ARTICLE AD BOX
କୋଲକାତା: ଦିଲ୍ଲୀର ଜନ୍ତରମନ୍ତରଠାରେ ହୋଇଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଛାତ୍ର ଆନ୍ଦୋଳନରେ ପୁଲିସ ପୋଷାକରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନରୁ ଷଡ଼୍ଯନ୍ତ୍ର କରାଯାଇଥିଲା। ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହମିମ୍ ମଣ୍ଡଳକୁ ତା’ର ପାକିସ୍ତାନୀ ପରିଚାଳକମାନେ ଏହି କାମ ଦେଇଥିଲେ ବୋଲି ପଶ୍ଚିମବଙ୍ଗ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍ଟିଏଫ୍) ରବିବାର କହିଛି।
ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ସହ ସମ୍ପର୍କ ଥିବା ସନ୍ଦେହରେ ହମିମ୍କୁ ଶୁକ୍ରବାର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ କରାଯାଇଥିଲା। ଏସ୍ଟିଏଫ୍ ମହାନିରୀକ୍ଷକ ଗୌରବ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହମିମ୍କୁ ପୁଲିସ ପୋଷାକ କିଣି ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଅନୁପ୍ରବେଶ କରିବାକୁ କୁହାଯାଇଥିଲା। ସେଠାରେ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ ଥିଲା ବୋଲି ଏସ୍ଟିଏଫ୍ ଦାବି କରିଛି। ଏହାଛଡ଼ା ହମିମ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେ କେଉଁ ସ୍ଥାନରେ ସୁରକ୍ଷା ବିନା ରହୁଛନ୍ତି, ସେ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କର ଅନ୍ୟତମ ନିଶାଣ ଥିଲେ ବୋଲି ଗୌରବ କହିଛନ୍ତି। ଜେରା ବେଳେ ପଶ୍ଚିମବଙ୍ଗରେ ଜୈସ୍-ଏ-ମହମ୍ମଦର ଅନେକ ପରିଚାଳକଙ୍କ ସହ ହମିମ୍ର ସମ୍ପର୍କ ଥିବା ଜଣାପଡ଼ିଛି। ଅଦାଲତ ତାକୁ ୧୪ ଦିନ ପାଇଁ ଏସ୍ଟିଏଫ୍ ହେପାଜତକୁ ପଠାଇଛନ୍ତି।
Probe demand: ଅଭିଜିତ ଦୀପକେଙ୍କ ଆମେରିକା ଶିକ୍ଷା ପାଇଁ ଅର୍ଥ ଆସିଲା କେଉଁଠୁ? ତଦନ୍ତ ଦାବି
ହମିମ୍ର ବାନ୍ଧବୀ ଅର୍ପିତା ସରକାରକୁ ମଧ୍ୟ ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରାଯାଇଛି। ଉଭୟେ ରାଜ୍ୟମନ୍ତ୍ରୀ ଉମେଶ ରାୟଙ୍କ ପୁଅଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିବା ଏବଂ ତାଙ୍କ ପରିବାରଠାରୁ ଅର୍ଥ ଆଦାୟ ପାଇଁ ଷଡ଼୍ଯନ୍ତ୍ର କରୁଥିଲେ ବୋଲି ପୁଲିସ ଅଭିଯୋଗ କରିଛି।
ଅର୍ପିତା ଅନେକ ପ୍ରମୁଖ ବ୍ୟକ୍ତି ଓ ରାଜନେତାଙ୍କୁ ପ୍ରେମଜାଲରେ ଫସାଇ ସେମାନଙ୍କ ସମ୍ପର୍କରେ ସୂଚନା ହମିମ୍କୁ ଦେଉଥିଲା ବୋଲି ଏସ୍ଟିଏଫ୍ କହିଛି। ଅର୍ପିତାର ହ୍ବାଟ୍ସଆପ୍ ବାର୍ତ୍ତାରୁ ପାକିସ୍ତାନ ସହ ସମ୍ପର୍କର ସୂଚନା ମିଳିଥିଲା। ତା’ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଯାଞ୍ଚ କରିବା ପରେ ଏସ୍ଟିଏଫ୍ ହମିମ୍ ପାଖରେ ପହଞ୍ଚିଥିଲା। ଦୁହେଁ ଇନ୍ଷ୍ଟାଗ୍ରାମ୍ରେ ପ୍ରଥମେ ପରିଚିତ ହୋଇଥିଲେ ଏବଂ ଚାରିବର୍ଷ ହେଲା ସମ୍ପର୍କରେ ଥିଲେ। ସେମାନଙ୍କଠାରୁ ବ୍ରିଟେନ୍ ଓ ମେକ୍ସିକୋରେ ଜାରି ହୋଇଥିବା ଅନ୍ତର୍ଜାତୀୟ ସିମ୍ କାର୍ଡ ଜବତ ହୋଇଛି। ଗୁପ୍ତ ଯୋଗାଯୋଗ ପାଇଁ ଏଗୁଡ଼ିକ ବ୍ୟବହାର ହେଉଥିବା ସନ୍ଦେହ କରାଯାଉଛି। ଏସ୍ଟିଏଫ୍ ଏବେ ସମ୍ପୂର୍ଣ୍ଣ ନେଟ୍ୱର୍କ, ଏହାର ଅନ୍ୟ ସଦସ୍ୟ ଏବଂ ସୀମାପାର ସମ୍ପର୍କର ତଦନ୍ତ କରୁଛି।

1 hour ago
1


