ARTICLE AD BOX
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହାଲଦ୍ୱାନୀରେ ନିଜ ସଭା ପରେ ମଞ୍ଚର ‘ଶୁଦ୍ଧୀକରଣ’ କରାଯିବା ଘଟଣାକୁ ନେଇ କଂଗ୍ରେସ ନେତାମାନଙ୍କ ନିରବତାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୁଧବାର ନୂଆଦିଲ୍ଲୀରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଖଡ୍ଗେ କହିଛନ୍ତି ଯେ, ଗଣମାଧ୍ୟମ ସହ ନିୟମିତ ଜଡ଼ିତ ଥିବା ଦଳର କିଛି ନେତା ଏହି ଘଟଣାକୁ ଖୋଲାଖୋଲି ନିନ୍ଦା ନ କରିବା ତାଙ୍କୁ ବିଶେଷ ଭାବେ ଆଘାତ ଦେଇଛି।
ଅଗଷ୍ଟ ୮ରେ ଉତ୍ତରାଖଣ୍ଡର ହାଲଦ୍ୱାନୀରେ ଖଡ୍ଗେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହାପରେ ସେଠାରେ ଏକ ‘ଶୁଦ୍ଧୀକରଣ ହବନ’ କରାଯାଇଥିଲା। ଏହି ଘଟଣାକୁ କଂଗ୍ରେସ ନିନ୍ଦା କରିବା ସହ ଏହା ପଛରେ ବିଜେପି ସହ ଜଡ଼ିତ ଲୋକଙ୍କ ଭୂମିକା ଥିବା ଅଭିଯୋଗ କରିଛି। ତେବେ ବିଜେପି ଏହି ଘଟଣାରୁ ନିଜକୁ ଦୂରେଇ ରଖିଛି। ଏହି ଘଟଣାକୁ ନେଇ ଖଡ୍ଗେ ଅଗଷ୍ଟ ୧୩ରେ ରାଜ୍ୟସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
Congress MP : ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ: ତିହାର ଜେଲ୍ରେ ଭୋଗୁଥିଲେ ଆଜୀବନ କାରାଦଣ୍ଡ
ସେ କହିଥିଲେ, ତାଙ୍କ ସଭାରେ ଲକ୍ଷାଧିକ ଲୋକ ଯୋଗ ଦେଇଥିଲେ ଏବଂ ତାଙ୍କ ଭାଷଣରେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଧର୍ମର ନାମ ନିଆଯାଇ ନ ଥିଲା। ତାଙ୍କ ଭାଷଣ ପରେ ମଞ୍ଚର ‘ଶୁଦ୍ଧୀକରଣ’ କାହିଁକି ଆବଶ୍ୟକ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ଏହା ତାଙ୍କୁ ଅସମ୍ମାନିତ କରିବା ସହ ଅସ୍ପୃଶ୍ୟତାର ଯନ୍ତ୍ରଣା ମନେ ପକାଇ ଦେଇଥିବା ଖଡ୍ଗେ କହିଥିଲେ। ଏହି ଘଟଣାରେ ଅସ୍ପୃଶ୍ୟତା ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରି ଦୋଷୀଙ୍କୁ ଗିରଫ କରିବାକୁ ସେ ଦାବି କରିଥିଲେ।
ରାଜ୍ୟସଭାରେ ଖଡ୍ଗେଙ୍କ ଅଭିଯୋଗର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ତଥା ଗୃହର ନେତା ଜେ.ପି. ନଡ୍ଡା ଘଟଣାକୁ ଦୁଃଖଦ ବୋଲି କହିଥିଲେ। ଏଥିରେ କୌଣସି ବିଜେପି ସଦସ୍ୟ ସାମିଲ ନ ଥିବା ସେ କହିବା ସହ ଘଟଣାର ତଦନ୍ତ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ। ତେବେ ଖଡ଼ଗେଙ୍କ ଅସନ୍ତୋଷ ପ୍ରକାଶ ପରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଥିଲେ ଯେ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିଛି। ତଥାପି ଖଡ଼ଗେ ଏଥିରେ ସନ୍ତୁଷ୍ଟ ହୋଇ ନ ଥିବା ତାଙ୍କ ଭାବଭଙ୍ଗୀରୁ ଜଣାପଡ଼ୁଥିଲା। ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ବେଣୁଗୋପାଳ ହାଲଦ୍ୱାନୀ ଘଟଣାକୁ ‘ଗ୍ରହଣୀୟ ନୁହେଁ’ ଓ ‘ନିନ୍ଦନୀୟ’ ବୋଲି କହିଥିଲେ।

44 minutes ago
2


