PM Surya Ghar Yojana: ସଫଳ ହେଉନି ପିଏମ୍‌ ସୂର୍ଯ୍ୟଘର ଯୋଜନା: ୫ ହଜାର ଟପିନି ହିତାଧିକାରୀଙ୍କ ସଂଖ୍ୟା, ସବ୍‌ସିଡି ସତ୍ତ୍ବେ ମୁହଁ ମୋଡ଼ୁଛନ୍ତି ଗ୍ରାହକ

1 day ago 2
ARTICLE AD BOX

ଅନୁଗୋଳ: ନିର୍ବାଚନ ପୂର୍ବରୁ ଲୋକଙ୍କୁ ୩ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ ବୋଲି ବିଜେପି କହିଥିଲା। ସରକାରକୁ ଆସିବା ପରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଘରେ ସୋଲାର୍‌ ପ୍ଲାଣ୍ଟ ବସାଇବାକୁ ପ୍ରୋତ୍ସାହନ ଯୋଗାଇଥିଲେ। କିନ୍ତୁ, ଲୋକେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ସେଥିପାଇଁ ଅନୁଗୋଳ ଜିଲ୍ଲାରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୫ ହଜାର ଟପିନି। ସବ୍‌ସିଡି ମିଳୁଥିଲେ ମଧ୍ୟ ବ୍ୟାଙ୍କଋଣ ଦେବାକୁ କୁନ୍ଥକୁନ୍ଥ ହେବା ଓ ଲୋକମାନେ ଏକକାଳୀନ ଅଧିକ ଟଙ୍କା ବିନିଯୋଗ କରିବାକୁ ପସନ୍ଦ କରୁ ନ ଥିବାରୁ ଅନୁଗୋଳ ଜିଲ୍ଲାରେ ଏହି ଯୋଜନା ସଫଳ ହୋଇପାରୁନି। 

Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର

ଲୋକଙ୍କୁ ସୁବିଧାରେ ଓ ଅଳ୍ପ ଖର୍ଚ୍ଚ‌ରେ ବିଜୁଳି ଯୋଗାଣ ପାଇଁ ସରକାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଆରମ୍ଭ କରିଥିଲେ। ବିଜୁଳି ଖର୍ଚ୍ଚ କମାଇବା ସହ ସୌରଶକ୍ତିର ବ୍ୟବହାରକୁ ‌‌ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ଯୋଜନାକୁ ବେଶ୍‌ ଗୁରୁତ୍ବ ଦେଇଥିଲେ। ଏଥିପାଇଁ ବହୁ ‌ଜୋର୍‌ରେ ପ୍ରଚାରପ୍ରସାର ମଧ୍ୟ କରାଯାଇଥିଲା। ଏହି ଯୋଜନାରେ ସରକାର ସିଂହଭାଗ ସବ୍‌ସିଡି ଦେଉଥିଲେ ମଧ୍ୟ ଲୋକେ ଏହାର ଲାଭ ଉଠାଇବାକୁ ନାରାଜ। ସରକାରୀ ତଥ୍ୟ ଅନୁସାରେ, ଅନୁଗୋଳ ଜିଲ୍ଲାରେ ୨୦୨୪-୨୫ ବର୍ଷରେ ଏହି ପିଏମ୍‌ ସୂର୍ଯ୍ୟଘର ଯୋଜନା‌ରେ ସାମିଲ ହେବା ପାଇଁ ୧୬୯୬ ଜଣ ଆବେଦନ କରିଥିଲେ। ଏଥିରୁ ୮୦ ଜଣ ଏହି ଯୋଜନାରେ ସାମିଲ ହୋଇଥିଲେ। ୨୦୨୫-୨୬ରେ ୯୬୯ ଜଣ ଏବଂ ୨୦୨୬-୨୭ରେ ୩,୩୦୬ ଜଣ ଏହି ଯୋଜନାରେ ଘରେ ସୋଲାର ପ୍ୟାନେଲ ବସାଇଛନ୍ତି। ଏମିତି ମୋଟ ୪୩୫୫ ଜଣ ହିତାଧିକାରୀ ଏହି ଯୋଜନାର ଫାଇଦା ଉଠାଇଥିଲା ବେଳେ ଅନ୍ୟମାନେ ଏଥିରୁ ମୁହଁ ମୋଡ଼ୁଛନ୍ତି। ଏପରିକି ଏହି ସୋଲାର ପ୍ୟାନେଲ୍‌ ବସାଉଥିବା ଭେଣ୍ଡରମାନେ ବହୁ ଆକର୍ଷଣୀୟ ଅଫର୍‌ ଦେଉଥିଲେ ମଧ୍ୟ ଲୋକମାନେ ଆଗ୍ରହ ଦେଖାଉ ନାହାନ୍ତି। 

