Punascha Pruthibi: ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ସମ୍ମିଳନୀ ଉଦ୍‌ଯାପିତ; ଓଡ଼ିଶା ବିକାଶରେ ପଛୁଆ, କାର୍ବନ୍‌ ନିର୍ଗମନରେ ଆଗୁଆ: ସତ୍ୟ ତ୍ରିପାଠୀ

2 hours ago 1
ARTICLE AD BOX

ଭୁବନେଶ୍ବର: ବର୍ତ୍ତମାନ ଓଡ଼ିଶା ଏକ ବିଚିତ୍ର ପରିସ୍ଥିତି ଦେଇ ଗତି କରୁଛି। ରାଜ୍ୟର ଜିଡିପି ଜାତୀୟ ହାରଠାରୁ ୨୦% କମ୍। ହେଲେ କାର୍ବନ୍‌ ନିର୍ଗମନରେ ଓଡ଼ିଶା ଆଗରେ। ଜାତୀୟସ୍ତରରେ ମୁଣ୍ଡ ପିଛା କାର୍ବନ୍‌ ନିର୍ଗମନ ୨.୮ ଟନ୍‌ ଥିବା ବେଳେ ଓଡ଼ିଶାରେ ଏହା ୬.୯ ଟନ୍‌ ରହିଛି। ଆଗକୁ ଯଦି କାର୍ବନ୍‌ ନିର୍ଗମନ କ୍ଷେତ୍ରରେ କଟକଣା ଲାଗୁ ହୁଏ, ତା’ହେଲେ ଜାତୀୟ ହାରଠାରୁ ଜିଡିପିରେ ବହୁ ପଛରେ ଥିବା ଓଡ଼ିଶାର ସ୍ଥିତି କ’ଣ ହେବ ତାହା ଚିନ୍ତାର ବିଷୟ ବୋଲି କହିଛନ୍ତି ଜିଏଏସ୍‌ପିର ମହାସଚିବ ସତ୍ୟ ତ୍ରିପାଠୀ।

Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ତୃତୀୟ ଦିବସର ଏହି ଅଧିବେଶନର ଶୀର୍ଷକ ଥିଲା ‘ଲୋକାଲ ଟୁ ଗ୍ଲୋବାଲ୍‌’। ଏଥିରେ ଅତିଥି ଭାବେ ଯୋଗଦେଇ ଶ୍ରୀ ତ୍ରିପାଠୀ କହିଲେ, ବିଶ୍ବରେ କାର୍ବନ୍‌ ନିର୍ଗମନରେ ଭାରତ ତୃତୀୟ ସ୍ଥାନରେ ରହିଛି। ଖୁବ୍‌ଶୀଘ୍ର ଏହା ଆମେରିକାକୁ ଟପି ଦ୍ବିତୀୟ ସ୍ଥାନରେ ପହଞ୍ଚିବା ନେଇ ଆକଳନ କରାଯାଉଛି। ୧୯୯୦ ମସିହାରେ ବିଶ୍ବର ଜିଡିପି ଥିଲା ୨୩ ଟ୍ରିଲିଅନ୍‌ ଡଲାର। ଏବେ ତାହା ୧୧୫ ଟ୍ରିଲିଅନ୍‌ ଡଲାରରେ ପହଞ୍ଚିଯାଇଛି। ଅର୍ଥାତ୍‌ ୩୦ ବର୍ଷ ଭିତରେ ବିଶ୍ବର ଜିଡିପି ୬ ଗୁଣା ବଢ଼ିଛି। ତେବେ ଏହା ଘଟିଛି ପୃଥିବୀର ଧ୍ୱଂସ ମାଧ୍ୟମରେ। ଆମେ ପିନ୍ଧିଥିବା ସାର୍ଟ, ବସିଥିବା ଚେୟାର, ଟେବୁଲ ସବୁକିଛି ପୃଥିବୀ ଆମକୁ ଦେଇଛି। ବିକାଶ ନାଁରେ ପୃଥିବୀକୁ ଧ୍ବଂସ କରିବା ବେଳେ ମଣିଷ ନିଜକୁ ମଧ୍ୟ ବିପଦରେ ପକାଉଛି। ଦଶନ୍ଧି ପୂର୍ବରୁ ପ୍ରତ୍ୟେକ ରାଜ୍ୟ ନିଜ ଇଚ୍ଛା ଅନୁସାରେ ଜାତୀୟ ପୁଞ୍ଜି ବଜାର, ସ୍ଥାନୀୟ ବ୍ୟାଙ୍କ ଓ ରାଜ୍ୟ ମାଲିକାନାରେ ଥିବା ବ୍ୟାଙ୍କରୁ ଟଙ୍କା ଋଣ କରିପାରୁଥିଲେ। ଋଣ ନେଇ ଭିତ୍ତିଭୂମିର ଉନ୍ନତି, ନିଯୁକ୍ତି  ଓ ଅର୍ଥନୈତିକ ବିକାଶ ହେଲା। ହେଲେ ଏହାପରେ ଋଣ ପରିମାଣ ବଢ଼ି ବଢ଼ି ଚାଲିଲା। କେବଳ ଭାରତ ନୁହେଁ, ପ୍ରତ୍ୟେକ ଦେଶ ଉପରେ ବିପୁଳ ଋଣ ଭାର ରହିଛି। ସେମାନେ ଆହୁରି ଋଣ ନେଉଛନ୍ତି ଓ ଅନ୍ୟ ସମସ୍ତଙ୍କ ଖର୍ଚ୍ଚରେ ନିଜର ବିକାଶ ଜାରି ରଖୁଛନ୍ତି।

