ARTICLE AD BOX
ଭୁବନେଶ୍ବର: ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ପ୍ରତିନିଧିତ୍ବ ବଢ଼ିବ। ଏଥିପାଇଁ ରାଜ୍ୟର ପଛୁଆବର୍ଗ (ଓବିସି), ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସ୍ଇବିସି)ଙ୍କୁ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନରେ ସର୍ବାଧିକ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏସ୍ଇବିସି କମିସନ ବି ଗଠନ କରିଛନ୍ତି। ତିନି ମାସ ମଧ୍ୟରେ କମିସନଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ଅର୍ଥାତ୍ ଜାନୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା କମିସନ ରିପୋର୍ଟ ଦେବେ। ହେଲେ ରିପୋର୍ଟ ପ୍ରସ୍ତୁତ କରିବାକୁ କମିସନ କେଉଁ ତଥ୍ୟକୁ ଆଧାର କରିବେ ସେନେଇ ଏବେ ସୁଦ୍ଧା କିଛି ସ୍ପଷ୍ଟ ହୋଇନି। ତେଣୁ ୩ ମାସରେ ରିପୋର୍ଟ ପ୍ରସ୍ତୁତିର ଆଧାର କ’ଣ ହେବ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇପାରିବ ତ ସେନେଇ ପ୍ରଶ୍ନ ଉଠିଲାଣି।
Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ
ପୂର୍ବରୁ ବିଜେଡି ସରକାର ଅମଳରେ ଜଷ୍ଟିସ୍ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଓବିସି କମିସନ୍ ଗଠନ କରାଯାଇଥିଲା। କମିସନ୍ ୨୦୨୩ ମସିହାରେ ରାଜ୍ୟରେ ୩୯.୩୧% ଏସ୍ଇବିସି ବର୍ଗର ଲୋକ ଥିବା ରିପୋର୍ଟ ଦେଇଥିଲେ। ଏଥିରେ ୨୦୮ଟି ଜାତିକୁ ସାମିଲ କରିଥିଲେ। ଏଥିରେ ରାଜ୍ୟରେ ପ୍ରାୟ ୪.୯୫କୋଟି ଲୋକ ଥିବାବେଳେ ୧.୯୫କୋଟି ଏସ୍ଇବିସି ବର୍ଗର ବୋଲି ଚିହ୍ନଟ ହୋଇଥିଲେ। ଏପରିକି ଏହି ରିପୋର୍ଟରେ କେଉଁ ଜିଲ୍ଲାର କେଉଁ ୱାର୍ଡରେ କେତେ ଲୋକ ଏସ୍ଇବିସି ବର୍ଗର ଅଛନ୍ତି, ମୋଟ ଜନସଂଖ୍ୟାର କେତେ ପ୍ରତିଶତ ସେସବୁ ରିପୋର୍ଟ ଜିଲ୍ଲାୱାରୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରକାଶ କରିନାହାନ୍ତି। ତେଣୁ ଏବେ ନୂଆ କମିସନ କେଉଁ ଆଧାରରେ କେଉଁ ପଞ୍ଚାୟତରେ, ୱାର୍ଡରେ, ପୌର ସଂସ୍ଥାରେ କେତେ ଏସ୍ଇବିସି ବର୍ଗର ଲୋକ ଅଛନ୍ତି ତାକୁ ଉପସ୍ଥାପନ କରିବେ ସେନେଇ ପ୍ରଶ୍ନ ଉଠିଲାଣି। କମିସନଙ୍କୁ ତିନି ମାସ ମଧ୍ୟରେ ଏସ୍ଇବିସିଙ୍କୁ ରାଜନୈତିକ ଭାବେ ପଛୁଆ ପ୍ରମାଣ କରିବାକୁ ଠୋସ୍ ଓ ସ୍ଥାନୀୟ ତଥ୍ୟ ଆବଶ୍ୟକ। ଯେପରି ପ୍ରତ୍ୟେକ ଗ୍ରାମପଞ୍ଚାୟତ/ବ୍ଲକ୍/ଜିଲ୍ଲା ପରିଷଦରେ ମୋଟ ଜନସଂଖ୍ୟା ଏବଂ ଏସ୍ଇବିସିଙ୍କ ଜନସଂଖ୍ୟା, ଏନ୍ଏସି/ମ୍ୟୁନିସିପାଲିଟି/ମହାନଗର ନିଗମରେ ମୋଟ ଜନସଂଖ୍ୟା ଓ ଏସ୍ଇବିସି ଜନସଂଖ୍ୟା, ପୂର୍ବ ନିର୍ବାଚନରେ ଏସ୍ଇବିସି ପ୍ରାର୍ଥୀଙ୍କ ପ୍ରତିନିଧିତ୍ବ, ନିର୍ବାଚିତ ଏସ୍ଇବିସି ପ୍ରତିନିଧିଙ୍କ ସଂଖ୍ୟା, କେଉଁ ସ୍ଥାନୀୟ ସଂସ୍ଥାରେ ଏସ୍ଇବିସିଙ୍କ ରାଜନୈତିକ ପ୍ରତିନିଧିତ୍ବ କମ୍, ଅନ୍ୟ ପଛୁଆବର୍ଗ ସହିତ ତୁଳନା, ରାଜନୈତିକ ଭାବେ କେତେ ପଛୁଆ, ଏହାର ପ୍ରଭାବ କ’ଣ ପଡ଼ୁଛି, ଏହି ତଥ୍ୟ ଆଧାରରେ କେତେ ସଂରକ୍ଷଣ ଆବଶ୍ୟକ ତା’ର ରିପୋର୍ଟ ଦେବାକୁ ହେବ।
ତିନି ମାସରେ ରିପୋର୍ଟ ଦେବେ ଏସ୍ଇବିସି କମିସନ
ପୁରୁଣା ସର୍ଭେ ରିପୋର୍ଟ ନା କେଉଁ ଆଧାରରେ ସର୍ଭେ ହେବ?
ଏସ୍ଇବିସିଙ୍କୁ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ଯୋଜନା
ହାତରେ କମ୍ ସମୟ ଥିବାରୁ ରାଜ୍ୟ ସରକାର ଚାହଁିଲେ ପୂର୍ବ କମିସନଙ୍କ ରିପୋର୍ଟକୁ ପ୍ରଥମେ ଆନୁଷ୍ଠାନିକ ଭାବେ ପ୍ରକାଶ କରିବାକୁ ହେବ କିମ୍ବା ନୂଆ କମିସନ ଏବେ ପୁରୁଣା କମିସନଙ୍କ ରିପୋର୍ଟ ଆଧାରରେ ସର୍ଭେ କରିବେ ବୋଲି ଜଣାଇବେ। ନଚେତ୍ ଭୋଟର ତାଲିକା ତଥ୍ୟ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ତଥ୍ୟ ଏବଂ ସର୍ଭେ ରିପୋର୍ଟ ଆଧାରରେ କମିସନ ତାଲିକା ପ୍ରସ୍ତୁତ କରିପାରନ୍ତି।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
ସୂଚନା ଅନୁଯାୟୀ, ଏସ୍ଇବିସି କମିସନ ଗତ ତିନିଟି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ତିନିଟି ପୌର ନିର୍ବାଚନର ତଥ୍ୟ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିପାରନ୍ତି। କେଉଁଠି କେତେ ଏସ୍ଇବିସି ବର୍ଗର ଲୋକ ଅଛନ୍ତି, କେତେ ଲୋକ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ, କେତେ ଲୋକ ନିର୍ବାଚିତ ହୋଇଥିଲେ, କେଉଁ ଅଞ୍ଚଳରେ ଏସ୍ଇବିସିଙ୍କୁ କମ୍ ସୁଯୋଗ ମିଳୁଛି, କେଉଁଠି ଅଧିକ ସୁଯୋଗ ମିଳୁଛି, କେତେ ପ୍ରତିଶତ ସଂରକ୍ଷଣ ଦିଆଯିବା ଦରକାର ତା’ର ରିପୋର୍ଟ ବି ବିଶ୍ଳେଷଣ କରିକି ଦେବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂରକ୍ଷଣ ବ୍ୟବସ୍ଥା କୌଣସି ପରିସ୍ଥିତିରେ ବି ୫୦% ଟପିବନି। ସ୍ଥାନୀୟ ସଂସ୍ଥାରେ ଏସ୍ଇବିସିଙ୍କୁ ସଂରକ୍ଷଣ ପୂର୍ବରୁ ସମକାଳୀନ ଓ ଦୃଢ଼ ବାସ୍ତବିକ ତଥ୍ୟ ଆବଶ୍ୟକ। କେବଳ ସାରା ରାଜ୍ୟରେ ଏସ୍ଇବିସିଙ୍କ ଜନସଂଖ୍ୟା ଆଧାରରେ ସଂରକ୍ଷଣ ସ୍ଥିର ହେବନି। କେଉଁ ସ୍ଥାନୀୟ ସଂସ୍ଥାରେ ସେମାନଙ୍କ ପ୍ରତିନିଧିତ୍ୱ କେତେ ଏବଂ ରାଜନୈତିକ ପଛୁଆପଣ କେତେ, ତାହା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ହେବ। ଏପଟେ ରାଜ୍ୟ ସରକାର ଏସ୍ଟିଙ୍କୁ ୨୨.୫% ଏବଂ ଏସ୍ସିଙ୍କୁ ୧୬.୨୫% ସଂରକ୍ଷଣ ଦେଇଛନ୍ତି। ତେଣୁ ଏହି ଆଧାରରେ ସଂରକ୍ଷଣ ଦେଲେ ଏସ୍ଇବିସିଙ୍କୁ ୧୧.୨୫% ସଂରକ୍ଷଣ ମିଳିବ। କିନ୍ତୁ ରାଜ୍ୟ ସରକାର ରାଜନୈତିକ ଦୃଷ୍ଟିକୋଣରୁ ପଛୁଆବର୍ଗଙ୍କୁ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ଚିନ୍ତା କରୁଥିବାରୁ କେଉଁ ୱାର୍ଡରେ, ପଞ୍ଚାୟତରେ, ପୌର ସଂସ୍ଥାରେ କେଉଁ ବର୍ଗର କେତେ ଲୋକ ଅଛନ୍ତି ତାହାକୁ ଆଧାର କରି ଯେଉଁଠି ଏସ୍ଇବିସି ବର୍ଗର ଲୋକ ଅଧିକ ଥିବେ ସେଠାରେ ଅଧିକ ପ୍ରତିଶତ ସଂରକ୍ଷଣ ଦେବେ। ହେଲେ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଅନୁସାରେ ପଛୁଆବର୍ଗ କମିସନ ତାଙ୍କ ରିପୋର୍ଟରେ କେଉଁ ମାନଦଣ୍ଡ ଆଧାରରେ ଏସ୍ଇବିସି ବର୍ଗଙ୍କୁ ‘ରାଜନୈତିକ ଭାବେ ପଛୁଆ’ ବୋଲି ଦର୍ଶାଉଛନ୍ତି ଏବଂ କୋର୍ଟରେ ପ୍ରମାଣିତ କରୁଛନ୍ତି ତାହା ଉପରେ ନଜର ରହିବ। କାରଣ ପୂର୍ବରୁ ଏହି ‘ରାଜନୈତିକ ଭାବେ ପଛୁଆ’ ପଏଣ୍ଟରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବହୁ ସମସ୍ୟା ଦେଖାଦେଇଛି।

13 hours ago
1


