ARTICLE AD BOX
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣାକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସ୍ପି) ମଧ୍ୟରେ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ତଥା ଉତ୍ତରପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଇମ୍ରାନ୍ ମସୁଦ୍ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଗାନ୍ଧୀଙ୍କ ବିନା ବିଜେପିକୁ ପରାସ୍ତ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍କାରରେ ମସୁଦ୍ କହିଛନ୍ତି, ଆସନ ବଣ୍ଟନ ନେଇ ଆଲୋଚନା ଚାଲିଥିବା ବେଳେ ଏସ୍ପି ନିଜ ଆଡ଼ୁ ପ୍ରାର୍ଥୀ ଘୋଷଣା କରିବା ଠିକ୍ ନୁହେଁ। ଆମେ ଭିକାରି ନୁହଁ। ଏସ୍ପି ଚାହିଁଲେ ୪୦୩ଟି ଯାକ ଆସନରେ ପ୍ରାର୍ଥୀ ଦେଇପାରେ। ତେବେ ଆଲୋଚନାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆହୁରି ପଢନ୍ତୁ :Arjun Singh: ‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶ ଦଖଲ କରିବୁ’
ମଙ୍ଗଳବାର ରାତିରେ ଏସ୍ପି ଆଗାମୀ ନିର୍ବାଚନ ପାଇଁ ୫ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏଥିରେ ଇମ୍ରାନ୍ ମସୁଦଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ସାହାରନପୁର ଅନ୍ତର୍ଗତ ବେହଟ୍ ଓ ସାହାରନପୁର ବିଧାନସଭା ଆସନ ମଧ୍ୟ ରହିଛି। ଏହି ଦୁଇଟି ଆସନ ଉପରେ କଂଗ୍ରେସର ଦାବି ଥିବାରୁ ଏସ୍ପିର ଘୋଷଣାକୁ ନେଇ ଦଳ ଅସନ୍ତୁଷ୍ଟ ହୋଇଛି। ମସୁଦଙ୍କ ମତରେ, ମେଣ୍ଟର ପ୍ରାର୍ଥୀ ଚୟନ ଉଭୟ ଦଳର ସହମତିରେ ହେବା ଉଚିତ। ଆଲୋଚନା ଚାଲିଥିବା ବେଳେ ଏକପାଖିଆ ନିଷ୍ପତ୍ତି ମେଣ୍ଟ ପ୍ରତି ଗମ୍ଭୀରତାର ଅଭାବକୁ ଦର୍ଶାଉଛି।
ଆହୁରି ପଢନ୍ତୁ :Delimitation Bill: ସୀମା ନିର୍ଦ୍ଧାରଣ ବିବାଦରେ ମୋଦୀ ସରକାରଙ୍କୁ କଂଗ୍ରେସର କଟାକ୍ଷ
ଆସନ ବଣ୍ଟନ ଆଲୋଚନାରେ କଂଗ୍ରେସ ୧୦୦ରୁ ଅଧିକ ଆସନ ଦାବି କରୁଥିବା ବେଳେ ଏସ୍ପି ମାତ୍ର ୨୬ଟି ଆସନ ଦେବାକୁ ପ୍ରସ୍ତାବ ରଖିଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ମତଭେଦ ବଢ଼ିଛି। ଅଖିଳେଶ ଯାଦବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଖୋଲା ଚିଠି ଲେଖି ମେଣ୍ଟରେ ଗମ୍ଭୀର ଆଲୋଚନା ପାଇଁ ଆହ୍ୱାନ ଦେଇଥିଲେ। ମାତ୍ର ତାଙ୍କର ଏହି ଆହ୍ୱାନ ଓ ଦଳର ପ୍ରାର୍ଥୀ ଘୋଷଣା ମଧ୍ୟରେ ତାଳମେଳ ନ ଥିବା ମସୁଦ ଅଭିଯୋଗ କରିଛନ୍ତି। ମସୁଦ କହିଛନ୍ତି, ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏସ୍ପି ସହ ଆର୍ଏଲ୍ଡି ଓ ଅନ୍ୟ ଦଳ ମେଣ୍ଟ କରିଥିଲେ ମଧ୍ୟ ବିଜେପିକୁ ହରାଇପାରି ନ ଥିଲେ।
ଆହୁରି ପଢନ୍ତୁ :Ganjam Flood Relief Distribution ଚଳିତ ମାସ ଶେଷ ସୁଦ୍ଧା ଗଞ୍ଜାମ ବନ୍ୟା ସହାୟତା ବଣ୍ଟନ ଶେଷ ହେବ, ନହେଲେ କାର୍ଯ୍ୟାନୁଷ୍ଠାନ
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସର ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ଆଣିଥିଲା, ଯାହାର ପ୍ରଭାବ ୨୦୨୪ ଲୋକସଭା ନିର୍ବାଚନରେ ଦେଖାଯାଇଥିଲା ବୋଲି ସେ ଦାବି କରିଛନ୍ତି। ୨୦୨୪ରେ ଅଧିକ ଆସନରେ ଲଢ଼ିବା ପାଇଁ କଂଗ୍ରେସ ଏସ୍ପିକୁ ସୁଯୋଗ ଦେଇଥିଲା ବୋଲି ମଧ୍ୟ ସେ ମନେ ପକାଇଛନ୍ତି। ତେବେ ଏସ୍ପି ପକ୍ଷରୁ କଂଗ୍ରେସର କିଛି ନେତାଙ୍କୁ ଏହି ବିବାଦ ପାଇଁ ଦାୟୀ କରାଯାଇଛି। ଦଳର କିଛି ନେତା ଗଣମାଧ୍ୟମରେ ବାରମ୍ବାର ମନ୍ତବ୍ୟ ଦେଇ ଆସନ ବୁଝାମଣାର ପରିବେଶକୁ ଖରାପ କରୁଥିବା ଏସ୍ପି ସୂତ୍ରରୁ କୁହାଯାଇଛି। ଏହା ସହ କଂଗ୍ରେସର ଆଲୋଚନା କମିଟିର ଗଠନକୁ ନେଇ ମଧ୍ୟ ଏସ୍ପି ପ୍ରଶ୍ନ ଉଠାଇଛି। ଫଳରେ ଆଗାମୀ ନିର୍ବାଚନ ପୂର୍ବରୁ ଦୁଇ ଦଳର ମେଣ୍ଟ ଆଲୋଚନା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

6 hours ago
3