ଆସନ୍ତାବର୍ଷ ବିଶ୍ବ ତାପନ ୧.୫ ଡିଗ୍ରି ପାର କରିବ

‘ବିକାଶ ସମୃଦ୍ଧି ଆଣେ’ ଏହି ସିଦ୍ଧାନ୍ତ ମଣିଷ ପାଇଁ ହୁଏତ ସତ୍ୟ ହୋଇପାରେ। କିନ୍ତୁ ପୃଥିବୀ କ୍ଷେତ୍ରରେ ଏହା ସତ୍ୟ ନୁହେଁ। ଯାହା ପୃଥିବୀ ପାଇଁ ଠିକ୍‌ ନୁହେଁ, ତାହା ଶେଷରେ ମଣିଷ ଓ ଅନ୍ୟ ପ୍ରଜାତି ଉପରେ ଗଭୀର ପ୍ରଭାବ ପକାଇବ। ୧୯୮୭ ମସିହାରୁ ବିଶ୍ବ ତାପନ ମାପିବା ଆରମ୍ଭ ହୋଇଥିଲା। ବିଶ୍ବର ଅନେକ ବୈଜ୍ଞାନିକ ଜାଣିବାକୁ ପାଇଥିଲେ ଯେ ପୃଥିବୀର ଓଜୋନ୍‌ ସ୍ତରରେ ଛିଦ୍ର କାରଣରୁ ଚର୍ମ କର୍କଟ ବଢ଼ିବାରେ ଲାଗିଛି। ଯଦିଓ ଏହା ବିଶ୍ବର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖିବାକୁ ମିଳିଥିଲା, ମାତ୍ର ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ରହିଥିଲା। ଏଥିପାଇଁ ମଣ୍ଟ୍ରିଲ ପ୍ରୋଟୋକଲ ସ୍ବାକ୍ଷରିତ ହୋଇଥିଲା। ଏହାପରେ ବି ସମାନ ବିଷୟକୁ ନେଇ ଆଉ ଦୁଇଟି ପ୍ରୋଟୋକଲ ସ୍ବାକ୍ଷରିତ ହୋଇଛି। 
ମଣ୍ଟ୍ରିଲ ପ୍ରୋଟୋକଲର ପ୍ରଥମ ଲକ୍ଷ୍ୟ ଥିଲା କ୍ଲୋରୋଫ୍ଲୋରୋକାର୍ବନ୍‌ ବା ସିଏଫ୍‌ସିକୁ ହ୍ରାସ କରିବା।

ପରେ ହାଇଡ୍ରୋଫ୍ଲୋରୋକାର୍ବନ୍‌ ବା ଏଚ୍‌ଏଫ୍‌ସି ବିଷୟରେ ଆଲୋଚନା ହେଲା। ଏଚ୍‌ଏଫ୍‌ସିରେ ଏପରି କିଛି ମଲେକ୍ୟୁଲ୍‌ସ ଅଛି ଯାହା ବାୟୁମଣ୍ଡଳକୁ ଅତ୍ୟଧିକ ଉଷ୍ମ କରିପାରେ। ବାୟୁମଣ୍ଡଳରେ ଥିବା ଜଳୀୟ ବାଷ୍ପ ତୁଳନାରେ ପ୍ରାୟ ୨ଶହଗୁଣ ପର୍ଯ୍ୟନ୍ତ ତାପମାତ୍ରା ବଢ଼ାଇବାର କ୍ଷମତା ରଖିଛି। ଜୈବ ବିବିଧତାର ହ୍ରାସ ସିଧାସଳଖ ବିଶ୍ବ ତାପନ ସହ ଜଡ଼ିତ। ହେଲେ ଶିଳ୍ପ ବିପ୍ଲବ କାରଣରୁ ବିଶ୍ବ ତାପନ କେତେ ବଢ଼ିଛି ତାହା ନିର୍ଦ୍ଧାରଣ କରିବା କଷ୍ଟକର। ଏଥିପାଇଁ ୧୮୫୦ରୁ ୧୯୦୦ ମସିହା ପର୍ଯ୍ୟନ୍ତ ଏକ ମାନକ ଭାବେ ବିଚାର କରାଯାଇ ଏହାର ପ୍ରଭାବ ମପାଯାଇଥିଲା।

ସେତେବେଳେ ଜଣାପଡ଼ିଥିଲା ଯେ ବିଶ୍ବର ତାପମାତ୍ରା ୧ଡିଗ୍ରି ବଢ଼ିବା ଭୟଙ୍କର ପରିଣାମ ଆଣିପାରେ। ୨୦୧୭ ମସିହାରେ ବିଶ୍ବ ତାପନ ୧ ଡିଗ୍ରି ବଢ଼ିଥିବା ସ୍ପଷ୍ଟ ହୋଇଥିଲା। ଅର୍ଥାତ୍‌ ୧ ଡିଗ୍ରି ତାପମାତ୍ରା ବଢ଼ିବା ପାଇଁ ୧୧୭ ବର୍ଷ ଲାଗିଥିଲା। ହେଲେ ଖୁବ୍‌ଶୀଘ୍ର ୧.୫ ଡିଗ୍ରି ବିଶ୍ବ ତାପନ ସୀମା ଅତିକ୍ରମ କରିବ। ଆସନ୍ତାବର୍ଷ ଏହି ସୀମା ପାର କରିବ ବୋଲି ଆକଳନ କରାଯାଉଛି। ଯଦି ଏହା ସତ୍ୟ, ତା’ହେଲେ ବିଶ୍ବର ତାପମାନ ସ୍ଥିତି କ’ଣ ହେବ ଅନୁମାନ କରିବା କଷ୍ଟକର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.