ARTICLE AD BOX
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୨ତମ ଜନ୍ମବାର୍ଷିକୀ ଅବସରରେ ଗୁରୁବାର ତାଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ସେ ତାଙ୍କ ମା’ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଗାମୀ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’କୁ ନେଇ ମଧ୍ୟ ଭାବପ୍ରବଣ ମତ ରଖିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ରାହୁଲ ଲେଖିଛନ୍ତି, ତାଙ୍କ ମା’ଙ୍କ ଜୀବନର ସଂଘର୍ଷ, ସାହସ ଓ ମର୍ଯ୍ୟାଦା ବିଷୟରେ ସେ ଓ ତାଙ୍କ ଭଉଣୀ ପ୍ରିୟଙ୍କା ହିଁ ପ୍ରକୃତରେ ଜାଣନ୍ତି।
ରାହୁଲ କହିଛନ୍ତି, ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ମା’ ଯେଉଁ କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି, ତାହାକୁ ସେ ନିଜ ଆଖିରେ ଦେଖିଛନ୍ତି। ୩୫ ବର୍ଷରୁ ଅଧିକ ସମୟ ପୂର୍ବେ ସେ ଶେଷଥର ପାଇଁ ରାଜୀବ ଓ ସୋନିଆଙ୍କୁ ଏକାଠି ଦେଖିଥିଲେ। ଏହା ପରଠାରୁ ଜୀବନ ତାଙ୍କ ସମ୍ମୁଖରେ ରଖିଥିବା ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସୋନିଆ ଅସୀମ ସାହସ ଓ ମର୍ଯ୍ୟାଦାର ସହ ସାମ୍ନା କରିଥିବା ରାହୁଲ କହିଛନ୍ତି। ସୋନିଆଙ୍କ ଜୀବନକାହାଣୀ ଏବେ ଲକ୍ଷ ଲକ୍ଷ ଲୋକ ପଢ଼ିପାରିବେ ବୋଲି ରାହୁଲ କହିଛନ୍ତି। ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୋପନ ରଖିଆସିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ନିଜ ଜୀବନ ଉପରେ ସ୍ମୃତିଗ୍ରନ୍ଥ ଲେଖିବା ସହଜ ନ ଥିଲା ବୋଲି ମଧ୍ୟ ସେ କହିଛନ୍ତି। ଏହି ସ୍ମୃତିଗ୍ରନ୍ଥକୁ ସେ ତାଙ୍କ ମା’ଙ୍କ ଜୀବନର ଏକ ସୁନ୍ଦର କାହାଣୀ ଭାବେ ଦେଖିଛନ୍ତି।
Rahul Gandhi: ପୁଣେରେ ରାହୁଲ ଗାନ୍ଧୀଙ୍କ ଛାତ୍ରଙ୍କ ଗୁଞ୍ଜ୍ କାର୍ଯ୍ୟକ୍ରମକୁ ଅନୁମତି: ୩୦ ସର୍ତ୍ତ ରଖିଲା ପୁଲିସ
ସୋନିଆ ଗାନ୍ଧୀଙ୍କ ୫୪୪ ପୃଷ୍ଠାର ଏହି ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍’ ନଭେମ୍ବର ୧୦ରେ ଆଲଫ୍ରେଡ୍ ଏ. ନଫ୍ ପକ୍ଷରୁ ପ୍ରକାଶ ପାଇବ। ଏଥିରେ ଇଟାଲୀରେ ତାଙ୍କ ପିଲାଦିନଠାରୁ ଭାରତ ଆସିବା, ରାଜୀବ ଗାନ୍ଧୀଙ୍କ ସହ ବିବାହ, ନେହରୁ-ଗାନ୍ଧୀ ପରିବାରରେ ତାଙ୍କ ଜୀବନ ଏବଂ ଭାରତର ପ୍ରାୟ ୬ ଦଶନ୍ଧିର ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ଅନୁଭୂତି ସ୍ଥାନ ପାଇଛି। ସୋନିଆ ଗାନ୍ଧୀଙ୍କ ଜନ୍ମ ଇଟାଲୀରେ ହୋଇଥିଲା। ଇଂଲଣ୍ଡର କେମ୍ବ୍ରିଜ୍ରେ ପଢ଼ୁଥିବା ସମୟରେ ତାଙ୍କର ରାଜୀବ ଗାନ୍ଧୀଙ୍କ ସହ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜୀବଙ୍କ ମୃତ୍ୟୁ ଓ ତା’ପରର ଦୁଃଖଦ ଅନୁଭୂତି ତାଙ୍କୁ ସାର୍ବଜନୀନ ଜୀବନ ଓ ରାଜନୀତି ଆଡ଼କୁ ନେଇଥିଲା। ନିଜ ଜୀବନର ଏହି ବ୍ୟକ୍ତିଗତ ଅନୁଭୂତିକୁ ସାର୍ବଜନୀନ କରିବା ସହଜ ନ ଥିଲା ବୋଲି ସୋନିଆ ନିଜେ କହିଛନ୍ତି।

52 minutes ago
2


