PM Kisan: କୃଷକଙ୍କ ଉନ୍ନତି ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ: ମୁଖ୍ୟମନ୍ତ୍ରୀ

1 hour ago 1
ARTICLE AD BOX

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ପିଏମ୍‌ କିଷାନ ଉତ୍ସବରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମ ପାଇଁ କୃଷକ ସମାଜ କେବଳ ଚାଷୀ ନୁହନ୍ତି, ସେମାନେ ଆମ ପାଇଁ ଅନ୍ନଦାତା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ନଦାତାଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ପାଇଁ ପ୍ରଥମ ଦିନରୁ ହିଁ ବିଭିନ୍ନ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର କୌଣସି ଜଣେ ବି ଯୋଗ୍ୟ କୃଷକ ଯେପରି ଏହି ଯୋଜନାର ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଆମ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଚାଷୀଭାଇମାନେ ସେମାନଙ୍କର ନିକଟସ୍ଥ ରାଜସ୍ୱ କାର୍ଯ୍ୟାଳୟ କିମ୍ବା କୃଷି କାର୍ଯ୍ୟାଳୟକୁ ଯାଇ ଆଗ୍ରିଷ୍ଟାକ୍ ପୋର୍ଟାଲରେ ତୁରନ୍ତ ପଞ୍ଜୀକରଣ କରାଇନେବାକୁ ସେ ଅନୁରୋଧ କରିଥିଲେ। କୃଷକମାନଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହିତ ତାଳ ଦେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସିଏମ୍ କିଷାନ ଯୋଜନା କାର୍ଯ୍ୟକ୍ରମ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷି ପରିବାରକୁ ଜୀବନଜୀବିକା ସହାୟତା ବାବଦରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି। ଏଥିରେ ସହରାଞ୍ଚଳର ଚାଷୀ ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀର ଚାଷୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି। 

କୃଷକ କଲ୍ୟାଣ ଏବଂ ସଶକ୍ତିକରଣ ଆମ ସରକାରର ମୂଳ ସଂକଳ୍ପ। ଆଜି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ @narendramodi ଜୀ ଗୁଜୁରାଟର ବନାସକାଣ୍ଠାରୁ ଆଭାସୀ ମାଧ୍ୟମରେ ଦେଶବ୍ୟାପୀ 'ପିଏମ୍-କିଷାନ' ଯୋଜନାର ୨୪ତମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଭୁବନେଶ୍ୱରସ୍ଥିତ ରାଜ୍ୟସ୍ତରୀୟ 'ପିଏମ୍ କିଷାନ… pic.twitter.com/D6LnuQBEjx

— Mohan Charan Majhi (@MohanMOdisha) October 30, 2026

ସେହିପରି ସିଏମ୍ କିଷାନ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ କୃଷି ବିଦ୍ୟାନିଧି ଯୋଜନା ଅଧୀନରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ ବୈଷୟିକ ପାଠ୍ୟକ୍ରମ ପଢ଼ିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ୨୦୨୪-୨୫ରେ ୧୩,୯୨୩ ପିଲାଙ୍କୁ ୫୩.୬୯ କୋଟି ଟଙ୍କା କୃଷି ବିଦ୍ୟାନିଧି ବୃତ୍ତି ଦିଆଯାଇଥିବା ବେଳେ ୨୦୨୫-୨୬ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୬୮,୯୧୦ ପିଲାଙ୍କୁ ୨୯୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପୂର୍ବ ବର୍ଷ ଅପେକ୍ଷା ଏହି ପରିମାଣ ପ୍ରାୟ ୫ ଗୁଣ ବୃଦ୍ଧି ହୋଇଛି। ଚଳିତ ଶିକ୍ଷାବର୍ଷରେ ରେକର୍ଡ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀଙ୍କୁ କୋଟିକୋଟି ଟଙ୍କାର ଅର୍ଥରାଶି ଛାତ୍ରବୃତ୍ତି ବାବଦରେ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ରାଜ୍ୟର କୃଷି ଇତିହାସରେ  ଏକ ଅଭୂତପୂର୍ବ ସଫଳତା।

Important Meeting: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଚଳିତ ବର୍ଷ ଲକ୍ଷାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହାଦ୍ୱାରା ଅନ୍ନଦାତାମାନଙ୍କ ମୁହଁରେ ଆଜି ଆନନ୍ଦର ଲହରି ଖେଳିଯାଇଛି। ବିଗତ ଦିନରେ ଲଗାଣ ବର୍ଷା, ବନ୍ୟା ଏବଂ ସାମ୍ପ୍ରତିକ ବାତ୍ୟା ପରବର୍ତ୍ତୀ ବର୍ଷା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇ କହିଛନ୍ତି ଯେ, ଯେତେ ବିପତ୍ତି ଆସୁ ନ କାହିଁକି, ଆପଣଙ୍କ ସରକାର ଓ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ଦୁଃଖସୁଖରେ ସାଥୀ ହୋଇ ଠିଆ ହୋଇଛନ୍ତି। କ୍ଷତିଗ୍ରସ୍ତ ଫସଲର ଆକଳନ କରାଯାଇ ନିୟମାନୁଯାୟୀ ଚାଷୀମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ।  

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ବନାସକାଣ୍ଠା ଠାରେ ଅନୁଷ୍ଠିତ ଜାତୀୟ ସମାରୋହରୁ ଆଭାସୀ ମାଧ୍ୟମରେ ଏହି ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସାରା ଦେଶରେ ୯.୩୪ କୋଟି ରୁ ଅଧିକ ଚାଷୀଙ୍କୁ ୧୮,୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୋଦୀଙ୍କର ଏହି କାର୍ଯ୍ୟକ୍ରମକୁ ଓଡିଶାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏବଂ ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକମାନେ ସିଧାପ୍ରସାରଣ ଦେଖିଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର କୃଷକମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ମଧ୍ୟ ହୋଇଥିଲେ, ଯାହାକି କୃଷକ ମହଲରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଏହି ଜାତୀୟ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଜମାଖାତାକୁ ଡିବିଟି ଜରିଆରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଭାବରେ ସମୁଦାୟ ୭୦୭.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.