୁ ଚାପିଦେବା ପାଇଁ ଏହା ଏକ ପ୍ରୟାସ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ, ବିକାନେର ହାଉସ୍ ପ୍ରଶାସନ ପକ୍ଷରୁ କେତେକ ଫଟୋ ସଂସ୍ଥାର ନୀତି ସହ ସମନ୍ୱୟ ରଖୁ ନ ଥିବାରୁ ସେଗୁଡ଼ିକୁ ହଟାଇବାକୁ କୁହାଯାଇଥିବା ସ୍ପଷ୍ଟ କରାଯାଇଛି।
ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଅଭିଯୋଗ କରିଛନ୍ତି ଯେ ଏହି ବିବାଦକୁ ରେହାନଙ୍କୁ ରାଜନୀତିରେ ପରିଚିତ କରାଇବା ପାଇଁ ବ୍ୟବହାର କରାଯାଉଛି। ତାଙ୍କ ମତରେ, ମୂଳ ପ୍ରଦର୍ଶନୀ ପ୍ରସ୍ତାବରେ ପ୍ରକୃତି, ବନ୍ୟଜନ୍ତୁ, ଅମୂର୍ତ୍ତ କଳା, ଚିତ୍ର ଓ ମୂର୍ତ୍ତି ଆଦି ବିଷୟ ରହିଥିଲା; ରାଜନୈତିକ ଫଟୋ ସମ୍ପର୍କରେ ଉଲ୍ଲେଖ ନ ଥିଲା। ଏହାକୁ ଆଧାର କରି ସେ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଗତ ରବିବାର ବ୍ୟକ୍ତିଗତ ଗସ୍ତରେ ଭିଏତନାମ ଯାଇଥିବାବେଳେ ଏହି ବିବାଦ ଉପରେ ଏଯାଏଁ ସାର୍ବଜନୀନ ମତ ଦେଇନାହାନ୍ତି। ତେବେ ଏହାର କିଛି ଦିନ ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏକାଠି ପ୍ରତିବାଦ କରିଥିଲେ।

1 hour ago
2