PM Surya Ghar: ଅନ୍ଧାରରେ ‘ପିଏମ୍‌ ସୂର୍ଯ୍ୟ ଘର’: ଯୋଜନା ସମ୍ପର୍କରେ ଲୋକେ ଅଜଣା, ଅଢ଼େଇ ବର୍ଷରେ ୪୭୭୨ ଉପକୃତ

ସୂଚନା ଅନୁସାରେ, ଏହି ସୋଲାର ପ୍ୟାନେଲ୍‌ ଲଗାଇବା ପାଇଁ ଲୋକମାନେ ଅନ୍‌ଲାଇନ୍‌ ଆବେଦନ କରିବେ। ପରେ ଭେଣ୍ଡର୍‌ ଚୟନ କରି ଘରେ ସୋଲାର ପ୍ୟାନେଲ୍‌ ଲଗାଇ ବିଜୁଳି ବ୍ୟବହାର କରିପାରିବେ। ପ୍ରଥମେ ସୋଲାର୍‌ ପ୍ୟାନେଲ୍‌ ଲଗାଇ ବିଜୁଳି ବ୍ୟବହାର କରିବା ପରେ ଯାଇ ସରକାରଙ୍କ ସବ୍‌ସିଡି ଅର୍ଥ ମିଳୁଛି। ଆଗୁଆ ଟଙ୍କା ବିନିଯୋଗ କରି ଏହି ଯୋଜନାରେ ସାମିଲ ହେବାକୁ ହିତାଧିକାରୀ କୁନ୍ଥକୁନ୍ଥ ହେଉଥିବା ଜଣାପଡ଼ିଛି। ପୁଣି ବ୍ୟାଙ୍କଗୁଡ଼ିକ ମଧ୍ୟ ଏହି ଯୋଜନାରେ ତୁରନ୍ତ ଋଣ ପ୍ରଦାନ କରୁନାହାନ୍ତି। ଏମିତି ଜଟିଳ ପ୍ରକ୍ରିୟାରେ ଏହି ଯୋଜନା ଛନ୍ଦି ହୋଇଯାଇଛି। କାରଣ ଘରେ ୩ କିଲୋୱାଟ୍‌ ବିଜୁଳି ପ୍ରକଳ୍ପ ପାଇଁ ଏହି ସୋଲାର ପ୍ୟାନେଲ୍‌ ଲଗାଇବାକୁ ୧ ଲକ୍ଷ ୯୫ ହଜାର ଟଙ୍କାରୁ ୨ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଏହାକୁ ଟିପିସିଓଡିଏଲ୍‌ ମଂଜୁର କରିବା ପରେ ୧ ଲକ୍ଷ ୩୮ ହଜାର ଟଙ୍କା ସବ୍‌ସିଡି ଆକାରରେ ଆସିଥାଏ। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲୋକମାନେ ଏକକାଳୀନ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯୋଜନାରେ ସାମିଲ ହେବାକୁ ପସନ୍ଦ କରୁ ନାହାନ୍ତି। ପୁଣି ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ବ୍ୟାଙ୍କ ଋଣ ଦେବାକୁ ମନା କରି ଦେଉଛି। ଏଥିପାଇଁ ଲୋକମାନେ ଚାହିଁଲେ ମଧ୍ୟ ଏହି ଯୋଜନାରେ ଯୋଡ଼ି ହୋଇ ପାରୁନାହାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.